ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନ ଠାରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ସହକାରୀ ସଚିବ ଭାବେ ନିୟୋଜିତ ୨୦୨୨ ବ୍ୟାଚ୍ର ୧୮୧ ଜଣ ଶିକ୍ଷାନବୀସ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ବିଭିନ୍ନ ଅଧିକାରୀ ସେମାନଙ୍କ ପ୍ରଶିକ୍ଷଣର ଅଭିଜ୍ଞତାକୁ ପ୍ରଧାନମନ୍ତ୍ରୀଙ୍କ ସହ ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ୨୦୨୨ର ପ୍ରଶିକ୍ଷଣ ଆରମ୍ଭ ସମୟରେ ସେମାନଙ୍କ ସହ ସେ (ମୋଦୀ) କରିଥିବା ପୂର୍ବ ଆଲୋଚନାକୁ ସେମାନଙ୍କୁ ସ୍ମରଣ କରାଇଥିଲେ । ମୋଦୀ କହିଥିଲେ ଯେ, ପ୍ରଶାସନିକ ପିରାମିଡର ଉପରୁ ତଳ ପର୍ଯ୍ୟନ୍ତ ଯୁବ ଅଧିକାରୀମାନଙ୍କୁ ଅଭିଜ୍ଞତାମୂଳକ ଶିକ୍ଷାର ସୁଯୋଗ ପ୍ରଦାନ କରିବା ହେଉଛି ଏହା ପଛର ଉଦ୍ଦେଶ୍ୟ ।
ପ୍ରଧାନମନ୍ତ୍ରୀ ନିଜ ମତବ୍ୟକ୍ତ କରି କହିଛନ୍ତି ଯେ, ନୂତନ ଭାରତ ଅବହେଳିତ ଆଭିମୁଖ୍ୟରେ ସନ୍ତୁଷ୍ଟ ନୁହେଁ ଏବଂ ଏହା ଅଧିକ ସକ୍ରିୟତା ଆବଶ୍ୟକ କରେ । ସେମାନେ ସମସ୍ତ ନାଗରିକଙ୍କୁ ସର୍ବୋତ୍ତମ ସମ୍ଭବ ଶାସନ, ଉତ୍ପାଦନର ଗୁଣବତ୍ତା ଓ ଜୀବନର ଗୁଣବତ୍ତା ପ୍ରଦାନ କରିବାକୁ ପ୍ରୟାସ କରିବା ଉଚିତ । ଲଖପତି ଦିଦି, ଡ୍ରୋନ୍ ଦିଦି, ପିଏମ୍ ଆବାସ ଯୋଜନା ଆଦି ଯୋଜନା ସମ୍ପର୍କରେ ମୋଦୀ କହିଛନ୍ତି ଯେ, ଏହି ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବା ଉଚିତ୍ । ନିଷ୍ଠା ମନୋଭାବ ତଥା ଆଭିମୁଖ୍ୟ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିଥାଏ ଏବଂ ଭେଦଭାବକୁ ରୋକିଥାଏ । ସେହିପରି ସେବା ଯୋଗାଣ କ୍ଷେତ୍ରରେ ବର୍ତ୍ତମାନ ସେମାନେ ଧୀର ଗତିରେ ଚାଲିବେ (ସ୍ପିଡ୍ ବ୍ରେକର ହେବେ) ନା ଦ୍ରୁତ ଗତିରେ ଦୌଡ଼ିବାର ରାଜପଥ (ସୁପରଫାଷ୍ଟ ହାଇୱେ) ହେବେ, ତାହା ସେମାନଙ୍କ ରୁଚି ଉପରେ ନିର୍ଭର କରେ ବୋଲି ମଧ୍ୟ ମୋଦୀ ଚେତାଇଛନ୍ତି । ଜଣେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ସଦାସର୍ବଦା ଉତ୍ପ୍ରେରକ ମାଧ୍ୟମ ହେବାର ଇଚ୍ଛା ରଖିବା ଉଚିତ୍ ଏବଂ ଯେତେବେଳେ ସେମାନେ ସେମାନଙ୍କ ଆଖି ସାମ୍ନାରେ କିଛି ପରିବର୍ତ୍ତନ ଘଟୁଥିବା ଦେଖିବେ, ସେତେବେଳେ ସେମାନେ ନିଶ୍ଚିତ ଭାବେ ଆତ୍ମସନ୍ତୁଷ୍ଟ ଅନୁଭବ କରିବେ ।
ମୋଦୀ ଏହି ନୂଆ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ରାଷ୍ଟ୍ର ପ୍ରଥମ କେବଳ ଏକ ନାରା ନୁହେଁ, ବରଂ ତାଙ୍କ ଜୀବନର ଲକ୍ଷ୍ୟ । ତାଙ୍କର ଏହି ଲକ୍ଷ୍ୟ ତଥା ଏହି ଯାତ୍ରାରେ ତାଙ୍କ ସହ ଚାଲିବାକୁ ଅଧିକାରୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ଆଇଏଏସ୍ ଭାବେ ମନୋନିତ ହେବା ପରେ ସେମାନେ ଯେଉଁ ପ୍ରଶଂସା ପାଇଛନ୍ତି, ତାହା ଅତୀତର କଥା ଏବଂ ସେମାନେ ଅତୀତରେ ରହିବା ପରିବର୍ତ୍ତେ ଭବିଷ୍ୟତ ଆଡ଼କୁ ଆଗେଇ ଚାଲିବା ଉଚିତ ବୋଲି ମୋଦୀ କହିଥିଲେ । ଆଲୋଚନା ଚକ୍ରରେ ରାଷ୍ଟ୍ର ମନ୍ତ୍ରୀ (କାର୍ମିକ) ଜିତେନ୍ଦ୍ର ସିଂହ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପିକେ. ମିଶ୍ର, କ୍ୟାବିନେଟ୍ ସଚିବ ରାଜୀବ ଗଉବା ଏବଂ ସଚିବ (ଗୃହ ଓ ଡିଓପିଟି) ଏ.କେ.ଭଲ୍ଲା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।