ଭୁବନେଶ୍ୱର: ଆଞ୍ଚଳିକ ବାୟୁପଥ ଯୋଗାଯୋଗ ଯୋଜନା ଉଡ଼ାନ୍ ଫ୍ଲାଇଟ୍ ଚଳାଚଳ ନିମନ୍ତେ ଅମର୍ଦା ରୋଡ୍ ଏୟାର୍ଷ୍ଟ୍ରିପ୍ ବ୍ୟବହାର ପାଇଁ ଅନୁମତି ଦେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ସରକାରଙ୍କ ସାମରିକ ମନ୍ତ୍ରଣାଳୟ ଶାସନ ସଚିବ ଡ଼ଃ ଅଜୟ କୁମାରଙ୍କୁ ଅନେୁରାଧ କରିଛନ୍ତି । ଏହି ଏୟାର ଷ୍ଟ୍ରିପ୍କୁ ବିମାନ ଚଳାଚଳ ହେଲେ ଉତ୍ତର ଓଡ଼ିଶାରେ ଥିବା ପର୍ଯ୍ୟାପ୍ତ ପର୍ଯ୍ୟଟନ ସମ୍ଭାର ବିକଶିତ ହେବା ସହିତ ଆର୍ଥିକ କାର୍ଯ୍ୟକଳାପ, ବେପାର ବଣିଜ ଏବଂ ଶିଳ୍ପର ବିକାଶ ହେବ ବୋଲି ମୁଖ୍ୟ ସଚିବ ଯୁକ୍ତି ବାଢ଼ିଛନ୍ତି । ରାଜ୍ୟ ସରକାରଙ୍କ ଯୁକ୍ତିର ଯଥାର୍ଥତା ଅନୁଭବ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଭୁବନେଶ୍ୱର-ଅମର୍ଦା ରୋଡ୍କୁ ଉଡାନ୍ ୪.୧ ଯୋଜନାରେ ଏକ ସ୍ୱତନ୍ତ୍ର ରୁଟ୍ ଭାବେ ସାମିଲ କରିଛନ୍ତି । ଏଥିପାଇଁ ଏୟାର ଲାଇନ୍ ଅପରେଟର ମଧ୍ୟ ଚୟନ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ୯ ସିଟ୍ କ୍ଷମତା ବିଶିଷ୍ଟ ବିମାନ ସପ୍ତାହରେ ୭ ଥର ଉଡ଼ାନ୍ ଭରିବାର ବ୍ୟବସ୍ଥା ରହିଛି । ଏହି ଏୟାର ଷ୍ଟ୍ରିପ୍ ବ୍ୟବହାର ନିମନ୍ତେ ଡିଆର୍ଡିଓଙ୍କ ଅନୁମତି ଆବଶ୍ୟକ । ରାଜ୍ୟ ସରକାର ଏଥିପାଇଁ ପୂର୍ବରୁ ଡିଆର୍ଡିଓଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଅନୁମତି ମିଳିନାହିଁ । ସୂଚନାଯୋଗ୍ୟ, ଏହି ଏୟାର୍ଷ୍ଟ୍ରିପ୍ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରଠାରେ ରହିଛି ।
ଏଠାକୁ ବାୟୁପଥ ଯୋଗାଯୋଗ ଫଳରେ ଶିମିଳିପାଳ ଜାତୀୟ ପାର୍କ, କୁଳଡ଼ିହା ଅଭୟାରଣ୍ୟ, ଚାନ୍ଦିପୁର ଏବଂ ତଳସାରି ବେଳାଭୂମି ଆଦି ଅଞ୍ଚଳରେ ଥିବା ପର୍ଯ୍ୟଟନ-ସମ୍ଭାର ଅଧିକ ବିକଶିତ ହେବ । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏହି ପଥରେ ବିମାନ ଚଳାଚଳ ନିମନ୍ତେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମାଧ୍ୟମରେ ଲଗାତର ଭାବେ ଯୋଗାଯୋଗ କରୁଛନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ।
ଉଡ଼ାନ୍ ଯୋଜନାରେ ଅଧିକରୁ ଅଧିକ ଏୟାର୍ଷ୍ଟ୍ରିପ୍ ସାମିଲ୍ କରି ଦେଶରେ ବିମାନ ଯୋଗାଯୋଗର ବ୍ୟାପକ ସଂପ୍ରସାରଣ ନିମନ୍ତେ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଡ଼ଃ ଉଷା ପାଢ଼ୀ ପ୍ରୟାସ ଜାରି ରଖିଛନ୍ତି । ତାଙ୍କର ଏହି ପ୍ରୟାସ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ମଧ୍ୟ ଆଞ୍ଚଳିକ ବିମାନ ଯୋଗାଯୋଗ ସମ୍ଭବ ହୋଇପାରିଛି । ରାଜ୍ୟର ପ୍ରକୃତି-ପର୍ଯ୍ୟଟନର ବ୍ୟାପକ ବିକାଶ ଦିଗରେ ସର୍ବଦା ପ୍ରୟାସରତ ଥିବା ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କର କେନ୍ଦ୍ରୀୟ ସଚିବଙ୍କୁ ଏହି ଅନୁରୋଧ ପରେ ଡିଆର୍ଡିଓରୁ ତୁରନ୍ତ ଅନୁମତିପତ୍ର ମିଳିବା ଆଶା ଉଜ୍ୱଳ ହୋଇଛି ।