କାବୁଲ: ଗତକାଲି ପାକିସ୍ତାନ ଆଫଗାନିସ୍ତାନର ଖୋଷ୍ଟ ଏବଂ କୁନାର ପ୍ରଦେଶରେ ଏୟାର ଷ୍ଟ୍ରାଇକ କରିଥିବା ବେଳେ ଏଥିରେ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ପୋଲିସର ସୂଚନାନୁସାରେ, ପେସା ମିଲା ଏବଂ ମିର ସଫର ବିସ୍ଫୋରଣରେ ୫ ଶିଶୁ ଏବଂ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ତେବେ ସ୍ଥାନୀୟ ଲୋକ କହିଛନ୍ତି ଯେ ଏହି ଆକ୍ରମଣ ଖୋଷ୍ଟର ସ୍ପେରା ଜିଲ୍ଲାରେ ଘଟିଛି ଯେଉଁଥିରେ ୪୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏୟାର ଷ୍ଟ୍ରାଇକ୍ ପରେ ଆଫଗାନିସ୍ତାନର ଲୋକମାନେ ରାସ୍ତାରେ ଯାଇ ପାକିସ୍ତାନ ବିରୋଧରେ ବିରୋଧ କରିଥିଲେ। ଏହି ଆକ୍ରମଣ ସମ୍ପର୍କରେ ପାକିସ୍ତାନ ସରକାରଙ୍କ ତରଫରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ତେବେ ସେଠାକାର ଗଣମାଧ୍ୟମ କହିଛି ଯେ ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ଉପରେ ଆକ୍ରମଣ କରାଯାଇଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। ଏହି ଆକ୍ରମଣ ପରେ ତାଲିବାନ ସରକାର ପାକିସ୍ତାନର ରାଷ୍ଟ୍ରଦୂତ ମାନସୁର ଅହମ୍ମଦ ଖାନଙ୍କୁ ଡକାଇଥିଲେ। ଏହି ସମୟରେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁଟାକି ଏବଂ ଉପ ପ୍ରତିରକ୍ଷା ମନ୍ତ୍ରୀ ଅଲହାଜ ମୁଲ୍ଲା ଶିରିନ ଅଖଣ୍ଡ ଉପସ୍ଥିତ ଥିଲେ। ତେବେ ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଟ୍ୱିଟ୍ କରି ପାକିସ୍ତାନ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଏଭଳି ସ୍ଥିତିରେ ପାକ୍ ସରକାର ଆମ ଧୈର୍ଯ୍ୟର ପରୀକ୍ଷା ନିଅନ୍ତୁନି । ଯଦି ଏପରି ଭୁଲ୍ ପୁନର୍ବାର କରାଯାଏ, ତେବେ ଏହାର ଜବାବ ଆମେ ନିଶ୍ଚିତ ଭାବେ ଦେବୁ । ଦୁଇ ଦେଶ ମଧ୍ୟରେ ଥିବା ସମସ୍ୟା ରାଜନୈତିକ ଆଲୋଚନା ଦ୍ୱାରା ସମାଧାନ ହେବା ଉଚିତ୍ ।