କରାଚି : ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଶୁକ୍ରବାର ୨୦୨୩ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ଏହାବ୍ୟତୀତ ୩ଜଣ ରିଜର୍ଭ ଖେଳାଳିଙ୍କୁ ମଧ୍ୟ ରଖିଛି । ନିକଟରେ ଶେଷ ହୋଇଥିବା ଏସିଆ କପ୍ ବେଳେ ଆହତ ହୋଇଥିବା ଦ୍ରୁତ ବୋଲର ନସୀମ୍ ଶାହା ପାକିସ୍ତାନ କ୍ରିକେଟ୍ ବିଶ୍ୱକପ୍ ଦଳରେ ନାହାନ୍ତି । କାନ୍ଧରେ ଆହତ ସମସ୍ୟା ପାଇଁ ତାଙ୍କୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ଅନ୍ୟତମ ଅଭିଜ୍ଞ ପେସ୍ ବୋଲର ହାସନ ଅଲ୍ଲୀଙ୍କୁ ଦଳରେ ସ୍ଥାନ ମିଳିଛି । ବିଶ୍ୱକପ୍ରେ ବାବର ଆଜମ ଦଳର ନେତୃତ୍ୱ ନେଉଥିବା ବେଳେ ଶଦାବ ଖାନ ଉପଅଧିନାୟକ ରହିଛନ୍ତି । ଦଳ ଚୟନ ନେଇ ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ୍ ଉଲ୍ ହକ୍ କହିଛନ୍ତି, ନସୀମ୍ ଶାହ ଆହତ ଥିବାରୁ ହସନ୍ଙ୍କୁ ଦଳକୁ ଫେରାଇ ନିଆଯାଇଛି । ଗତ ଏସିଆ କପରେ ଭାରତ ବିପକ୍ଷ ମ୍ୟାଚରେ ୨୦ ବର୍ଷୀୟ ନସିମଙ୍କ କାନ୍ଧରେ ଆଘାତ ଲାଗିଥିଲା । ଏଥିରେ ଅସ୍ତ୍ରୋପଚାର କରାଯିବ ଯାହାଦ୍ୱାରା ନସୀମ ତିନିରୁ ଚାରି ମାସ ମଧ୍ୟରେ ସୁସ୍ଥ ହେବେ ।
ନସୀମ୍ ଶାହା ଦୁର୍ଭାଗ୍ୟଜନକ ଭାବେ ଆହତ ହେବାରୁ ଆମେ ଗୋଟିଏ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲୁ । ଏସିଆ କପରେ ଆମେ କିଛି ଆହତ ସମସ୍ୟାର ସମ୍ମୁଖୀନ ହୋଇଥିଲୁ, କିନ୍ତୁ ଏବେ ସମସ୍ତ ଖେଳାଳି ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ହାରିସ ରୌଫଙ୍କୁ ନେଇ ଯେଉଁ ଚିନ୍ତା ରହିଥିଲା ତାହା ଏବେ ଦୁର ହୋଇଛି । ସେ ଜାତୀୟ କ୍ରିକେଟ୍ ଏକାଡେମିରେ ବୋଲିଂ କରିବା ଆରମ୍ଭ କରିଛନ୍ତି । ପ୍ରକାଶଯୋଗ୍ୟ, ରୌଫ୍ ଭାରତ ବିପକ୍ଷ ମ୍ୟାଚ୍ରେ ମଧ୍ୟ ଆହତ ହୋଇ ବ୍ୟାଟିଂ କରିବାକୁ ଆସିନଥିଲେ ।ଏହାଛଡା ଇଞ୍ଜାମାମ କହିଛନ୍ତି କି, ଯେଉଁ ଦଳ ଘୋଷଣା କରାଯାଇଛି ତାହା ପାକିସ୍ତାନକୁ ବିଶ୍ୱକପ୍ ଟ୍ରଫି ଆଣିପାରିବ । ଏବଂ ସେମାନଙ୍କ ଅବିଶ୍ୱସନୀୟ ପ୍ରଦର୍ଶନ ଦ୍ୱାରା ସମଗ୍ର ଦେଶକୁ ଗର୍ବିତ କରିପାରିବ । ପାକିସ୍ତାନ ସେପ୍ଟେମ୍ବର ୨୯ରେ ନ୍ୟୁଜିଲାଣ୍ଡ ଓ ଅକ୍ଟୋବର ୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବା ପରେ ଅକ୍ଟୋବର ୬ରେ ନେଦରଲାଣ୍ଡ ବିପକ୍ଷରେ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ ।
ଘୋଷିତ ଦଳ: ବାବର ଆଜମ୍ (ଅଧିନାୟକ), ଶଦାବ୍ ଖାନ୍ (ଉପଅଧିନାୟକ), ଫକର ଜମାନ, ଇମାମ୍ ଉଲ୍ ହକ୍, ଅବଦୁଲ୍ଲା ଶଫିକ, ମହମ୍ମଦ ରିଜ୍ୱାନ (ୱିକେଟ୍ କିପର), ଇଫ୍ତିକାର ଅହମ୍ମଦ, ଆଘା ସଲମାନ, ସଉଦ ସକିଲ, ମହମ୍ମଦ ନୱାଜ, ଶାହିନ ଆଫ୍ରିଦି, ହାରିସ ରୌଫ, ହସନ ଅଲ୍ଲୀ, ଉସାମା ମିର୍, ମହମ୍ମଦ ୱାସିମ ଜୁନିୟର ।
ରିଜର୍ଭ ଖେଳାଳି: ଅବରାର ଅହମ୍ମଦ, ଜମାନ ଖାନ, ମହମ୍ମଦ ହାରିସ୍ ।