ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଆଜିଠୁ ତିନି ଦିନିଆ ଗସ୍ତରେ ଯାଉଛନ୍ତି ଇଣ୍ଡୋନେସିଆ । ଏହି ଗସ୍ତ ସମୟରେ ଭାରତ ଏବଂ ଇଣ୍ଡୋନୋସିଆ ବ୍ରହ୍ମୋସ ସୁପର ସୋନିକ କ୍ରୁଜ କ୍ଷେପଣାସ୍ତ୍ର ପ୍ରଣାଳୀର ପର୍ଯ୍ୟାୟକ୍ରମେ କ୍ରୟ ବିଷୟରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କ ପାଇଁ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ପ୍ରତିରକ୍ଷା ସୂତ୍ର ଅନୁସାରେ, ଦୁଇ ଦେଶ ମଧ୍ୟରେ ଆଲୋଚନା ମାର୍ଚ୍ଚ ମାସରେ ଚୂଡାନ୍ତ ହୋଇଥିବା ପ୍ରାରମ୍ଭିକ ସିଙ୍ଗଲ- ସିଷ୍ଟମ ଚୁକ୍ତିନାମାଠାରୁ ଆଗକୁ ବଢିବ । ଏଥର ଆଲୋଚନାରେ ଉପକୂଳ ଏବଂ ମୋବାଇଲ ଲଞ୍ଚର , ରାଡାର, ତାଲିମ , ରକ୍ଷଣାବେକ୍ଷଣ ଏବଂ ଏକ ବ୍ୟାପକ ସହାୟତା ପ୍ୟାକେଜ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ଅଛି । ଏପରି ପରିସ୍ଥିତିରେ, ଏହା କୁହାଯାଇପାରେ ଯେ, ଇଣ୍ଡୋନେସିଆକୁ କେବଳ କ୍ଷେପଣାସ୍ତ୍ର ନୁହେଁ ବରଂ ଏହାର ସମ୍ପୁର୍ଣ୍ଣ ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥା ମଧ୍ୟ ହସ୍ତାନ୍ତର କରାଯିବ। ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର ରପ୍ତାନି ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏହାର ପ୍ରତିରକ୍ଷା କୂଟନୀତିର ଏକ ପ୍ରମୁଖ ସ୍ତମ୍ବ ଭାବରେ ଉଭା ହୋଇଛି। ଭାରତ ଫିଲିପାଇନ୍ସକୁ କ୍ଷେପଣାସ୍ତ୍ର ଯୋଗାଇବା ଆରମ୍ଭ କରିସାରିଛି । ଭିଏତନାମ ଏବଂ ଇଣ୍ଡୋନେସିଆ ସହିତ ଭାରତର ଆଲୋଚନା ମଧ୍ୟ ଉଲ୍ଲେଖନୀୟ ଭାବରେ ଅଗ୍ରଗତି କରୁଛି ।










