33.1 C
Bhubaneswar
Monday, May 6, 2024
Homeଅପରାଧନକଲି ପୁଲିସ ଗ୍ୟାଙ୍ଗର ୭ ଜଣଙ୍କୁ ଧରିଲା ପୁଲିସ; ୩.୫୦ ଲକ୍ଷ ଟଙ୍କା ଜବତ

ନକଲି ପୁଲିସ ଗ୍ୟାଙ୍ଗର ୭ ଜଣଙ୍କୁ ଧରିଲା ପୁଲିସ; ୩.୫୦ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଗତ ୩ ମାସ ହେଲା ରାଜଧାନୀରେ ଲୁଟ୍‌ର ଆତଙ୍କ ରଚାଇଥିଲେ ନକଲି ପୁଲିସ ଗ୍ୟାଙ୍ଗା । ସେମାନଙ୍କ ଟାର୍ଗେଟ୍ ରହୁଥିଲା ରାଜଧାନୀର ବରିଷ୍ଠ ନାଗରିକ, ବିଜିନେସ୍ ମ୍ୟାନ ଓ ସରକାରୀ ଚାକିରିଆ । ଗତ ୩ ମାସ ହେଲା ନିଜକୁ ପୁଲିସ କହି ଲୋକଙ୍କୁ ବିଭିନ୍ନ ଧମକଚମକ ଦେଇ ଲୁଟୁଥିବା ସେହି ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫମାନେ ହେଲେ ମଧ୍ୟପ୍ରଦେଶର ସାଡେକ୍ ହୁସେନ (ଗ୍ୟାଙ୍ଗ ମୁଖ୍ୟ)(୫୬), ସବିର ଅଲି(୩୩), ଫାୟାଜ ହୁସେନ୍‌(୩୬), ହାସନ ଅଲି(୨୦), ଅବୁଜାର ଅଲି (୨୩), ଜାହିର ଅଲି(୩୪) ଏବଂ ରାଜେନ୍ଦ୍ର କୁମାର କୁଶବାହା(୩୨) ।
ସୂଚନାଯୋଗ୍ୟ. ଗତ ୧୯ ତାରିଖରେ ରାଜମହଲ ଛକରେ ଏହି ଗ୍ୟାଙ୍ଗ୍ ଦିନ ଦିପହରରେ ଏକ ବଡ଼ଧରଣର ଲୁଟ୍ କରିଥିଲା । ବାଲିପାଟଣା ବନମାଳୀପୁର ଅଞ୍ଚଳର ଯୁବ ବ୍ୟବସାୟୀ ସମ୍ବିତ ସାହୁଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଇଥିଲା ଏହି ଗ୍ୟାଙ୍ଗ୍ । ସମ୍ବିତ ଏକ ଗହଣା ଦୋକାନକୁ ଯାଉଥିବା ବେଳେ ଏହି ଗ୍ୟାଙ୍ଗ୍ ତାଙ୍କୁ ଘେରି ଯାଇଥିଲା । ନକଲି ଆଇ-କାର୍ଡ ଦେଖାଇ ସେମାନେ ପୁଲିସ ବୋଲି କହିଥିଲେ । ବ୍ୟାଗ୍‌ରେ ଗଞ୍ଜେଇ ରଖିଛ କହି ସମ୍ବିତଙ୍କୁ ଧମକାଇଥିଲେ । ସେ ଭୟରେ ସେମାନଙ୍କ ହାତକୁ ଯାଞ୍ଚ କରିବାକୁ ବ୍ୟାଗ୍ ବଢ଼ାଇ ଦେଇଥିଲେ । ବ୍ୟାଗ୍‌ରୁ ୫୦୦ ଟଙ୍କିଆ ୪ ବିଡ଼ା ନୋଟ୍‌କୁ ଧରିପକାଇ ସେମାନେ ଥାନାକୁ ଚାଲ ବୋଲି ସମ୍ବିତଙ୍କୁ କହିଥିଲେ । ୪ ଜଣ ୨ ବାଇକ୍‌ରେ ଓ ଅନ୍ୟ ୩ ଜଣ ଏକ ସ୍ୱିଫ୍‌ଟ କାରରେ ମାଷ୍ଟରକ୍ୟାଣ୍ଟିନ୍ ଛକ ଦିଗରେ ପଳାଇଥିଲେ ଏବଂ ଆଖି ପିଛୁଳାକେ ସେଠାରୁ ଚାଲିଯାଇଥିଲେ । ସମ୍ବିତ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ସେମାନଙ୍କୁ ଚିହ୍ନଟ କରିବାକୁ ଲାଗିପଡ଼ିଥିଲା । ସେହି ଭଳି ବରିଷ୍ଠ ନାଗରିକମାନ ସକାଳେ ଏବଂ ସନ୍ଧ୍ୟାରେ ଚାଲିବା ସମୟରେ ସେମାନଙ୍କଠାରୁ ସୁନାଗହଣା ଛିନତାଇ କରି ଏହି ଗ୍ୟାଙ୍ଗ ନେଇଯାଉଥିଲେ ବୋଲି ସହୀଦନଗର ଏବଂ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ କଟକ ମାଲଗୋଦାମ ଥାନା ଓ ବାଦାମବାଡ଼ି ଥାନା ଅଞ୍ଚଳରେ ଏଭଳି ୨ଟି ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ୧୮ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ବ୍ୟବସାୟୀ ଶିବୁ ବିଶ୍ୱାସଙ୍କଠାରୁ ଏହି ଗ୍ୟାଙ୍ଗ୍ ୨.୭୩ ଲକ୍ଷ ଟଙ୍କା ଲୁଟିନେଇଥିଲା । ଶିବୁଙ୍କ ବ୍ୟାଗ୍‌ରେ ନିଶାସାମଗ୍ରୀ ଅଛି, ଯାଞ୍ଚ କରାଯିବ ବୋଲି କହି ଟଙ୍କା ଲୁଟିନେଇଥିଲେ । ସେହିଭଳି ବାଦାମବାଡ଼ି ଥାନା ଅଞ୍ଚଳରୁ ଜଣେ ଫେରିବାଲାଙ୍କୁ ପୁଲିସ ଧମକ ଦେଇ ଏହି ଗ୍ୟାଙ୍ଗ୍ ଲୁଟିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରିବା ଆରମ୍ଭ କରିଦେଇଥିଲା । କମିଶନରେଟ ପୁଲିସର ପ୍ରାୟ ୮ଟି ଥାନା ଅଞ୍ଚଳରୁ ୧୧ରୁ ଅଧିକ ଲୁଟ୍ କରି କମିସନରେଟ୍ ପୁଲିସର ନିଦ ହଜାଇଦେଇଥିବା ଏହି ଗ୍ୟାଙ୍ଗ୍‌କୁ ଠାବ କରିବା ପରେ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଘନଘନ ଜେରା କରାଯାଇଥିଲା । ସେହିଭଳି ମଧ୍ୟପ୍ରଦେଶ ପୁଲିସ ସହ ଯୋଗାଯୋଗ କରାଯାଇ ସେମାନଙ୍କ କ୍ରିମିନାଲ ରେକର୍ଡ ମଗାଯାଇଛି । ପୁଲିସ ପରିଚୟ ଦେଇ କଟକ-ଭୁବନେଶ୍ୱରରେ ଘୁରି ବୁଲୁଥିବା ଏହି ଲୁଟେରା ଗ୍ୟାଙ୍ଗ୍‌କୁ ଠାବ କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ସାଧାରଣରେ ପୁଲିସର ଛବି ଖରାପ ହେଉଥିଲା । ତେଣୁ ତୁରନ୍ତ ସେମାନଙ୍କୁ କାବୁ କରିବାକୁ କମିସନରେଟ୍ ପୁଲିସର ସ୍ପେସାଲ୍ ସ୍କ୍ୱାର୍ଡ୍ ସମେତ ବିଭିନ୍ନ ଟିମ୍ ଲାଗିପଡ଼ିଥିଲା । ପ୍ରଥମେ ଏହି ଗ୍ୟାଙ୍ଗ୍‌ର ୨ ଜଣଙ୍କୁ ଖଣ୍ଡଗିରି ଥାନା ଅଞ୍ଚଳରୁ କାବୁ କରାଯାଇଥିଲା । ସେମାନେ କ୍ୟାପିଟାଲ ଥାନା, ଖାରବେଳନଗର, ନୂଆପଲ୍ଲୀ, ସହିଦନଗର ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଲୁଟ୍‌ପାଟ୍ କରିଥିବା ପ୍ରମାଣ ମିଳିଛି । ବଡ଼ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ନିକଟରେ ଛକି ରହି କାହାକୁ ଶିକାର କରିବେ, ସେହି ଅପେକ୍ଷାରେ ରହୁଥିଲେ । ବିଶେଷକରି ସାଧାରଣ ସ୍ୱଭାବର ଲୋକଙ୍କୁ ଦେଖି ସେମାନେ ଟାର୍ଗେଟ୍ କରୁଥିଲେ । ସେହିଭଳି ପାହାଳ ଥାନା ଅଞ୍ଚଳରୁ ୨ ଜଣଙ୍କୁ ଏବଂ ଅନ୍ୟ ୩ ଜଣଙ୍କୁ ରାଜଧାନୀ ଭିତରୁ ଠାବ କରାଯାଇଥିଲା । ପୁଲିସ ସେମାନଙ୍କୁ ଧରିବା ପରେ ବିଭିନ୍ନ ଦିଗକୁ ନେଇ ଜେରା କରିବା ପରେ ଆଜି କୋର୍ଟ ଚାଲାଣ କରିଛି । ସେମାନଙ୍କଠାରୁ ୩ ଲକ୍ଷ ୫୦ ହଜାର ଟଙ୍କା, ସୁନାଗହଣା, ଗୋଟିଏ କାର, ୨ ବାଇକ, ନକଲି ପୁଲିସ ଆଇ-କାର୍ଡ, ସନ୍‌ଗ୍ଲାସ୍ ଏବଂ ୬ଟି ମୋବାଇଲ ଫୋନ ଜବତ କରିଛି କମିଶନରେଟ ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking