ଚଣ୍ଡୀଗଡ: ପଞ୍ଜାବରେ ଆନ୍ଦୋଳନ ଜାରି ରଖିଥିବା ସମୟରେ ସୋମବାର ଅନ୍ୟଜଣେ ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପଟିଆଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ବାସଭବନ ସମ୍ମୁଖରେ ବସି ଅନ୍ୟ ଚାଷୀଭାଇମାନଙ୍କ ସହ ଧାରଣା ଦେଉଥିବା ଏହି ଚାଷୀଜଣକଙ୍କ ନାମ ନରିନ୍ଦର ପାଲ୍ ସିଂହ । ସେ ରାକେଶ ଟିକାୟତ୍ଙ୍କ ନେତୃତ୍ୱାଧୀନ କୃଷକ ସଂଗଠନ ବିକେୟୁର କର୍ମକର୍ତ୍ତା ଥିଲେ । ରବିବାର ବିଳମ୍ବିତ ରାତିରେ ନରିନ୍ଦରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡିଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରୀ ଦଳ କହିଛନ୍ତି । ପଟିଆଲାରେ ଆନ୍ଦୋଳନରତ ଚାଷୀମାନେ ଏବେ ମୃତ ନରିନ୍ଦରଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ।