ଭୁବନେଶ୍ୱର: ସାଧାରଣ ନିର୍ବାଚନ-୨୦୨୪କୁ ନଜରରେ ରଖି ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତ ହେବ । ୩୭,୬୦୬ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ନିର୍ଭୁଲ ତଥ୍ୟ ସଂଗ୍ରହ କରିବେ । ଏଥିପାଇଁ ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଏକ ମାସ ଧରି ସର୍ବେକ୍ଷଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟର ୩୦ ଜିଲ୍ଲାରେ ଥିବା ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେମାନେ ଘରକୁ ଘର ବୁଲି ଭୋଟର୍ ତାଲିକାରେ ଥିବା ତଥ୍ୟଗୁଡ଼ିକର ତନଖି କରିବେ । ଏଥିସହ ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିଙ୍କ ନାମ ଯୋଗ କରିବା, ଯେଉଁ ନୂତନ ଭୋଟର୍ଙ୍କ ବୟସ ୧ ଅକ୍ଟୋବର ୨୦୨୪ ସୁଦ୍ଧା ୧୮ ବର୍ଷ ପୂର୍ଣ୍ଣ ହେଉଥିବ ସେମାନଙ୍କୁ ତାଲିକାଭୁକ୍ତ କରାଇବା, ସବୁଦିନ ପାଇଁ ନିର୍ବାଚନ ମଣ୍ଡଳୀରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବା ଭୋଟର୍ ଓ ମୃତ ବ୍ୟକ୍ତିଙ୍କ ନାମ ଭୋଟର୍ ତାଲିକାରୁ ବାଦ୍ ଦେବା ଆଦି କାର୍ଯ୍ୟକୁ ଅଧିକାରୀମାନେ ନଜର ଦେବେ ।
ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତି ନିମନ୍ତେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ହିଁ ମୂଳ ଲକ୍ଷ୍ୟ ରହିଛି । ତେଣୁ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଚାଲୁ ରହିଥିବା ଘରକୁ ଘର ସର୍ବେକ୍ଷଣରେ ରାଜ୍ୟର ନାଗରିକମାନେ ଅଂଶଗ୍ରହଣ କରିବା ସହ ତଥ୍ୟ ସଂଗ୍ରହକାରୀ ଅଧିକାରୀଙ୍କୁ ସହଯୋଗ କରି ସଠିକ୍ ତଥ୍ୟ ପ୍ରଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ରାଜ୍ୟର ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି ।