ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ଦୃଶ୍ୟ । ଏବେ ଆସିଛି ପ୍ରକୃତ ସମୟ । ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀକୁ ବିଜେଡି ଅକ୍ତିଆର କରିଥିଲାବେଳେ କେତେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ହାତେଇବ ଏହି ଦଳ? ଏହି ପ୍ରଶ୍ନ ଉପରେ ରାଜନୈତିକ ବିଷାରଦମାନେ ଅଙ୍କ କଷୁଥିଲାବେଳେ ଶାସକ ବିଧାୟକମାନେ କିନ୍ତୁ ଚିନ୍ତାଗ୍ରସ୍ତ । କାରଣ ଜିତିଲେ ସେମାନେ ହିରୋ, ନହେଲେ ଜିରୋ । ସେଥିପାଇଁ ଶାସକ ବିଧାୟକମାନେ ଏବେ ଅଗ୍ନି ପରୀକ୍ଷା ଦେବା ଭଳି ସ୍ଥିତିରେ ଅଛନ୍ତି । ତେଣୁ ସମ୍ଭାବିତ ଅଧ୍ୟକ୍ଷ ପ୍ରାର୍ଥୀମାନେ ପଞ୍ଚାୟତ ସମିତି ସଭ୍ୟଙ୍କ ଯୋଗାଯୋଗରେ ଅଛନ୍ତି । ରାଜ୍ୟର ଅଧିକାଂଶ ସ୍ଥାନରେ ଦଳର ସଭ୍ୟଙ୍କୁ ଅଜ୍ଞାତବାସରେ ରଖାଯାଇଥିବା କୁହାଯାଉଛି । ନିର୍ବାଚନ ଦିନ ହିଁ ସେହି ସଭ୍ୟଙ୍କ ନଜର ଆସିବ ।
ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମାର୍ଚ୍ଚ ୩ରେ ବିଜୟୀ ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଦସ୍ୟଙ୍କର ନାମ ଜିଲ୍ଲାପାଳମାନେ ବିଧିବଦ୍ଧ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିବେ । ମାର୍ଚ୍ଚ ୪ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ । ମାର୍ଚ୍ଚ ୧୨ରେ ଓ ୧୫ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇ ୨୩ରେ ନିର୍ବାଚନ ହେବ । ଅନ୍ୟପକ୍ଷରେ ସେହି ମାର୍ଚ୍ଚ ୪ରେ ବିଜୟୀ ଜିଲ୍ଲା ପରିଷଦ ସଦସ୍ୟଙ୍କ ନାମ ଘୋଷିତ ହେଉଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଲାଗି ମାର୍ଚ୍ଚ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୧୩ରେ ନିର୍ବାଚନ କରାଯିବ । ତେବେ ମାର୍ଚ୍ଚ ୧୭ରେ ଜିଲ୍ଲା ପରିଷଦ ଉପସଭାପତି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇ ୨୫ରେ ନିର୍ବାଚନ ହେବ । ଦଳୀୟ ଚିହ୍ନରେ ଲଢ଼ୁଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୟନ ନେଇ କିଛି ସମସ୍ୟା ନଥିଲାବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନେଇ ସ୍ଥିତି ସ୍ପଷ୍ଟ ହୋଇ ପାରୁନାହିଁ । ଏହାର ମୂଳ କାରଣ ହେଉଛି ସମିତି ସଭ୍ୟମାନେ ବିନା ଚିହ୍ନରେ ନିର୍ବାଚନ ଲଢ଼ିଛନ୍ତି । ଅନ୍ୟପକ୍ଷରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବିଦ୍ରୋହୀ ପ୍ରାର୍ଥୀ ଛିଡ଼ା ହୋଇ ଭୋଟ୍କୁ ଭାଗ ଭାଗ କରିବାରେ ସକ୍ଷମ ହୋଇଛନ୍ତି । କେଉଁଠି ସ୍ଥାନୀୟ ବିଧାୟକଙ୍କ ସହ ପଡ଼ୁନାହିଁ ତ ଆଉ କେଉଁଠି ନିଜ ନିଜ ମଧ୍ୟରେ ସଂଘର୍ଷ । ଏଭଳି ସ୍ଥିତିରେ ବିଧାୟକମାନେ କେଉଁ ଭୂମିକା ଗ୍ରହଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ ।
ନୂଆ ନିୟମାନୁସାରେ ‘ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ଆଇନ-୧୯୯୪’କୁ ପରିବର୍ତ୍ତନ କରି ସେଥିରେ ଅଧିନିୟମ ୫୧ (କ) ଯୋଗ କରାଯାଇଛି । ସଂଶୋଧିତ ଆଇନ ବଳରେ ରାଜନୈତିକ ଦଳମାନେ ଦଳ ତରଫରୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ । ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ନିର୍ବାଚନ ଦିନ ପ୍ରାଧିକୃତ ପ୍ରତିନିଧିମାନେ ଉପସ୍ଥିତ ରହିବେ । ସଂପୃକ୍ତ ଦଳର ସଭ୍ୟ ଓ ସଭ୍ୟାମାନେ ଭୋଟ୍ ଦେଇସାରି ସେହି ଦଳର ପ୍ରାଧିକୃତ ପ୍ରତିନିଧିଙ୍କୁ ବାଲାଟ୍ ପେପର ଦେଖାଇବା ପରେ ଭୋଟ୍ ବାକ୍ସରେ ପକାଇବେ । ଫଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ‘ଦଳ ବଦଳ ନିରୋଧ ଆଇନ’କଡ଼ାକଡ଼ି ଭାବେ ଲାଗୁ ହେଉଥିବାବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ତାହା ଲାଗୁ ହେବ ନାହିଁ । କାରଣ ପଞ୍ଚାୟତ ସମିତି ସଭ୍ୟମାନେ ଦଳୀୟ ଚିହ୍ନରେ ଲଢ଼ି ବିଜୟୀ ହୋଇନାହାନ୍ତି । ତେଣୁ ‘କ୍ରସ୍ ଭୋଟିଂ’ ସମସ୍ୟା ରହିବ । ଯେଉଁମାନେ ମନଇଚ୍ଛା ଭୋଟ୍ ଦେବେ ସେମାନଙ୍କ ସଭ୍ୟପଦ ରଦ୍ଦ ହେବାର ଆଶଙ୍କା ନାହିଁ । ପ୍ରାର୍ଥୀମାନେ ଏଜେଣ୍ଟ କିମ୍ବା ଅନ୍ୟ କ୍ଷମତାସୀନ ଅଧିକାରୀଙ୍କୁ ସେ ଦେଇଥିବା ଭୋଟ୍ ଦେଖାଇବାକୁ ବାଧ୍ୟ ନୁହଁନ୍ତି ।
ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏମିତି କିଛି କାରଣ ପାଇଁ ଚାଲିଛି ଛକାପଞ୍ଝା । ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀଗୁଡିକ କଳେ ବଳେ କୋଶଳେ ଦଖଲ କରିବା ପାଇଁ ବିଭିନ୍ନ ରାଜନୈତିକଦଳ ସେଥି ନିମନ୍ତେ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଧାୟକମାନେ ଏହାର ମୁଖିଆ ସାଜିଛନ୍ତି । ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବିଜୟୀ ସମିତି ସଦସ୍ୟଙ୍କ ଚାହିଦା କାହିଁରେ କ’ଣ? ସେମାନଙ୍କ ମଧ୍ୟରୁ କିଏ ଜିଲ୍ଲାପାର୍ ତ କି’ଏ ରାଜ୍ୟ ଭିତରେ କେଉଁଠି ଗୋପନ ଭାବେ ରହିଛନ୍ତି । ଆଉ କିଛି ସଭ୍ୟଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବାର ବ୍ୟବସ୍ଥା କରାଯାଇଥିବା ଶୁଣାଯାଉଛି ।‘ଆଣ୍ଟି ଇନ୍କମ୍ବନ୍ସି’ ଥିବା ଶାସକ ବିଧାୟକମାନେ କେତେଦୂର ଏଥିରେ ସଫଳ ହେଉଛନ୍ତି? ତାହାକୁ କେବଳ ଦେଖିବାକୁ ବାକି ରହିଛି ।