ଭୁବନେଶ୍ୱର: ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଚିହ୍ନଟ । ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ନେଇ ସୂଚନା ରହିଛି । ୨୩ ତାରିଖ ସକାଳେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ, ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ଛୁଇଁବ । ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ତେବେ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବାରୁ ଉଦୟପୁର କୀର୍ତ୍ତିଆନରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କଲା ମତ୍ସ୍ୟ ବିଭାଗ । ୨୩ ତାରିଖ ଯାଏଁ ସମୁଦ୍ର ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି, ଚନ୍ଦନେଶ୍ୱର ମତ୍ସ୍ୟ ଅଧିକାରୀ ଅନନ୍ତ ଜେନା । ମତ୍ସ୍ୟଜୀବୀ ମାନଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ଚନ୍ଦନେଶ୍ୱର ମତ୍ସ୍ୟବିଭାଗ ପକ୍ଷରୁ ସଚେତନ କରାଯାଉଛି । ମାଛଧରା ଜାଲ ଓ ଡଙ୍ଗା ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ କୁହାଯାଇଛି । ନିର୍ଦ୍ଦେଶ ନମାନି ମତ୍ସ୍ୟଜୀବି ସମୁଦ୍ରକୁ ଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ ଗଭୀର ଅବପାତ ଯୋଗୁଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜିଠୁ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହେବ । ମଙ୍ଗଳବାରଠୁ ପ୍ରବଳ ବର୍ଷିବ । ସୋମବାର ଓ ମଙ୍ଗଳବାର ପାଇଁ ଅରେଞ୍ଜ ୱାଣ୍ଣିଂ ରହିଛି । ୨୩ ଓ ୨୪ ତାରିଖରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରେଡ ୱାର୍ଣ୍ଣିଂ ରହିଛି । ୨୩ ଓ ୨୪ ତାରିଖରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି ।










