30.1 C
Bhubaneswar
Saturday, May 4, 2024
Homeଓଡିଶାଉଠିଲା ୪ନାହାକା : ପରମ୍ପରା ଭଙ୍ଗ

ଉଠିଲା ୪ନାହାକା : ପରମ୍ପରା ଭଙ୍ଗ

ପୁରୀ : ରଥଖଳାରେ ତ୍ୱରାନ୍ୱିତ ହୋଇଛି ୩ରଥର ନିର୍ମାଣ କାର୍ଯ୍ୟ । ସ୍ନାନ ପୂର୍ଣ୍ଣମୀରେ ୪ନାହାକା ଉଠିବାର ପରମ୍ପରା ଥିବା ବେଳେ ତାର  ଯଥେଷ୍ଟ ପୂର୍ବରୁ ୩ରଥର ୪ନାହାକା ଉଠିଛି । ମଙ୍ଗଳବାର  ୧୯୮ଜଣ ନିର୍ମାଣକାରୀ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୮୦ଜଣ ମହାରଣା, ୭୬ଜଣ ରଥଭୋଇ ସେବକ, ୫ଜଣ କରତି ସେବକ, ଜଣେ ପାହି ମହାରଣା, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୮ଜଣ ରୂପକାର ସେବକ, ୧୫ଜଣ ଓଝା ବା କମାର ସେବକ ଏବଂ ଜଣେ ରଥଖଳା ସହାୟକ ଅନ୍ତର୍ଭୁକ୍ତ ଥିଲେ । ପୂର୍ବରୁ ୩ରଥର ଅଖ ଉପରେ ପଞ୍ଚଦଣ୍ଡା ଓ ଗରଗରା ପଡ଼ି କଣ୍ଟା ବାଡ଼ିଆ କାମ ଶେଷ ହୋଇଥିଲା । ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଥିଲା ୩ରଥର ନିର୍ମାଣ କାର୍ଯ୍ୟ । ପ୍ରଥମେ ପ୍ରତ୍ୟେକ ରଥର ମଧ୍ୟଭାଗ ୨ପାଶ୍ୱର୍ରେ ୨ଟି ଲେଖାଏଁ ପୋଲ ଗୟଳ ପକାଯାଇଥିଲା ।

୩ରଥର ପୋଲ ଗୟଳ ଖଞ୍ଜାଯିବା ପରେ ପଞ୍ଚଦଣ୍ଡାରେ ଲଗାଯାଇଥିବା ଗରଗରା ଉପରେ ୪ନାହାକା ଉଠିବା ପାଇଁ ମୁଖ୍ୟ ମହାରଣାମାନେ ନଡ଼ିଆ ବାଡ଼େଇ ଅନୁକୂଳ ପୂଜା ପୂର୍ବକ ଭୋଇ ସେବକଙ୍କ ଦ୍ୱାରା ୪ନାହାକାକୁ ଗରକରା ବିନ୍ଧରେ ସଂଯୋଗ କରି ୪ନାହାକା ଉଠିବା କାର୍ଯ୍ୟ ଶେଷ କରିଥିଲେ । ମଧ୍ୟାହ୍ନ ବିରତି ପରେ ୩ରଥର ମହାରଣା ଓ ଭୋଇ ସେବକମାନେ ମିଶି ପାଶ୍ୱର୍ ଦଣ୍ଡାମାନଙ୍କରେ ୩ଟି ଲେଖାଏଁ ଜଳଯନ୍ତ୍ର ଓ ୨ଟି ଲେଖାଏଁ କୋଣଗୁଜ ଖଞ୍ଜି ପାଶ୍ୱର୍ ଗୟଳ ପକାଇଥିଲେ । ଦେବଦଳନ ରଥର ୨ପାଶ୍ୱର୍ରେ ଗୋଟିଏ ଗୋଟିଏ ପାଶ୍ୱର୍ଗୟଳ ପଡ଼ିଥିବା ବେଳେ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୨ପାଶ୍ୱର୍ରେ ୨ଟି ଲେଖାଏଁ ପାଶ୍ୱର୍ଗୟଳ ପଡ଼ିଛି ।

୩ରଥର ଏହି ପାଶ୍ୱର୍ଗୟଳ ପଛପାଶ୍ୱର୍ କୋଣଗୁଜରୁ ଆଗପଟ ପାଶ୍ୱର୍ କୋଣଗୁଜ ସହ ସଂଯୋଗ ହୋଇ ମଝିରେ ୫ଟି ଲେଖାଏଁ ଟାଣ ବା ଖମ୍ବି ଉପରେ ଧନୁ କରି ସେଟିଂ କରାଯାଇଛି । ୩ରଥର ଚାରିନାହାକା ଉପରେ ପ୍ରଥମ ଭୂଇଁ ପାଇଁ ୬ଟି ଲେଖାଏଁ ୪ ଚଉତା କାଠ ରଥ ଅମିନଙ୍କ ଦ୍ୱାରା ଯୋଗା ଯାଇଥିଲା । ସେଥିମଧ୍ୟରୁ ୪ଟି ୪ ଚଉତା କାଠର ୨ପାଶ୍ୱର୍ ସାଲ ସରି କାପ ବିନ୍ଧ ଶେଷ ହୋଇ ଆଉ ୨ଟି ଲେଖାଏଁ ୪ଚଉତା କାଠର ଚଉପଟ କାମ ଶେେ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହିତ ୩ରଥର ୯ଟି ଲେଖାଏଁ ଯୋଖା ନିର୍ମାଣ ଶେଷ ହେବା ସହ ୬ଟି ଲେଖାଏଁ ଗୟଳ ଚଉପଟ ସରିଛି ।

ଆଉ ୨ଟି ଲେଖାଏଁ ଗୟଳର କାମ ଜାରି ରହିଛି । ୩ରଥର ଦୁଆର ବେଢ଼ା ପାଇଁ ୨୪ଟି ନାଟ ଗୋଡ଼ର ଆବଶ୍ୟକତା ଥିବା ବେଳେ ରୂପକାର ସେବକମାନଙ୍କୁ ୬ଟି ଲେଖାଏଁ ନାଟଗୋଡ଼ରେ ରୂପ ଖୋଦେଇ ପାଇଁ ନାଟଗୋଡ଼ ଖମ୍ବି ଯୋଗାଇ ଦିଆଯାଇଥିଲା । ରୂପକାର ସେବକମାନେ ୩ରଥର ୪ଟି ଲେଖାଏଁ ନାଟଗୋଡ଼ରେ ରାହୁରୂପ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି ଏବଂ ଆଉ ୨ଟି ନାଟଗୋଡ଼ରେ ଖୋଦେଇ କାମ ଜାରି ରହିଛି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ବା କମାର ସେବକମାନେ ୩ରଥର ଉପରିଭାଗ ପାଇଁ ଆବଶ୍ୟକ ଚଉତା କଣ୍ଟା, ଯୋଖା କଣ୍ଟା ଆଦିର ନିର୍ମାଣ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking