କଟକ: ଗ୍ରୀଷ୍ମର ପ୍ରବଳ ଉତ୍ତାପରେ ଜନଜୀବନ ଏବେ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲା ବେଳେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପୂର୍ବଭଳି ଚାଲିଛି । ଛୋଟଛୋଟ ପିଲା ଖରାରେ ଯିବା ଆସିବା କଷ୍ଟସାଧ୍ୟ ହୋଇପଡ଼ିଥିବାରୁ ସ୍କୁଲ କଲେଜ ଭଳି ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର ହୋଇଛି । ଆବେଦନକାରୀ ସଂଗଠନର ନୟାଗଡ଼ ଜିଲା ଶାଖା ତରଫରୁ ଗ୍ରୀଷ୍ମକାଳରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ୨୦୨୩ ଏପ୍ରିଲ ୨୦ ତାରିଖରେ ମୁଖ୍ୟ ଶାସନ ସଚିବ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଓ ନୟାଗଡ଼ ଜିଲାପାଳଙ୍କ ନିକଟରେ ଦାବି କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ସୂର୍ଯ୍ୟଙ୍କ ଉତ୍ତାପ ବୃଦ୍ଧି ପାଇଥିଲା ବେଳେ ଗ୍ରୀଷ୍ମ ପ୍ରବାହ ପ୍ରଖର ହୋଇଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ପ୍ରାୟ ୪୪ରୁ ୪୫ଡିଗ୍ରୀ ସେଣ୍ଟିଗ୍ରେଡ୍ରେ ପହଞ୍ôଚଲାଣି ।
ସକାଳ ୮ଟାଠାରୁ ଘରୁ ବାହାରକୁ ବାହାରି କଷ୍ଟକର ହୋଇପଡୁଛି । ଏଣୁ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି । ଏଥିସହ ରାଜ୍ୟର ସମସ୍ତ ଜିଲା, ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ସକାଳ ଅଫିସ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସେହିପରି ସମସ୍ତ ନିମ୍ନ ଅଦାଲତ ଓ ହାଇକୋର୍ଟରେ ମଧ୍ୟ ଗ୍ରୀଷ୍ମଛୁଟି ଘୋଷଣା କରି ବନ୍ଦ କରାଯାଇଛି । ଅପରପକ୍ଷରେ ନିରୀହ କୋମଳମତି ଶିଶୁମାନେ ଟାଣଖରାରେ ସକାଳ ୮ଟାରୁ ୧୨ଟା ମଧ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବାଆସିବ କଷ୍ଟସାଧ୍ୟ ହୋଇଥିବା ବେଳେ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଗ୍ରୀଷ୍ମ ଛୁଟି ଘୋଷଣା କରୁନାହାନ୍ତି । ତେଣୁ ହାଇକୋର୍ଟ ଏ ଦିଗରେ ଦୃଷ୍ଟି ଦେଇ ଗ୍ରୀଷ୍ମ ଅବକାଶ ବେଳରେ ତତ୍କାଳ ଶୁଣାଣି କରି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବା ନିମନ୍ତେ ପ୍ରାର୍ଥନା କରି ସଂଗଠନର ନୟାଗଡ଼ ଜିଲା ସମ୍ପାଦକ ନିରଞ୍ଜନ ଦାସଏହି ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଓ ନୟାଗଡ଼ ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି ।