କଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୬ତାରିଖରେ କଟକ ଗସ୍ତକରି ବିଭନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଅପରାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ. ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଗସ୍ତକାର୍ଯ୍ୟକ୍ରମ ଜନିତ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ କୌଣସି ତ୍ରୁଟିବିଚ୍ୟୁତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଡଃ.ଦଳେଇ ପ୍ରକାଶ କରିଥିଲେ । ସେ କହିଲେ ଯେ ଗସ୍ତକ୍ରମ ଅନ୍ତର୍ଭୁକ୍ତ ତିନିଗୋଟି ସ୍ଥାନ ଯଥା – କଟକ ଚଣ୍ଡୀମନ୍ଦିର, ଶୈଳବାଳା ମହାବିଦ୍ୟାଳୟସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିସ୍ଥଳ ଓ ନେତାଜୀ ସୁବାଷଙ୍କ ଜନ୍ମପୀଠ ଓ ସଂଗ୍ରହାଳୟ ଦାୟିତ୍ୱରେ ସ୍ୱତନ୍ତ୍ରଭାବେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ରହିବେ ।
ସେହିପରି ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ହାସପାତାଳ ଦାୟିତ୍ୱରେ କଟକ ମହାନଗର ନିଗମ ଆୟୁକ୍ତ ନିଖିଲ ପୱନ କଲ୍ୟାଣ କାର୍ଯ୍ୟନିର୍ବାହ କରିବେ ବୋଲି ସୂଚନା ଦେଇଛନ୍ତି । ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡଃ. ଭବାନୀ ଶଙ୍କର ଚୟନୀ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ହୋଇଥିବା ଗସ୍ତକାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତ୍ରୁତ ସୂଚନା ପ୍ରଦାନ କରିଥିଲେ । କଟକରେ ପ୍ରାତଃ ୮ ଘଟିକା ୫୫ମିନିଟ୍ ସମୟରେ ହେଲିକପ୍ଟର ଯୋଗେ ନରାଜ ହେଲିପ୍ୟାଡ୍ରେ ଅବତରଣ କରିବା ପରେ କଡ଼ାସୁରକ୍ଷା ବଳୟ ମଧ୍ୟରେ ସର୍ବପ୍ରଥମେ ମା’ କଟକଚଣ୍ଡୀ ମନ୍ଦିରକୁ ଆସିବେ ରାଷ୍ଟ୍ରପତି ।
ଏହାପରେ ଶୈଳବାଳା ମହିଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳଗୌରବ ମଧୁସୁଧନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କଙ୍କ ଜନ୍ମପୀଠ ଓ ସଂଗ୍ରହାଳୟ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଓଡିଶା ଉଚ୍ଚନ୍ୟାୟଳୟର ୭୫ବର୍ଷ ପୂର୍ତ୍ତି ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋରଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ରାଷ୍ଟ୍ରପତି ଯୋଗଦେବେ । ଏହାପରେ ନ୍ୟାୟିକ ସଂଗ୍ରହାଳୟ ପରିଦର୍ଶନ ପୂର୍ବକ ସେଠାରୁ ଉଚ୍ଚନ୍ୟାୟାଳୟକୁ ଗସ୍ତ କରି କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାଷ୍ଟ୍ରପତି ମହୋଦୟା ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହାସପାତାଳ ନୂତନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେବାକୁଥିବା କାର୍ଯ୍ୟକ୍ରମରେ ଯୋଗଦେବେ । କଟକ ଗସ୍ତକ୍ରମର ଅନ୍ତିମପର୍ଯ୍ୟାୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ସେଠାରୁ ଭୁବନେଶ୍ୱରସ୍ଥିତ ରାଜଭବନ ଅଭିମୁଖେ ଯାତ୍ରା କରିବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।
ବୈଠକରେ କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଅନିଲ କୁମାର ସାମଲ , ସିଏମ୍ସି କମିଶନର ନିଖିଲ ପୱନ କଲ୍ୟାଣ, ଭୁବନେଶ୍ୱର-କଟକ ପୁଲିସ କମିଶନରେଟର ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ , କଟକ ଡିସିପି ପିନାକ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଅତିରିକ୍ତ ପୁଲିସ ଉପ-ଆୟୁକ୍ତ ଅନିଲ କୁମାର ମିଶ୍ର, ଉଚ୍ଚନ୍ୟାୟାଳୟ ଡେପୁଟୀ ରେଜିଷ୍ଟ୍ରାର ଦେବାଶିଷ ମହାନ୍ତି, ସ୍ୱତନ୍ତ୍ର ଅଧିକାରୀ ଛାୟାକାନ୍ତ ଦାସ ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସହକାରୀ ନିବନ୍ଧକ କାଲୋଲା ପଟ୍ଟନାୟକ, କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ହେମନ୍ତ କୁମାର ନାୟକ, ଉପଜିଲ୍ଲାପାଳ କମଲଜିତ ଦାସ, ଅଧୀକ୍ଷଣ ଯନ୍ତ୍ରୀ ଇଂ ପ୍ରଭାସ କୁମାର ମାଝୀ, ଏସସିବି ଅଧ୍ୟକ୍ଷ ଡାକ୍ତର ପ୍ରସନ୍ନଜିତ ମହାନ୍ତି, ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଡାକ୍ତର ବନବିହାରୀ ମିଶ୍ର ,ଏସସିବି ପ୍ରଶାସନିକ ଅଧିକାରୀ ଡଃ. ଅବିନାଶ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।