ୱାଶିଂଟନ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂପ୍ରତି ଛଅ ଦିନିଆ ଆମରିକା ଗସ୍ତରେ ଯାଇଛନ୍ତି । ବୁଧବାର କାଲିଫର୍ଣ୍ଣିଆରେ ପ୍ରବାସୀ ଭାରତୀୟ ସମାଜକୁ ସମ୍ବୋଧିତ କରିବା ଅବସରରେ ରାହୁଲ ପୁଣି ବିଜେପି, ଆରଏସ୍ଏସ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି ।
ମୋଦୀ ସରକାରଙ୍କ ଅମଳରେ ଭାରତରେ ବସବାସ କରୁଥିବା ମୁସଲମାନମାନେ ବାରମ୍ବାର ଘୃଣା ଓ ଆକ୍ରୋଶର ସମ୍ମୁଖୀନ ହେଉଥିବାବେଳେ ଗରିବ ଓ ପଛୁଆ ବର୍ଗ ମଧ୍ୟ ଏଥିରୁ ତ୍ରାହି ପାଉନଥିବା ରାହୁଲ କହିଛନ୍ତି । ଆରଏସ୍ଏସ୍ ଓ ବିଜେପି ମିଳିତଭାବେ ଭାରତୀୟଙ୍କ ଜୀବନଧାରା, ଭାରତୀୟଙ୍କ ଚିନ୍ତାଧାରା ଏବଂ ଭାରତୀୟ ସମ୍ବିଧାନ ଉପରେ ଆକ୍ରମଣ ଜାରି ରଖିଥିବା ସେ କହିଛନ୍ତି ।
ସଂପ୍ରତି ଭାରତରେ ଦଳିତ, ଗରିବ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କର ସୁରକ୍ଷିତ ସ୍ଥାନ ନଥିବା ରାହୁଲ ଅଭିଯୋଗ କରିଛନ୍ତି । ମୋଦୀଙ୍କ ସମେତ ଆରଏସ୍ଏସ୍ ଓ ବିଜେପିର ଛାମୁଆ ନେତାମାନେ ନିଜକୁ ଈଶ୍ୱରଙ୍କଠାରୁ ଅଧିକ ଜ୍ଞାନୀ ବୋଲି ଭାବୁଥିବା ରାହୁଲ ଆକ୍ଷେପ କରିଛନ୍ତି । ତାଙ୍କ (ରାହୁଲ) ନେତୃତ୍ୱରେ ଗତବର୍ଷ ଆୟୋଜିତ ଭାରତ ଯୋଡୋ ଯାତ୍ରାକୁ ଭଣ୍ଡୁର କରିବାକୁ ମୋଦୀ ସରକାର ଶତଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇନଥିବା ରାହୁଲ ଦାବି କରିଛନ୍ତି ।
ନୂତନ ସଂସଦ ଭବନ ଉଦ୍ଘାଟନ ସମୟରେ ମୋଦୀଙ୍କ ସାଷ୍ଟାଙ୍ଗ ପ୍ରଣିପାତ, ସେଙ୍ଗଲ ସ୍ଥାପନ ସମୟରେ ଭାବଭଙ୍ଗୀ ଏକ ଛଳନା ଥିଲା ବୋଲି ରାହୁଲ କହିଛନ୍ତି । ବେକାରୀ ଓ ମୂଲ୍ୟବୃଦ୍ଧି ଭଳି ଜାତୀୟ ସମସ୍ୟାରୁ ଲୋକଙ୍କ ଧ୍ୟାନ ହଟାଇବାକୁ ମୋଦୀଙ୍କର ଏଭଳି ଚାଲ୍କୁ ଦେଶବାସୀ ବରଦାସ୍ତ କରିବେ ନାହିଁ ବୋଲି ରାହୁଲ ଚେତାବନୀ ଦେଇଛନ୍ତି ।