33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ : ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ : ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି

ଡେରାଡୁନ: ଉତ୍ତରାଖଣ୍ଡରେ ବିଗତ ଚାରିଦିନ ଧରି ଚାଲିଥିବା ଅବିଶ୍ରାନ୍ତ ବର୍ଷା ଓ ତତ୍‌ଜନିତ ମାଟିଅତଡା ଖସିଥିବା ଘଟଣାରେ ମୃତ୍ୟୁସଂଖ୍ୟା ଇତିମଧ୍ୟରେ ୫୦କୁ ବୃଦ୍ଧି ପାଇଛି । କେବଳ ନୈନିତାଲ ଜିଲ୍ଲାରେ ସର୍ବାଧିକ ୩୦ ଜଣ ପ୍ରାଣ ହରାଇଥିବାବେଳେ ଆଲମୋଡାରେ ୬, ଚମ୍ପାବତ୍ ଓ ଉଦ୍ଧାମ ସିଂହ ନଗରରେ ପ୍ରତ୍ୟେକ ୨ ଜଣ ଏବଂ ବାଜେଶ୍ୱର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସରକାରୀଭାବେ କୁହାଯାଇଛି । ଇତିପୂର୍ବରୁ ଗତ ୧୭ ଓ ୧୮ ତାରିଖରେ ପିଥୋରାଗଡ, ପୌଡି ଗଡୱାଲ ଓ ଚାମୋଲି ଜିଲ୍ଲାରେ ୯ ଜଣଙ୍କର ପ୍ରାଣହାନି ଘଟିଛି । ବର୍ଷା ବିତ୍ପାତ ଯୋଗୁଁ ୧୦ଟି ଘର ଭାଙ୍ଗିଯାଇଥିବାବେଳେ ଦୁଇଟି ପୋଲ ଭାସିଯାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକିଥିବା ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏନ୍‌ଡିଆରଏଫ୍ ଓ ସେନା ଯବାନ ଉଦ୍ଧାର କରିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଇତିମଧ୍ୟରେ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ ବାସହୀନ ହୋଇପଡିଥିବା ପ୍ରତ୍ୟେକ ଲୋକଙ୍କୁ ୧.୯ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ବନ୍ୟା ପରିସ୍ଥିତି ନେଇ ଧାମିଙ୍କ ସହ ଆଲୋଚନା କରିଥିବା ପ୍ରକାଶ ।

ଏଭଳି ପ୍ରାକୃତିକ ବିପର୍ଯ୍ୟୟର ଉଚିତ ମୁକାବିଲା କରିବାରେ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୋଦୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ନୈନିତାଲ ହ୍ରଦ ଉଛୁଳି ପଡିଥିବାବେଳେ ବଳକା ପାଣି ମାଲ୍ ରୋଡ୍ ଓ ନୈନାଦେବୀ ମନ୍ଦିର ପରିସରରେ ପ୍ରବେଶ କରିଛି । ଏଥିଯୋଗୁଁ ଆଖପାଖରେ ବାସ କରୁଥିବା ଲୋକଙ୍କ ଘରେ ଆଣ୍ଠୁଏ ଲେଖାଏଁ ପାଣି ଜମିଥିବା ଲକ୍ଷ୍ୟ କରାଯାଇଛି । ପିଥୋରାଗଡ, ପୌଡି ଗଡୱାଲ ଓ ଚାମୋଲି ଜିଲ୍ଲାରେ ମଧ୍ୟ ବିଶେଷ କ୍ଷୟକ୍ଷତି ଘଟିଛି । ପ୍ରାୟ ସାତଟି ଜିଲ୍ଲାରେ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ଏକାଧିକ ପୋଲ ଭାଙ୍ଗିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking