31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସମଗ୍ର ଦେଶ ପାଇଁ ଜନସଂଖ୍ୟା ନୀତି ଏକାନ୍ତ ଜରୁରୀ: ଭାଗବତ

ସମଗ୍ର ଦେଶ ପାଇଁ ଜନସଂଖ୍ୟା ନୀତି ଏକାନ୍ତ ଜରୁରୀ: ଭାଗବତ

ମୁମ୍ବାଇ: ସାମ୍ପ୍ରତିକ ସ୍ଥିତିରେ ଭାରତକୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ରହିଛି । ଯଦି ଏହା ଉପରେ ଆବଶ୍ୟକ ପଦକ୍ଷେପ ନିଆନଯାଏ, ତେବେ ଦେଶକୁ ‘ଧର୍ମ ଭିତ୍ତିକ ଅସନ୍ତୁଳନ’ ଏବଂ ‘ବଳପୂର୍ବକ ଧର୍ମାନ୍ତରୀକରଣ’ ଭଳି ସଙ୍କଟର ସାମ୍ନା କରିବା ପାଇଁ ବେଶି ସମୟ ଲାଗିବ ନାହିଁ ବୋଲି ସଂଘ ପ୍ରମୁଖ ମୋହନ ଭାଗବତ  କହିଛନ୍ତି । ଆଜି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ବିଜୟା ଦଶମୀ ଉତ୍ସବ ପାଳନ କରୁଛି । ସଂଘ ମୁଖ୍ୟାଳୟ ପୁଣେରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାଗବତ ଏପରି କହିଛନ୍ତି ।

ଭାଗବତ କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ସହିତ ଧାର୍ମିକ ଆଧାରରେ ଜନସଂଖ୍ୟା ସନ୍ତୁଳନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଯାହାକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ । ଏହାକୁ ସମୟ ଥାଉ ଥାଉ ସଚେତନ ନହୋଇ ଅଣଦେଖା କଲେ ଫଳ ସଙ୍ଗୀନ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟାପକ ବିଚାର ବିମର୍ଶ ସହ ସାମଗ୍ରିକ ଜନସଂଖ୍ୟା ନୀତି ପ୍ରସ୍ତୁତ ହେବା ଉଚିତ ଏବଂ ଏହା ଦେଶର ସମସ୍ତ ନାଗରିକଙ୍କ ପାଇଁ ସମାନ ଭାବରେ ଲାଗୁ କରାଯିବା ଉଚିତ । ଦେଶର ଜନସଂଖ୍ୟା ଯେତେ ଅଧିକ ହେବ, ତାହା ଦେଶର ବିକାଶ ଉପରେ ବୋଝ ସଦୃଶ ।

ଜନସଂଖ୍ୟାକୁ ସଠିକ ଭାବେ ଉପଯୋଗ କରିପାରିଲେ ତାହା ଏକ ସମ୍ବଳ ସଦୃଶ ହୋଇଥାଏ । କିନ୍ତୁ ଅହେତୁକ ବୃଦ୍ଧି ଆଦୌ ଉଚିତ ନୁହେଁ । ଆଗାମୀ 50 ବର୍ଷ ପରେ ଆମ ଦେଶର ଲୋକସଂଖ୍ୟା କେତେ ହୋଇଥିବ ଓ ସେହି ଲୋକସଂଖ୍ୟାକୁ ପଚିଚାଳନା କରିବା ପାଇଁ ଆମ ପାଖରେ ଆବଶ୍ୟକୀୟ ଭିତ୍ତିଭୂମି ଓ ସମ୍ବଳ ଅଛି କି ନାହିଁ ତାହା ଆମକୁ ଏବେ ଠାରୁ ଚିନ୍ତା କରିବାର ଆବଶ୍ୟକତା ରହିଥିବା ଭାଗବତ କହିଛନ୍ତି । ଦେଶର ବର୍ତ୍ତମାନର ସ୍ଥିତିକୁ ନେଇ ଭାଗବତ କହିଛନ୍ତି, ଦେଶ ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ଅଗ୍ରଗତି କରିବାରେ ଲାଗିଛି । ବିଶ୍ବରେ ଭାରତ ପ୍ରତି ବିଶ୍ବସନୀୟତା ମଧ୍ୟ ଅନୁରୂପ ଭାବେ ବଢିବାରେ ମଧ୍ୟ ଲାଗିଛି । ବିକାଶରେ ସମାଜର ସବୁ ବର୍ଗର ସହଯୋଗ ଓ ସକ୍ରିୟ ଭାଗିଦାରୀର ଆବଶ୍ୟକତା ରହିଛି ।

ମହିଳାଙ୍କୁ ବାଦ ଦେଇ ସମାଜରେ ବିକାଶ ଆସିବା ସମ୍ଭବପର ନୁହେଁ । ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ସହ ସ୍ବାବଲମ୍ବୀ କରିବା ପାଇଁ ପ୍ରୟାସ ଜାରି ରଖିବାକୁ ହେବ । ଚଳିତ ବର୍ଷ କାର୍ଯ୍ୟକ୍ରମରେ ସଂଘ ଜଣେ ବିଶିଷ୍ଟ ତଥା ସଫଳ ମହିଳାଙ୍କୁ ଅତିଥି ଭାବେ ନିମନ୍ତ୍ରିତ ମଧ୍ୟ କରିଛି । ପ୍ରଖ୍ୟାତ ମହିଳା ପର୍ବାତରୋହୀ ସନ୍ତୋଷ ଯାଦବ ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସଂଘର କାର୍ଯ୍ୟକ୍ରମରେ ମହିଳାଙ୍କୁ ନିମନ୍ତ୍ରଣ କରିବାର ପରମ୍ପରା ପୁରାତନ ବୋଲି ମଧ୍ୟ ଭାଗବତ କହିଥିଲେ । ତେବେ 2024 ସାଧାରଣ ନିର୍ବାଚନ ପାଖଉଥିବା ବେଳେ ଭାଗବତଙ୍କ ପରୋକ୍ଷ ଇସାରା ଏବେ ଦେଶରେ ଖୁବଶୀଘ୍ର ‘‘ୟୁନିଫର୍ମ ସିଭିଲ କୋଡ’’ ଲାଗୁ ପ୍ରକ୍ରିୟା ଆରମ୍ଭ ଚର୍ଚ୍ଚାକୁ ମଧ୍ୟ ବଳ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking