25.1 C
Bhubaneswar
Thursday, May 9, 2024
Homeଓଡିଶାପାରାଦୀପ ଠାରେ ବୋଇତ ବନ୍ଦାଣ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

ପାରାଦୀପ ଠାରେ ବୋଇତ ବନ୍ଦାଣ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର/ପାରାଦୀପ : ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଜି (ନଭେମ୍ବର ୨୭, ୨୦୨୩) ପାରାଦୀପଠାରେ ଆୟୋଜିତ ବୋଇତ ବନ୍ଦାଣ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି । ସେ ଏକ ବହୁମୁଖୀ ଲଜିଷ୍ଟିକ୍ ପାର୍କକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିବା ସହିତ ପୋର୍ଟ ଟାଉନସିପ୍ ପାଇଁ ନୂତନ ଜଳଭଣ୍ଡାର ଓ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ପରବର୍ତ୍ତୀ ପିଢ଼ିର ଜାହାଜ ଟ୍ରାଫିକ ପରିଚାଳନା ଓ ସୂଚନା ବ୍ୟବସ୍ଥାର ଶିଳାନ୍ୟାସ କରିଥିଲେ ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପ୍ରତିବର୍ଷ ବାଲିଯାତ୍ରାର ଐତିହାସିକ ସ୍ମୃତିକୁ ମନେ ପକାଇବା ଏବଂ ଅତୀତରେ ଜାଭା, ସୁମାତ୍ରା, ବାଲି ଇତ୍ୟାଦି ଦ୍ୱୀପକୁ ଓଡ଼ିଶାର ବଣିକ ବା ବ୍ୟବସାୟୀଙ୍କ ନୌଯାତ୍ରାକୁ ପ୍ରତୀକାତ୍ମକ ଭାବେ ସ୍ମୃତିଚାରଣ କରିବା ପ୍ରଶଂସନୀୟ । ବାଲିଯାତ୍ରା ଏହାର ଗୌରବମୟ ଅତୀତ ସ୍ମୃତିରେ ପାଳନ କରାଯାଉଥିବା ଏକ ଅନନ୍ୟ ପର୍ବ । ପ୍ରାଚୀନ କାଳରୁ ପାଳିତ ହେଉଥିବା ଏହି ପର୍ବ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ସମୃଦ୍ଧିର ପ୍ରତୀକ । ଏହା ଓଡ଼ିଶାବାସୀଙ୍କ ସମୃଦ୍ଧ ସାଂସ୍କୃତିକ ଚେତନାକୁ ମଧ୍ୟ ଦର୍ଶାଇଥାଏ ।

ରାଷ୍ଟ୍ରପତି କହିଥିଲେ ଯେ, ଭାରତର ବାଣିଜ୍ୟ, ବ୍ୟବସାୟ ଏବଂ ଅନ୍ତର୍ଜାତୀୟ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସମୁଦ୍ର ଏକ ବଡ଼ ମାଧ୍ୟମ । ସମୁଦ୍ର ଭାରତର ବାଣିଜ୍ୟ ଏବଂ ଅନ୍ତର୍ଜାତୀୟ ସମ୍ପର୍କକୁ ସୁଦୃଢ଼ କରିବାର ଏକ ପ୍ରମୁଖ ମାଧ୍ୟମ ବୋଲି ରାଷ୍ଟ୍ରପତି କହିଥିଲେ । ସମୁଦ୍ର ଉପରେ ଆଧାରିତ ସାହିତ୍ୟ ମଧ୍ୟ ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଛି । ଓଡ଼ିଶା ଓ ଅନ୍ୟ ଉପକୂଳବର୍ତ୍ତୀ ରାଜ୍ୟମାନଙ୍କରେ ନୌବାଣିଜ୍ୟର ଏକ ଦୀର୍ଘ ଓ ସମୃଦ୍ଧ ପରମ୍ପରା ଥିଲା । ବାଣିଜ୍ୟ ଓ ବ୍ୟବସାୟ ବ୍ୟତୀତ ସେହି ବ୍ୟବସାୟୀମାନେ ଭାରତୀୟ କଳା ଓ ସଂସ୍କୃତିକୁ ବିଦେଶରେ ବିସ୍ତାର କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସେ କହିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ ସାମୁଦ୍ରିକ ବାଣିଜ୍ୟ ଆମ ଦେଶର ବାଣିଜ୍ୟ ଏବଂ ଆର୍ôଥକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ପରିମାଣ ଦୃଷ୍ଟିରୁ ଭାରତର ମୋଟ ବାଣିଜ୍ୟର ୯୫ ପ୍ରତିଶତ ଏବଂ ମୂଲ୍ୟ ଦୃଷ୍ଟିରୁ ୬୫ ପ୍ରତିଶତ ସମୁଦ୍ର ପରିବହନ ମାଧ୍ୟମରେ ହୋଇଥାଏ । ସେ ଆହୁରି କହିଥିଲେ ଯେ ଭାରତର ବନ୍ଦରଗୁଡ଼ିକ ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁଯାୟୀ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସେଥିପାଇଁ ଭାରତୀୟ ବନ୍ଦରଗୁଡ଼ିକର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ସେଗୁଡ଼ିକର ଦକ୍ଷତା ବୃଦ୍ଧି କରିବାର ଆବଶ୍ୟକତା ରହିଛି । ସାଗରମାଳା କାର୍ଯ୍ୟକ୍ରମ ଏ ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଛନ୍ତି । ‘ସମୃଦ୍ଧି ପାଇଁ ବନ୍ଦର’ ଏବଂ ‘ପ୍ରଗତି ପାଇଁ ବନ୍ଦର’ର ସ୍ୱପ୍ନକୁ ସାକାର କରିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ ।

ବିଗତ ଦଶନ୍ଧି ମଧ୍ୟରେ ପାରାଦୀପ ବନ୍ଦରର ମାଲ୍ ପରିଚାଳନା କ୍ଷମତା ଦ୍ୱିଗୁଣିତ ହୋଇଥିବାରୁ ରାଷ୍ଟ୍ରପତି ଖୁସି ପ୍ରକାଶ କରିଥିଲେ । ଏହା ପୂର୍ବ ଉପକୂଳର ସର୍ବବୃହତ ବନ୍ଦରରେ ପରିଣତ ହୋଇଛି । ଗ୍ଲୋବାଲ୍ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ- ୨୦୨୩ରେ ଏହାକୁ ‘ପୋର୍ଟ ଅଫ୍ ଅପରେସନାଲ ଏକ୍ସଲେନ୍ସ ଆୱାର୍ଡ’ ମଧ୍ୟ ମିଳିଛି । ଆଜି ଉଦଘାଟିତ ହୋଇଥିବା ବହୁମୁଖୀ ଲଜିଷ୍ଟିକ୍ ପାର୍କ ବାଣିଜ୍ୟର ଦ୍ରୁତ ବିକାଶକୁ ଏକ ନୂଆ ଦିଗ ଦେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ସେ କହିଛନ୍ତି ଯେ ଜାହାଜ ଟ୍ରାଫିକ ପରିଚାଳନା ଓ ସୂଚନା ବ୍ୟବସ୍ଥା (ଭିଟିଏମଆଇଏସ) ଦ୍ୱାରା କ୍ଷମତାସମ୍ପନ୍ନ ନୂତନ ଆଧୁନିକ ସିଗନାଲ ଷ୍ଟେସନ ଗୁଡିକ ଏହି ବନ୍ଦର ମାଧ୍ୟମରେ ଜାହାଜର ଦିଗ ନିର୍ଣ୍ଣୟ ବା ନେଭିଗେସନକୁ ଅଧିକ ସୁରକ୍ଷିତ ଏବଂ ଶୃଙ୍ଖଳିତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking