41.1 C
Bhubaneswar
Sunday, April 28, 2024
Homeଓଡିଶାବିଶ୍ୱବିଦ୍ୟାଳୟରେ କାଗଜ ସଙ୍କଟ: ଉତ୍ତରଖାତା ନାହିଁ, ମାଗିଯାଚି ପରୀକ୍ଷା କରିବାକୁ ଉଦ୍ୟମ

ବିଶ୍ୱବିଦ୍ୟାଳୟରେ କାଗଜ ସଙ୍କଟ: ଉତ୍ତରଖାତା ନାହିଁ, ମାଗିଯାଚି ପରୀକ୍ଷା କରିବାକୁ ଉଦ୍ୟମ

ଭୁବନେଶ୍ୱର: ବିଭିନ୍ନ କାରଣରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଚର୍ଚ୍ଚାରେ ରହୁଥିବା ବେଳେ ଏଥର ପରୀକ୍ଷାଖାତା ନଥିବା ପ୍ରସଙ୍ଗ ଚର୍ଚ୍ଚାର କାରଣ ପାଲଟିଛି । ସୋମବାରଠାରୁ +୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଆରମ୍ଭ ହେଉଛି । ହେଲେ ବିଡ଼ମ୍ବନା ହେଉଛି ଯେ ପରୀକ୍ଷାର୍ଥୀଙ୍କୁ ଉତ୍ତରଖାତା ଦେବାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ୟୁକ୍ରେନ୍‌-ରୁଷ୍ ଯୁଦ୍ଧ ପ୍ରଭାବରେ କାଗଜ ସଙ୍କଟଯୋଗୁ ଏଭଳି ଘଟିଥିବା ଖୋଦ୍ ପରୀକ୍ଷା ନିୟନ୍ତ୍ରକ କହୁଥିଲେ ହେଁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଶିକ୍ଷାବିତ୍ । ପରୀକ୍ଷା ପ୍ରସ୍ତୁତିରେ ଢିଲାପଣକୁ ଏହା ସୂଚାଉଛି ବୋଲି କୁହାଯାଉଛି । କେବଳ ଉତ୍ତରଖାତା ନୁହେଁ, କାଗଜ ଅଭାବରୁ ପ୍ରଶ୍ନପତ୍ର ପ୍ରିଣ୍ଟିଂ ହୋଇପାରିନାହିଁ । ୱେବ୍‌ସାଇଟ୍‌ରୁ ପ୍ରଶ୍ନପତ୍ର ଡାଉନ୍‌ଲୋଡ କରି ପରୀକ୍ଷା କରିବାକୁ ବିଭିନ୍ନ କଲେଜର ଅଧ୍ୟକ୍ଷଙ୍କୁ କୁହାଯାଇଛି । ତେବେ କଲେଜ କର୍ତ୍ତୃପକ୍ଷ ନିଜେ ପରୀକ୍ଷାଖାତାର ବ୍ୟବସ୍ଥା କରିବାକୁ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଯେଉଁ ଚିଠି ଦେଇଛନ୍ତି, ତାହାକୁ ନେଇ ଅନେକ ପ୍ରଶ୍ନ ଉତ୍ଥାପିତ ହୋଇଛି । ବିଭିନ୍ନ କଲେଜର ଅଧ୍ୟକ୍ଷଙ୍କୁ ଏହି ଚିଠିରେ ନିୟନ୍ତ୍ରକ ପରୀକ୍ଷା ଖାତା ଯୋଗାଡ଼ କରିବାକୁ ନିବେଦନ କରିଥିବା ଜଣାପଡ଼ିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ପ୍ରାୟ ୩୬୫ଟି ଡିଗ୍ରୀ କଲେଜ ରହିଛି । ୪ର୍ଥ ସେମିଷ୍ଟରରେ କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ପ୍ରାୟ ୪୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରତି ବିଷୟ ଲାଗି ୩୨ପୃଷ୍ଠା ବିଶିଷ୍ଟ ଉତ୍ତରଖାତା ପାଇଁ ମୋଟ୍ ଉପରେ ପ୍ରାୟ ୧୬ଲକ୍ଷରୁ ଅଧିକ ଉତ୍ତରଖାତାର ଆବଶ୍ୟକତା ରହିଛି । ଟେକ୍ସଟ ବୁକ୍ ବ୍ୟୁରୋ କାଗଜ ଯୋଗାଇବା ଲାଗି ମନା କରୁଥିବା ବେଳେ ଘରୋଇ କମ୍ପାନୀ ବାକି ଅର୍ଥ ପାଇନଥିବାରୁ କାଗଜ ଦେବାକୁ ଲୁଚୁଛନ୍ତି । ତେବେ ଏପରି ଦୟନୀୟ ଅବସ୍ଥା ଲାଗି କିଏ ଦାୟୀ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ତେବେ ଆସନ୍ତା ୨୮ତାରିଖ ପରେ କାଗଜ ଯୋଗାଇ ଦିଆଯିବ ବୋଲି ପରୀକ୍ଷାନିୟନ୍ତ୍ରକ ଉଲ୍ଲେଖ କରିଛନ୍ତି । ଶିକ୍ଷାବିତ୍ ପ୍ରଶ୍ନକରିଛନ୍ତି, ଯଦି ୨୮ତାରିଖ(ବୁଧବାର)ରେ ଉତ୍ତରଖାତା ଯୋଗାଣ ହୋଇପାରିବ; ତେବେ ସୋମ ଓ ମଙ୍ଗଳବାର କାହିଁକି ହୋଇପାରିଲାନାହିଁ? ପରୀକ୍ଷା ପ୍ରସ୍ତୁତିରେ କୌଣସି ତ୍ରୁଟି ରହିଲା କି? ପରୀକ୍ଷା ଆରମ୍ଭ ପୂର୍ବରୁ ପଦକ୍ଷେପ ଗ୍ରହଣ କରାଯାଇଥିଲେ ଏଭଳି ସଙ୍କଟଜନକ ପରିସ୍ଥିତି ସୃଷ୍ଟିହୋଇନଥା’ନ୍ତା ବୋଲି ମତ ପ୍ରକାଶପାଇଛି ।

ଏପରିକି ପାସ୍ କରୁଥିବା ପିଲାଙ୍କ ଲାଗି ମାର୍କସିଟ୍ ଏବଂ ସାର୍ଟିଫିକେଟ୍ ଦେବା ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟରେ କାଗଜ ଅଛି କି ନାହିଁ ବୋଲି ଅନେକ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଏବେ ପ୍ରଶ୍ନ କରୁଛନ୍ତି । କେବଳ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ କାଗଜ ସଙ୍କଟ ରହିଛି ନା ଅନ୍ୟ ବିଶ୍ୱବିଦ୍ୟାଳୟରେ ସେଭଳି ଅବସ୍ଥା; ତାହାର ଅନୁସନ୍ଧାନ ହେବା ଜରୁରୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶପାଇଛି । ସମସ୍ୟା ସମ୍ପର୍କରେ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମହାବିଦ୍ୟାଳୟଗୁଡ଼ିକରେ ଯଥେଷ୍ଟ ପରିମାଣର ଖାତା ରହିଛି କି ନାହିଁ ସେ ସମ୍ପର୍କରେ କଲେଜର ଅଧ୍ୟକ୍ଷଙ୍କ ମତାମତ ଲୋଡ଼ାଯାଇଥିଲା । ଏହା ଖାତାର ଅଭାବକୁ ଦର୍ଶାଉନାହିଁ । ସେହିପରି ପରୀକ୍ଷାର ସୁପରିଚାଳନା ପାଇଁ ଅନ୍ୟ ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ସହ ପରୀକ୍ଷା ଖାତାର ଉପଲବ୍ଧତା ବୁଝିବା ଏକ ନୈତିକ କର୍ତ୍ତବ୍ୟ ଏବଂ ଚିଠି କେବଳ ସେଇ ଦୃଷ୍ଟିରୁ ଉଦ୍ଦିଷ୍ଟ ଥିଲା । ତେବେ କଲେଜ କର୍ତ୍ତୃପକ୍ଷ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ଏଥିରେ ପ୍ରଭାବିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking