ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାକୁ ସମର୍ଥନ କରିଥିଲେ ବିରୋଧୀ ଦଳ । ଗୃହରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଶୋକ ପ୍ରସ୍ତାବ ପରେ ଗୃହକୁ ମୁଲତବି କରାଯାଇଥିଲା । ତେବେ ଶୂନ୍ୟକାଳ ମଧ୍ୟରେ ଗୃହରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନାଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ, ଓଡିଶା ଖଣି ନିଗମରେ ଆଉଟ ସୋର୍ସିଂ ମାଧ୍ୟମରେ କେତେ ଜଣଙ୍କୁ କେଉଁ କାର୍ଯ୍ୟ ଓ ପଦରେ ନିୟୋଜିତ କରାଯାଇଛି ? ଏ ବାବଦରେ ବାର୍ଷିକ କେତେ ଅର୍ଥ ବିଗତ ୫ ବର୍ଷରୁ ଅଦ୍ୟାବଧି ବିନିଯୋଗ କରାଯାଇଛି । ଆଉଟ ସୋର୍ସିଂ ମାଧ୍ୟମରେ ଉପରୋକ୍ତ ପଦବୀଗୁଡିକରେ ନିୟୋଜିତ ହୋଇଥିବା କର୍ମଚାରୀ ଓ ପଦାଧିକାରୀମାନଙ୍କ ମଧ୍ୟରୁ ଏସସି , ଏସଟି, ଓବିସି ଏବଂ ମାଇନରିଟି ବର୍ଗର କେତେ ଅଧିକାରୀ ନିୟୋଜିତ ଅଛନ୍ତି ?
ଏହି ପ୍ରଶ୍ନ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଆଜି ଯାଏଁ ଓଡିଶା ଖଣି ନିଗମରେ ଆଉଟ ସୋର୍ସିଂ ମାଧ୍ୟମରେ ମୋଟ ୧୯୦୮ ନିୟୋଜିତ ଅଛନ୍ତି । ହାଉସ କିପିଂ, କ୍ୟାଣ୍ଟିନ ଆତିଥ୍ୟ ସେବା, ରକ୍ଷଣାବେକ୍ଷଣ ସେବା, ଅଫିସ ଆଟେଣ୍ଡାଣ୍ଟ ଏବଂ ଅନ୍ୟନ୍ୟ ବୃତ୍ତି ଭିତ୍ତିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏ ବାବଦରେ ବିଗତ ୫ ବର୍ଷରେ ୧୭୪ କୋଟି ପ୍ରଦାନ କରାଯାଇଛି । ଆଉଟ ସୋର୍ସିଂ ମାଧ୍ୟମରେ ପଦାଧିକାରୀମାନଙ୍କ ମଧ୍ୟରୁ ସୋମାନଙ୍କ ମଧ୍ୟରେ ୩୮୦ ଜଣ ଏସସି ଓ ୪୫୫ ଜଣ ଏସଟି ବର୍ଗ ରହିଛନ୍ତି । ବାକି ସମସ୍ତ କର୍ମଚାରୀ ସାଧାରଣ ଓ ଅନ୍ୟାନ୍ୟ ବର୍ଗରେ ଅନ୍ତର୍ଭୁକ୍ତ ।










