ମୁମ୍ବାଇ: ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଉଲ୍ଲଂଘନ ଅଭିଯୋଗରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ କ୍ୟାପ୍ଟେନ୍ କେଏଲ୍ ରାହୁଲଙ୍କୁ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା କରାଯାଇଛି । ସେହିପରି ସାଥୀ ଖେଳାଳି ମାର୍କସ୍ ଷ୍ଟୋଇନିସ୍ଙ୍କୁ ଅମ୍ପାୟାର୍ଙ୍କ ସହ ଯୁକ୍ତିତର୍କ କରିବା ଅଭିଯୋଗରେ ଚେତାବନୀ ଦିଆଯାଇଛି । ମଙ୍ଗଳବାର ଖେଳାଯାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ ଲକ୍ଷ୍ନୌ କ୍ୟାପ୍ଟେନ୍ ରାହୁଲ ଆଇପିଏଲ୍ର ଲେଭେଲ୍-୧ କୋଡ୍ ଅଫ୍ କଣ୍ଟକ୍ଟ ଉଲ୍ଲଂଘନରେ ଦୋଷୀ ହୋଇଥିଲେ ଏବଂ ତାଙ୍କୁ ଜୋରିମାନା କରାଯାଇଥିଲା । ରାହୁଲ ନିଜ ଦୋଷ ସ୍ୱୀକାର କରିନେଇଥିବା ଆଇପିଏଲ୍ର ଏକ ବିଜ୍ଞପ୍ତିରେ କୁହାଯାଇଛି ।
ସେହିପରି ଷ୍ଟୋଇନିସ୍ଙ୍କୁ ଏହି ମ୍ୟାଚ୍ରେ ଆଇପିଏଲ୍ ଆଚାର ସଂହିତା ଉଲ୍ଲଂଘନ ପାଇଁ ଚେତାବନୀ ଦିଆଯାଇଛି । ମ୍ୟାଚ୍ରେ ଜୋଶ୍ ହେଜଲ୍ଉଡ୍ଙ୍କ ଏକ ବଲ୍ରେ ବଡ଼ ଶଟ୍ ଖେଳିବାକୁ ଯାଇ ଷ୍ଟୋଇନିସ୍ ବୋଲ୍ଡ ଆଉଟ୍ ହୋଇଯାଇଥିଲେ । ଏହି ବଲ୍ଟି ତାଙ୍କ ବ୍ୟାଟ୍ର କଣରେ ଲାଗି ୱିକେଟ୍ରେ ବାଜିଥିଲା । ଏହାପରେ ଷ୍ଟୋଇନିସ୍ ଅମ୍ପାୟାର୍ଙ୍କ ଉପରେ ରାଗିଯାଇଥିଲେ । ରାଗରେ ସେ ଅମ୍ପାୟାର୍ଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିଲେ, ଯାହା ଷ୍ଟମ୍ପ୍ସ ମାଇକ୍ରେ ରେକର୍ଡ ହୋଇଯାଇଥିଲା । ଏହି ବ୍ୟବହାର ପାଇଁ ତାଙ୍କୁ ଚେତାବନୀ ଦିଆଯାଇଥିଲା । ଅମ୍ପାୟାର୍ କ୍ରିସ୍ ଗେଫନୀ ହେଜଲ୍ଉଡ୍ଙ୍କୁ ପୂର୍ବ ବଲ୍କୁ ୱାଇଡ୍ ଦେଇନଥିବାରୁ ଷ୍ଟୋଇନିସ୍ ଅସନ୍ତୋଷ ଥିଲେ ।