28.1 C
Bhubaneswar
Thursday, June 5, 2025
Homeଓଡିଶାଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା

ଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଗତ କିଛି ଦିନ ହେବ ଯେଉଁ ଶୁଷ୍କ ପବନ ପ୍ରବାହିତ ହେଉଥିଲା ତା’ର ଦିଗରେ ଧୀରେ ଧୀରେ ପରିବର୍ତ୍ତନ ହେଉଛି । ତେବେ ଗୁରୁଚାପ ବଳୟ; ଯାହା ବଙ୍ଗୋପସାଗରର ଦକ୍ଷିଣକୁ ଥିଲା ତାହା ଧୀରେ ଧୀରେ ଓଡ଼ିଶା ମୁହାଁ ହୋଇଛି । ଫଳରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଯେଉଁ ଶୁଷ୍କ ବାୟୁ ପ୍ରବାହିତ ହେଉଥିଲା, ତା’ର ପ୍ରଭାବ ଧୀରେ ଧୀରେ କମିବ । ତା’ସହିତ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସିବ ।

ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସିଲେ ଏହି ତାପମାତ୍ରା ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଶ୍ରୀ ଦାଶ କହିଛନ୍ତି ଯେ ୧୬ ତାରିଖ ପୂର୍ବାହ୍ଣ ସୁଦ୍ଧା ରାଜ୍ୟର କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ମାତ୍ର ପରେ ପାଗରେ ପରିବର୍ତ୍ତନ ଘଟିବ । ୧୭ରୁ ୨୦ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ସେହିପରି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୧୬ ତାରିଖ ପୂର୍ବାହ୍ଣ ପରଠାରୁ ୧୭ ତାରିଖ ମଧ୍ୟରେ ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ କେନ୍ଦୁଝରର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଏହି ସମୟରେ ରାଜ୍ୟର ଅନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବ । ୧୮ତାରିଖ ମଧ୍ୟରେ ଉପକୁଳଜିଲ୍ଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଦମାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୧୯ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି । ସେହିପରି ୨୦ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ଘଡ଼ଗଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅପରପକ୍ଷେ ଶନିବାର ମଧ୍ୟ ରାଜ୍ୟର ସବୁ ଜିଲ୍ଲାରେ ନିଆଁ ବର୍ଷିଛି । ୨୩ଟି ସହରର ତାପମାତ୍ରା ୪୦ଂ ଉପରେ ରହିଥିବା ବେଳେ ୪୨.୫ ଡିଗ୍ରୀ ସହ ବୌଦ୍ଧ ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର । ତେବେ ଗତ ୨ଦିନ ହେବ ବାରିପଦାରେ ତାପମାତ୍ରା ଉପର ମୁହାଁ ହୋଇ ୪୦ଂ ଉପରେ ରହିଥିବା ବେଳେ ଆଜି ୩୬.୬ଂ ରହିଥିଲା । ଭୁବନେଶ୍ୱରର ତାପମାତ୍ରା ୪୧.୭ଂ ରହିଥିବା ବେଳେ କଟକ ୪୧.୨ଂ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୨.୨, ତାଳଚେରରେ ୪୨, ବୌଦ୍ଧରେ ୪୨.୫, ଟିଟିଲାଗଡ଼ରେ ୪୧, ସମ୍ବଲପୁରରେ ୪୦.୯, ବଲାଙ୍ଗିରରେ ୪୧.୭, ଅନୁଗୁଳରେ ୪୧.୧, ସୋନପୁରରେ ୪୦.୭, ସୁନ୍ଦରଗଡ଼ରେ ୪୧, ରାଉରକେଲାରେ ୪୧.୬, ଭବାନୀପାଟଣାରେ ୪୧.୨, କଟକରେ ୪୧.୨, କେନ୍ଦୁଝରରେ ୪୧, ହୀରାକୁଦରେ ୪୦, ଢେଙ୍କାନାଳରେ ୪୦.୮, ଚାନ୍ଦବାଲିରେ ୪୦.୭, ପାରଳାଖିମୁଣ୍ଡିରେ ୪୦.୪, ନୟାଗଡ଼ରେ ୪୦, ଯାଜପୁରରେ ୪୧, ବରଗଡ଼ରେ ୪୦.୬, ଖୋର୍ଦ୍ଧାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ସନ୍ଧ୍ୟାରେ କିଛି ସହରରେ ସାମାନ୍ୟା ଝିପିଝିପି ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ୪ମିମି ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking