25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଶ୍ରୀଲଙ୍କାରେ ତେଜିଲା ରାଜନୈତିକ ସଙ୍କଟ: ୨୬ କ୍ୟାବିନେଟ ମନ୍ତ୍ରୀଙ୍କ ସମୂହ ଇସ୍ତଫା

ଶ୍ରୀଲଙ୍କାରେ ତେଜିଲା ରାଜନୈତିକ ସଙ୍କଟ: ୨୬ କ୍ୟାବିନେଟ ମନ୍ତ୍ରୀଙ୍କ ସମୂହ ଇସ୍ତଫା

କଲମ୍ବୋ : ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଘୋଷଣା ହୋଇସାରିଥିବାବେଳେ ରାଜନୈତିକ ସଙ୍କଟ କିନ୍ତୁ ଥମିବାର ନାଁ ନେଉନାହିଁ । ରବିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ କ୍ୟାବିନେଟ୍‌ର ସବୁ ୨୬ ମନ୍ତ୍ରୀ ସମୂହ ଇସ୍ତଫା ଦେଇସାରିଛନ୍ତି । ଅପରପକ୍ଷରେ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ସୋମବାର ୪ ଜଣ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଏମାନେ ସୋମବାର ଶପଥଗ୍ରହଣ କରିଥିବା ଜଣାପଡିଛି । ବାସିଲ ରାଜପକ୍ଷେଙ୍କ ସ୍ଥାନରେ ଅଲ୍ଲୀ ସାବ୍ରିଙ୍କୁ ନୂଆ ଅର୍ଥମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଦିନେଶ ଗୁଣବର୍ଦ୍ଧନାଙ୍କୁ ଶିକ୍ଷାମନ୍ତ୍ରୀ, ଜନଷ୍ଟନ୍ ଫର୍ଣ୍ଣାଣ୍ଡୋଙ୍କୁ ଜାତୀୟ ରାଜପଥ ମନ୍ତ୍ରୀ ଓ ଜି.ଏଲ.ପେଇରିସ୍‌ଙ୍କୁ ବିଦେଶ ମନ୍ତ୍ରୀ ନିଯୁକ୍ତ କରାଯାଇଛି । ନୂତନ କ୍ୟାବିନେଟ ଗଠନ କରାଯିବା ପର୍ଯ୍ୟନ୍ତ ଏହି ୪ ମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି । ଦେଶକୁ ରାଜନୈତିକ ସଙ୍କଟରୁ ଉଦ୍ଧାର କରିବା ନିମନ୍ତେ ସରକାରରେ ସାମିଲ ହେବାକୁ ରାଷ୍ଟ୍ରପତି ଇତିମଧ୍ୟରେ ବିରୋଧୀ ଦଳ ନେତାଙ୍କୁ ଆମନ୍ତ୍ରଣ କରିଛନ୍ତି । ବିଭିନ୍ନ ଅର୍ଥନୈତିକ ଓ ବୈଶ୍ୱିକ କାରଣରୁ ଶ୍ରୀଲଙ୍କାର ଅର୍ଥନୀତି ଭୁଶୁଡି ପଡିଛି । ତେଣୁ ଏକ ଗଣତାନ୍ତ୍ରିକ ଉପାୟରେ ଏହି ସମସ୍ୟାର ସମାଧାନ ନିମନ୍ତେ ଆପଣମାନେ ସରକାରରେ ସାମିଲ ହୁଅନ୍ତୁ ବୋଲି ରାଷ୍ଟ୍ରପତି ବିରୋଧୀ ଦଳ ନେତାଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି । ଜାତୀୟ ସ୍ୱାର୍ଥ ଓ ଦେଶବାସୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଆପଣମାନେ ଏହି ପ୍ରକ୍ରିୟାରେ ସାମିଲ ହେବା ଜରୁରୀ ବୋଲି ପତ୍ରରେ ଦର୍ଶାଯାଇଛି । ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଘୋର ଅଭାବ ସାଙ୍ଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବାରୁ ସହସ୍ରାଧିକ ନାଗରିକ ରାଜରାସ୍ତାକୁ ଓହ୍ଲାଇ ଆସି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଗତ ଗୁରୁବାର ଲୋକେ ରାଷ୍ଟ୍ରପତି ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ୟାପକ ପୋଡାଜଳା କରିଥିଲେ । ଫଳରେ ରାଷ୍ଟ୍ରପତି ଜରୁରୀ ପରିସ୍ଥିତି ଘୋଷଣା କରିବା ସହ ରାଜଧାନୀ କଲମ୍ବୋରେ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରିଥିଲେ । ସୋମବାର ସକାଳେ ଅବଶ୍ୟ ଏହି କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି । କ୍ୟାବିନେଟ୍‌ର ସବୁ ୨୬ ମନ୍ତ୍ରୀ ଇସ୍ତଫା ଦେଇଥିବା ସତ୍ତ୍ୱେ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀଭାବେ କାର୍ଯ୍ୟ କରିବେ ବୋଲି ଜଣାପଡିଛି । ପୁଲିସ ଇତିମଧ୍ୟରେ ପ୍ରାୟ ୯୦୦ ବିକ୍ଷୋଭକାରୀଙ୍କୁ ଗିରଫ କରିସାରିଛି । ଅପରପକ୍ଷରେ ଫେସ୍‌ବୁକ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ୟୁଟ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମ ଉପରେ ଲାଗିଥିବା କଟକଣାକୁ ସୋମବାର ଉଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking