ରାୟପୁର: ଛତିଶଗଡ଼ର ସୁରଜପୁର ତିଲସିବା ଗ୍ରାମରେ ଜବରଦଖଲ ଉଚ୍ଛେଦ ବେଳେ ଜଣେ ପୁଲିସକର୍ମଚାରୀ ଅମାନବୀୟ କାଣ୍ଡ ଘଟାଇଥିଲେ । ସେ ମହିଳାଙ୍କୁ ମାଡ଼ ମାରିବା ସହିତ ତାଙ୍କ କେଶକୁ ଧରି ଘୋଷାରି ଦେଇଥିଲେ । ଏଥିସହିତ ଜଣେ ଗର୍ଭବତୀ ବି ପୁଲିସ ମାଡ଼ର ଶିକାର ହୋଇଛନ୍ତି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି କି, ‘ତିଲସିବା ଗ୍ରାମରେ ୧୮ରୁ ଅଧିକ ଲୋକ ଗୋଠାନରେ ଥିବା ଜମିକୁ ବେଆଇନ ଭାବେ ମାଡ଼ି ବସିଥିଲେ ।
ସେମାନଙ୍କୁ ଏହି ସ୍ଥାନ ଖାଲି କରିବାକୁ ବାରମ୍ବାର ନୋଟିସ ଜାରି କରାଯାଇଥିଲେ ହେଁ ଏହାକୁ ଅଣଦେଖା କରିଥିଲେ । ଶେଷରେ ଜମିରୁ ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ସମୟରେ ଗ୍ରାମବାସୀ ପ୍ରଥମେ ପୁଲିସ ଓ ତହସିଲଦାରଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁ କାରଣରୁ ଆଠଜଣ ମହିଳାଙ୍କ ବିରୋଧରେ ମାମଲା ବି ରୁଜୁ କରାଯାଇଛି । ଏହି ଘଟଣାକୁ ନେଇ ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି କି, ‘ଜଣେ ଗର୍ଭବତୀ ମହିଳା ବି ପୁଲିସ କର୍ମଚାରୀଙ୍କ ମାଡ଼ର ଶିକାର ହୋଇଛି । କେବଳ ଏତିକି ନୁହେଁ, ଏହି ଘଟଣା ସମୟରେ ଜଣେ ମହିଳା ସାମ୍ନାକୁ ଆସି ଯିବାରୁ ତାଙ୍କୁ ବି ପୁଲିସ ମାଡ଼ ମାରିଥିଲା । ସେ ତଳେ ପଡ଼ିଯିବାରୁ ତାଙ୍କ କେଶକୁ ଘୋଷାରି ଗୋଇଠା ବି ମାଡ଼ କରିଥିଲା ପୁଲିସ ।