29.1 C
Bhubaneswar
Monday, May 11, 2026
Homeଓଡିଶାଆୟୁଷ୍ମାନ ଯୋଜନାରେ ଲୋକେ ହନ୍ତସନ୍ତ ହେଉଛନ୍ତି, ରୂପରେଖ ଓ କାର୍ଯ୍ୟକାର୍ଯ୍ୟକାରିତା ବଦଳୁ: ଭକ୍ତ

ଆୟୁଷ୍ମାନ ଯୋଜନାରେ ଲୋକେ ହନ୍ତସନ୍ତ ହେଉଛନ୍ତି, ରୂପରେଖ ଓ କାର୍ଯ୍ୟକାର୍ଯ୍ୟକାରିତା ବଦଳୁ: ଭକ୍ତ

ଭୁବନେଶ୍ବର: ଓଡ଼ିଶାରେ ବିଜେପି ଶାସନକୁ ଆସିବା ପରେ ଅନ୍ୟ ରାଜ୍ୟମାନଙ୍କ ପରି ଆମ ରାଜ୍ୟକୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ କଲେ। ତେବେ ପୂର୍ବର ବିଜେଡି ସରକାରଙ୍କ ବିଏସ୍‌କେୱାଇରେ ଯେଉଁସବୁ ଅସୁବିଧା ଥିଲା, ତାହା ଆୟୁଷ୍ମାନ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ବହୁଗୁଣିତ ହୋଇଛି ସିନା, ରାଜ୍ୟବାସୀଙ୍କର କୌଣସି ଲାଭ ହୋଇନାହିଁ। ଲୋକେ ମହଙ୍ଗାରୁ ଯାଇ କାନ୍ତାରରେ ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ପ୍ରକାଶ କରିଛନ୍ତି। ଆଜି କଂଗ୍ରେସ ଭବନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଦାସ କହିଛନ୍ତି, ବିଏସ୍‌କେୱାଇ ପରିସରଭୁକ୍ତ ହସପିଟାଲ ସଂଖ୍ୟା ମାତ୍ର ୯୦୦ରେ ସୀମିତ ଥିଲାବେଳେ ଆୟୁଷ୍ମାନ ଯୋଜନାରେ ସାମିଲ ହେଲେ ରାଜ୍ୟବାସୀଙ୍କୁ ଦେଶବ୍ୟାପୀ ୨୯ ହଜାର ବଡ଼ବଡ଼ ହସପିଟାଲରେ ସ୍ବାସ୍ଥ୍ୟସେବା ମିଳିବ ବୋଲି କୁହାଯାଇଥିଲା। ପରିବାର ପିଛା ବର୍ଷକୁ ୫ ଲକ୍ଷ ଟଙ୍କା, ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା। ମୋଟ୍ ୧.୦୩ କୋଟି ପରିବାରର ୩.୪୬ କୋଟି ଲୋକ (ରାଜ୍ୟ ଜନସଂଖ୍ୟାର ପ୍ରାୟ ୮୦%) ବୋଲି କୁହାଯାଇଥିଲା। ୬୦:୪୦ ଆନୁପାତିକ ଭିତ୍ତିରେ କେନ୍ଦ୍ର ସରକାର ୬୭.୮ ଲକ୍ଷ ପରିବାରର ଦାୟିତ୍ବ ନେବେ ବୋଲି ଘୋଷଣା କରାଯାଇଥିଲା। ରାଜ୍ୟ ବାହାରେ ମଧ୍ୟ ଏହି ସ୍ବାସ୍ଥ୍ୟସେବା ଉପଲବ୍‌ଧ ହେବାକୁ ଥିବାରୁ ଲୋକେ ଏହାକୁ ନେଇ ବହୁତ ସ୍ବପ୍ନ ଦେଖିଥିଲେ। ହସପିଟାଲରେ ଭର୍ତ୍ତି ପୂର୍ବରୁ ଓ ପରେ କିଛି ଆନୁଷଙ୍ଗିକ ସୁବିଧା, ପରିବାରର ଆକାର ନିର୍ବିଶେଷରେ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ଅଥଚ ବର୍ଷେ ମଧ୍ୟରେ ଏହାର କାର୍ଯ୍ୟକାରିତାକୁ ଅନୁଧ୍ୟାନ କଲେ ନିରାଶ ହେବାକୁ ପଡ଼ୁଛି ବୋଲି ଶ୍ରୀ ଦାସ କ୍ଷୋଭପ୍ରକାଶ କରିଛନ୍ତି। ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ହିଁ ତ୍ରୁଟିପୂର୍ଣ୍ଣ ରହିଛି; ଓଟିପି ଟାଇମ୍‌-ଆଉଟ, ଆଧାର ବିଫଳତା, ଫଟୋ ଅପ୍‌ଲୋଡ୍‌ରେ ଅସୁବିଧା ଓ ପୁନଃ-ପଂଜୀକରଣରେ ବିଳମ୍ବ ଆଦି ରୋଗୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି। ଦାମୀ ଚିକିତ୍ସା ବିଳମ୍ବିତ ହେବା, କ୍ଲେମ୍-ସେଟଲମେଣ୍ଟ ବିଳମ୍ବିତ ହେବା, ମୋଟ ଚିକିତ୍ସା ଖର୍ଚ୍ଚ ସୁବିଧା ବିଏସ୍‌କେୱାଇ ଅପେକ୍ଷା ୧୫-୨୦% କମ୍ ହେବା ଦ୍ବାରା କାହାର ଲାଭ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବିଏସ୍‌କେୱାଇରେ ଥିବା ନୋଡାଲ ଅଫିସର ପ୍ରତ୍ୟାହାର ହେବାଦ୍ବାରା ଅସୁବିଧା ଦ୍ବିଗୁଣିତ ହେଲା। ଜଟିଳ ଆୟୁଷ୍ମାନ ଢାଞ୍ଚାକୁ ଚଲାଇବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ଲୋକବଳର ଅଭାବ ସାଙ୍ଗକୁ ନିଅଣ୍ଟିଆ ବଜେଟ ସମସ୍ୟା ସୃଷ୍ଟି କରୁଛି। ଅନେକ ବିଷୟରେ ଚିକିତ୍ସା ସୁବିଧା ଦିଆଯାଉନାହିଁ, ଡାଇଗ୍ନୋସିସ ଓ ଔଷଧ ଆଦିରେ ଏବେ ବି ପକେଟ୍‌ରୁ ଖର୍ଚ୍ଚ କରିବାକୁ ପଡ଼ୁଛି। ଜରୁରୀକାଳୀନ ସେବାପାଇଁ ଆଇସିୟୁ, ଭେଣ୍ଟିଲେଟର ଉପଲବ୍‌ଧ ହେବାରେ ଅଗ୍ରାଧିକାର ମିଳେନାହିଁ। ତେଣୁ ଏହା ଏକ ଜନସ୍ବାର୍ଥ ବିରୋଧୀ ନୀତି ବୋଲି ଶ୍ରୀ ଦାସ ଅଭିହିତ କରିଛନ୍ତି।

ଅନ୍ୟପକ୍ଷରେ ସିଏଜି ରିପୋର୍ଟରେ ମଧ୍ୟ ଅନେକ ପ୍ରତିକୂଳ ମନ୍ତବ୍ୟ ରହିଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଯାଞ୍ଚ ପ୍ରକ୍ରିୟା ଅଭାବରୁ ଆର୍ଥିକ ହେରଫେର, ଓଭରବିଲିଂ ଓ ମିଛ କ୍ଲେମ୍‌ (ଏଆଇ ନିୟୋଜିତ ହେରଫେର) ନିତିଦିନିଆ ହୋଇଛି। ଗୋଟିଏ ଆଧାରରେ ଏକାଧିକ ଅବାସ୍ତବ ହିତାଧିକାରୀ ଲାଭାନ୍ବିତ ଦର୍ଶାଇ ଅର୍ଥ ଚଳୁ କରାଯାଇଛି। ଗୋଟିଏ ମୋବାଇଲ ନମ୍ବରରେ ୭.୫ ଲକ୍ଷ ହିତାଧିକାରୀଙ୍କ ନାମ ଥିବା ଦର୍ଶାଇଥିଲେ ସିଏଜି। ଗୋଟିଏ ଗୋଟିଏ ପରିବାରରେ ୧୧-୨୦୦ ସଦସ୍ୟ ଥିବା ମଧ୍ୟ ଦର୍ଶାଯାଇଛି ବୋଲି ସିଏଜି ଦର୍ଶାଇଛନ୍ତି। ମୃତକଙ୍କୁ ରୋଗୀ ଦର୍ଶାଇ ଅର୍ଥ ଚଳୁ କରାଯାଇଛି। ହସପିଟାଲରେ ମୃତ୍ୟୁ ପରେ ମଧ୍ୟ ରୋଗୀଙ୍କ ନାମରେ ନୂଆ ଚିକିତ୍ସା ଦର୍ଶାଯାଇଛି। ହସପିଟାଲରୁ ଡିସ୍‌ଚାର୍ଜ ପରେ ଅସ୍ତ୍ରୋପଚାର ଦର୍ଶାଯାଇଛି। ହସପିଟାଲରେ ଭର୍ତ୍ତି ତାରିଖ ପୂର୍ବରୁ ସେହି ହସପିଟାଲରୁ ଡିସ୍‌ଚାର୍ଜ ହୋଇଥିବା ତାରିଖ ସଂଖ୍ୟା ମଧ୍ୟ କମ୍ ନୁହେଁ। ଅନେକ ପଂଜୀକୃତ ହସପିଟାଲରେ ସର୍ବନିମ୍ନ ଭିତ୍ତିଭୂମି, ଉପକରଣାଦି ଓ ମେଡିକାଲ ଷ୍ଟାଫ୍ ନ ଥିବା ସିଏଜି ନିଜ ରିପୋର୍ଟରେ ଦର୍ଶାଇଛନ୍ତି।ଅଗ୍ନିଶମ, ବାୟୋ-ମେଡିକାଲ ବର୍ଜ୍ୟ ପରିଚାଳନା, ପ୍ରଦୂଷଣ ଆଦି ପାଇଁ ବାଧ୍ୟତାମୂଳକ ବ୍ୟବସ୍ଥା ନ ଥିବା ଅନେକ ହସପିଟାଲ ଏହି ଆୟୁଷ୍ମାନ ତାଲିକାରେ ସ୍ଥାନ ପାଇଛନ୍ତି।ଜାତୀୟ ସ୍ତରରେ ୧ ଲକ୍ଷ ୨୧ ହଜାର କୋଟି ଟଙ୍କା ପଇଠ ହୋଇପାରିନାହିଁ; ବକେୟା ରହିଛି। ଓଡ଼ିଶାରେ ୨ ହଜାର ୩୪ କୋଟି ଟଙ୍କା ଦେୟ ବକେୟା ରହିଛି। ସିଏଜିର ରିପୋର୍ଟକୁ ଗୁରୁତ୍ବ ଦେଇ କାର୍ଯ୍ୟାନୁଷ୍ଠାନ କରିବାକୁ ଶ୍ରୀ ଦାସ ଦାବି କରିଛନ୍ତି।

ଶ୍ରୀ ଦାସ ଆହୁରି କହିଛନ୍ତି, ଏହି ଯୋଜନା ଦ୍ବାରା ସରକାର ନୈତିକତାର ହତ୍ୟା କରିଛନ୍ତି। ସବୁ ବର୍ଗର କେବଳ ୭୦ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ସାମିଲ କରିବା ଯୋଗୁଁ ଅସନ୍ତୋଷ ଦେଖାଯାଇଛି। ଘରୋଇ ହସପିଟାଲ ଉପରେ ମାତ୍ରାଧିକ ନିର୍ଭରଶୀଳତା ଏକ ପୁଂଜୀବାଦୀ ବିଚାର। ଲଗାମଛଡ଼ା ଘରୋଇ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ସରକାରୀ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ଶୁଣାଣିର ବ୍ୟବସ୍ଥା ନାହିଁ। ଢାଞ୍ଚାଗତ ଓ କାର୍ଯ୍ୟକାରିତାରେ ପରିବର୍ତ୍ତନ ନ ଆଣିଲେ, କେବଳ ରାଜ‌ନୈତିକ ସ୍ଥିରତା ଉପରେ ନିର୍ଭରଶୀଳ ଏହି ଯୋଜନା ଯେ କୌଣସି ମୁହୂର୍ତ୍ତରେ ବନ୍ଦ ହେବାନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଯୋଜନା ଯୋଗୁଁ ଛୋଟଛୋଟ ହସପିଟାଲ ବନ୍ଦ ହେବା ଆଶଙ୍କା ମଧ୍ୟ ଦେଖାଦେଇଛି। ଏଣୁକରି ସରକାରୀ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦିଆଯାଉ; ପିଏଚ୍‌ସି, ସିଏଚ୍‌ସି ଇତ୍ୟାଦିର ସ୍ତର ବୃଦ୍ଧି ହେଉ ବୋଲି ସେ ଦାବି କରିଛନ୍ତି। ବେସରକାରୀ-ପିପିପି ମୋଡ୍‌ ପ୍ରୀତିରୁ ସରକାର ଓହରନ୍ତୁ। କର୍ପୋରେଟ୍ ଢାଞ୍ଚା ଉପରେ ମାତ୍ରାଧିକ ନିର୍ଭରଶୀଳତା ଓ ଆଉଟ୍‌ସୋର୍ସିଂରୁ ମୋହଭଙ୍ଗ ଜରୁରି ବୋଲି ସେ କହିଛନ୍ତି। ଚିକିତ୍ସାର ପରିସର ବ୍ୟାପକ ହେଉ; ମାନସିକ ରୋଗୀ ଓ ବହିର୍ବିଭାଗ ରୋଗୀଙ୍କ ପାଇଁ ମଧ୍ୟ ମାଗଣା ଚିକିତ୍ସା ବ୍ୟବସ୍ଥା ରହୁ ବୋଲି ପିସିସି ପକ୍ଷରୁ ସେ ଦାବି କରିଛନ୍ତି। ନିୟମିତ ତୃତୀୟ ପକ୍ଷ ଯାଞ୍ଚ ବ୍ୟବସ୍ଥା, ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡର ବ୍ୟବସ୍ଥା ରହୁ, ଷ୍ଟେକ୍‌ହୋଲ୍‌ଡରମାନଙ୍କ ସହ ନିୟମିତ କଥାବାର୍ତ୍ତା ଜରିଆରେ ବ୍ୟାପକ ସଚେତନତା ସୃଷ୍ଟି ହେଉ, ଅଭିଯୋଗ-ଶୁଣାଣି ବ୍ୟବସ୍ଥା ରହୁ ବୋଲି ସେ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking