କୋରାପୁଟ: ନନ୍ଦପୁର ଥାନା ଟିକରପଡାର ସୁବାସ ବଡନାୟକ ହତ୍ୟାକାଣ୍ଡ ଘଟଣାର ଆଜି ପୁଲିସ୍ ପର୍ଦ୍ଦାଫାସ୍ କରି ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ତ୍ରୀ ସହ ସୁବାସର ଅନୈତିକ ସମ୍ପର୍କକୁ ନେଇ ସେ ସୁବାସକୁ ହତ୍ୟା କରିଥିବା ଅଭିଯୁକ୍ତ ଚନ୍ଦ୍ର ଖେମୁଣ୍ଡୁ ପୁଲିସ୍ ନିକଟରେ ସ୍ୱୀକାର କରିଥିବା କୋରାପୁଟ ଅତିରିକ୍ତ ଏସପି ବିମଳକାନ୍ତ ବ୍ରହ୍ମା ଆଜି ନନ୍ଦପୁର ଥାନାରେ ଆୟୋଜିତ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଥାଉକି, ଲମତାପୁଟ ବ୍ଲକ୍ ଟିକରପଡା ସରପଞ୍ଚଙ୍କ ଭାଇ ସୁବାସ ବଡନାୟକ ଗତ ୧୬ତାରିଖରୁ ନିଖୋଜ ଥିବା ସୁବାସଙ୍କ ବାପା ଚୈତନ୍ୟ ବଡନାୟକ ୧୮ତାରିଖରେ ନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ଟିକରପଡା ଗ୍ରାମର ଚନ୍ଦ୍ର ଖେମୁଣ୍ଡୁଙ୍କ ଘର ପଛ ପାଖ କାଜୁ ଜଙ୍କଲ ନିକଟରେ ଏକ ମୃତଦେହ ପୋତା ଯାଇଥିବା ଖବର ୨୭ ତାରିଖରେ ପୁଲିସକୁ ଖବର ମିଳିଥିଲା । ସାଇଣ୍ଟିଫିକ୍ ଟିମ୍ ସହ ନନ୍ଦପୁର ଏସ୍ଡିପିଓ ସଂଜୟ କୁମାର ମହାପାତ୍ର, ଥାନା ଅଧିକାରୀ କପିଳେଶ୍ୱର ବେହେରା ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଉଦ୍ଧାର କରିବା ସହ ଚନ୍ଦ୍ର ଖେମୁଣ୍ଡୁକୁ ଥାନାକୁ ଆଣି ଜେରା କରିଥିବାବେଳେ ତା ସ୍ତ୍ରୀ ସହ ସୁବାସର ଅନୈତିକ ସମ୍ପର୍କ ରହିଥିଲା ଓ ଘଟଣା ଦିନ ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି ସେ ସୁବାସକୁ ହତ୍ୟା କରିଥିବା ଅଭିଯୁକ୍ତ ଚନ୍ଦ୍ର ଖେମୁଣ୍ଡୁ ପୁଲିସକୁ କହିଥିବା ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି । ପରବର୍ତ୍ତି ସମୟରେ ସ୍ତ୍ରୀ ସହାୟତାରେ ଚନ୍ଦ୍ର ସୁବାସର ମୃତଦେହକୁ ଘର ପଛପାଖେ ପୋତି ଦେଇଥିବା ତଦନ୍ତ ସମୟରେ ଜଣାପଡିଛି । ଚନ୍ଦ୍ର ବିରୁଦ୍ଧରେ ଆଇପିସି ୩୦୨ରେ କୋର୍ଟ ଚାଲାଣ କରା ଯାଇଥିବାବେଳେ ଚନ୍ଦ୍ରର ସ୍ତ୍ରୀ ବର୍ତ୍ତମାନ ଫେରାର ରହିଥିବା ଓ ତା ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଥିବା ଅତିରିକ୍ତ ଏସ୍ପି ଶ୍ରୀ ବ୍ରହ୍ମା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ନନ୍ଦପୁର ଏସ୍ଡିପିଓ ସଂଜୟ ମହାପାତ୍ର, ଥାନା ଅଧିକାରୀ କପିଳେଶ୍ୱର ବେହେରା ଉପସ୍ଥିତ ଥିଲେ ।