ଶ୍ରୀନଗର: ଭାରତୀୟ ଯବାନଙ୍କ ହାତରେ ଧରାପଡିଥିବା ୧୯ ବର୍ଷୀୟ ପାକିସ୍ତାନୀ ଆତଙ୍କବାଦୀ ଅଲ୍ଲୀ ବାବର ପାଟ୍ରା ପାକିସ୍ତାନରେ ଥିବା ଆକ୍କା (ହ୍ୟାଣ୍ଡଲର)ଙ୍କ ବିରୋଧରେ ବିଷୋଦ୍ଗାର କରିଥିବା ଜଣାପଡିଛି । ବୁଧବାର ଏଠାରେ ଜେରା କରାଯାଉଥିବା ସମୟରେ ବାବର ସେମାନଙ୍କ ଉଦ୍ଦେଶ୍ୟରେ କହିଛି ଯେ ‘ତୁମେ ଯେପରି ମୋତେ ଭାରତ ପଠାଇଥିଲ, ବର୍ତ୍ତମାନ ଠିକ୍ ସେପରି ମୋତେ ମୋ ପରିବାର ନିକଟରେ ପହଞ୍ଚାଅ’ । ପାକିସ୍ତାନରେ ପ୍ରଶିକ୍ଷଣ ଦିଆଯାଉଥିବା ସମୟରେ ପାକିସ୍ତାନୀ ସେନା ଓ ଆଇଏସଆଇ ଅଧିକାରୀମାନେ ସେମାନଙ୍କୁ ଭାରତ ଓ କଶ୍ମୀର ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରୁଥିବା ସେ କହିଛି । ଭାରତୀୟ ସେନା କଶ୍ମୀର ଘାଟିରେ ରକ୍ତର ହୋରି ଖେଳୁଛି ଏବଂ କଶ୍ମୀରର ସ୍ୱାଧୀନତା ପାଇଁ ତୁମକୁ ପ୍ରସ୍ତୁତ ହେବାକୁ ପଡିବ ବୋଲି ସେମାନଙ୍କୁ କୁହାଯାଇଥିଲା । ପ୍ରକୃତରେ କଶ୍ମୀର ସ୍ଥିତି ଯଥେଷ୍ଟ ଶାନ୍ତିପୂର୍ଣ୍ଣ ଥିବାବେଳେ ଭାରତୀୟ ଯବାନଙ୍କ ବ୍ୟବହାର ଅତ୍ୟନ୍ତ ଭଦ୍ର ଓ ନମ୍ର ରହିଛି ବୋଲି ବାବର ସ୍ୱୀକାର କରିଛି ।