ନୟାଗଡ: ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅନ୍ତର୍ଗତ ଚାନ୍ଦପୁର ଅଂଚଳରେ ମାତିଛନ୍ତି ଚୋରା ପଥର ମାଫିଆ । ପ୍ରତି ଦିନ ଚାଲାଣ ହେଉଛି ଶହଶହ ଟ୍ରିପ ଚୋରା ପଥର । ଏଥିଯୋଗୁଁ ସରକାରଙ୍କ ଲକ୍ଷାଧିକ ଟଙ୍କା ରାଜସ୍ୱ କ୍ଷତି ମଧ୍ୟ ହେଉଛି । ତେବେ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଚଢଉ କରାଯାଇ ପଥର ବୋଝେଇ ଗାଡି ଗୁଡିକ ଜବତ କରାଯିବା ସହ ମୋଟା ଅଙ୍କର ଫାଇନ ମଧ୍ୟ ଆଦାୟ ହେଉଛି । ତଥାପି ବନ୍ଦ ହେଉନି ଚୋରା ପଥର ଚାଲାଣ । ଅନେକ ସମୟରେ ଚଢଉ କରିବାକୁ ଯାଉଥିବା ଅଧିକାରୀମାନଙ୍କ ଉପରେ ପଥର ମାଫିଆମାନେ କରୁଛନ୍ତି ମରଣାତ୍ମକ ଆକ୍ରମଣ । କିଛି ସରକାରୀ କର୍ମଚାରୀ ମାଫିଆମାନଙ୍କୁ ସହଯୋଗ କରୁଥିବାରୁ ମାଫିଆମାନେ ବିଭିନ୍ନ ସମୟରେ ଖସିଯିବାକୁ ଓକ୍ଷମ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଚାନ୍ଦପୁର ଅଂଚଳରୁ ଯାଉଥିବା ପଥର ଗୁଡିକ ମୁଖ୍ୟତଃ ମାଙ୍କଡା ଓ ଗ୍ରାନାଇଟ ହୋଇଥିବା ବେଳେ ମାଙ୍କଡା ଘରକାମରେ ବ୍ୟବହାର କରାଯାଉଛି । ଅନ୍ୟପଟେ ଗ୍ରାନାଇଟ ଗୁଡିକ ଖୋର୍ଦ୍ଧା ଅଂଚଳର ତାପଙ୍ଗଠାରେ ଥିବା କ୍ରସରମାନଙ୍କୁ ଯାଉଛି । ତେବେ ମାଙ୍କଡା ପଥର ଉତ୍ତୋଳନ ଫଳରେ ସଂପୃକ୍ତ ଖଣି ମାନଙ୍କରେ ଖାଲ ହୋଇ କୃତ୍ରୀମ ପୋଖରୀ ସୃଷ୍ଟି ହେଉଥିବା ବେଳେ ବିଭିନ୍ନ ସମୟରେ ଅଘଟଣ ମଧ୍ୟ ଘଟୁଛି । ସେହିପରି ଗ୍ରାନାଇଟ ପଛର ପାହାଡରୁ ବାରୁଦ ଲଗାଇ ଫଟାଯାଉଥିବା ଫଳରେ ଶବ୍ଦ ପ୍ରଦୂଷଣ ହେବା ସହିତ ନିକଟ ଗ୍ରାମମାନଙ୍କରେ ଆତଙ୍କର ବାତାବରଣ ସୃଷ୍ଟି ହେଉଛି । ତେବେ ପଥର ଚୋରି ବନ୍ଦ କରିବାକୁ ହେଲେ କେବଳ ଗାଡି ଜବତ ବା ଚାଲାଣ ଆଦାୟ ନୁହେଁ ସଂପୃକ୍ତ ପଥର ମାଫିଆଙ୍କୁ ଗିରଫ ସହ ଦୃଷ୍ଟାନ୍ତମୂଳକ ଦଣ୍ଡର ଆବଶ୍ୟକ ଥିବା କହିଛନ୍ତି ଅଂଚଳବାସୀ ।