29.1 C
Bhubaneswar
Wednesday, July 3, 2024
Homeଓଡିଶାବସିଲା ବିଦ୍ୟୁତ୍ ଆବଣ୍ଟନ ସଂସ୍କାର କମିଟି ବୈଠକ; ୬୨୮୩ କୋଟି ଟଙ୍କା ଯୋଜନା ଅଟକଳକୁ ମଞ୍ଜୁରି

ବସିଲା ବିଦ୍ୟୁତ୍ ଆବଣ୍ଟନ ସଂସ୍କାର କମିଟି ବୈଠକ; ୬୨୮୩ କୋଟି ଟଙ୍କା ଯୋଜନା ଅଟକଳକୁ ମଞ୍ଜୁରି

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ୍ ଆବଣ୍ଟନ ସଂସ୍କାର କମିଟି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ପୁନଃନିର୍ମାଣ ଆବଣ୍ଟନ କ୍ଷେତ୍ରୀୟ ଯୋଜନା ଅଧିନସ୍ଥ କ୍ରିୟାନୁଷ୍ଠାନ ଏବଂ ତତ୍ସଂକ୍ରାନ୍ତୀୟ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଏହି କମିଟି ନୀତିଗତ ଭାବେ ଅନୁମୋଦନ କରିଛି । ଏହାକୁ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟକୁ ପ୍ରେରଣ କରାଯିବ ।
ଉକ୍ତ ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କମିଟିର କ୍ରିୟାନୁଷ୍ଠାନ ଯୋଜନା ସଂପର୍କରେ ଉପସ୍ଥାପନ କରିଥିଲେ । ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ପ୍ରତିରୋଧ କ୍ଷମତା ସଂପର୍ଣ୍ଣ ବିଦ୍ୟୁତ୍ ନେଟୱାର୍କ ସୁଦୃଢ଼ୀକରଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ । ବାତ୍ୟାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବା ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗୀକରଣ ସୁଦୃଢ଼ କରାଗଲେ ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍ କ୍ଷୟକ୍ଷତି ଅନେକାଂଶରେ ରୋକାଯାଇପାରିବ ।

ଏଥିରେ ପ୍ରାୟ ୭୦ ଶତକଡ଼ା ପାଣ୍ଠି ବିନିଯୋଗ ଦ୍ୱାରା ସଂପୃକ୍ତ ଅଞ୍ଚଳରେ ଥବା ଡାକ୍ତରଖାନା, ଆଶ୍ରୟସ୍ଥଳୀ, ଜଳଯୋଗାଣ ଉତ୍ସ, ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ପ୍ରଶାସନିକ କୋଠା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବାତ୍ୟା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯାଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଉକ୍ତ ବୈଠକରେ ୬୨୮୩ କୋଟି ଟଙ୍କାର ଯୋଜନା ଅଟକଳକୁ ଅନୁମୋଦନ କରାଯାଇଛି । ଏଥି ମଧ୍ୟରୁ ୩୯୪୨ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବା ବେଳେ ୨୩୪୧ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଭରଣା କରାଯିବ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତିବିଭାଗ ଅତିରିକ୍ତ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶିଲ୍ କୁମାର ଲୋହାନୀ, ଟିପିସିଓଡିଏଲ୍ ମୁଖ୍ୟ ନିର୍ବାହୀ ଅଧିକାରୀ ଏମ୍ ସେନବାଗମ, ଓପିଟିସଏଲ୍ ସିଏମ୍‌ଡି ସଞ୍ଜୟ କୁମାର ମିଶ୍ର, ଗ୍ରିଡକୋ ଏମ୍‌ଡି ତ୍ରିଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking