ଭୁବନେଶ୍ୱର: ନିଜକୁ ଓଟିଡିସିର କିରାଣୀ ପରିଚୟ ଦେଇ ଦୁଇଟି ମାମଲାରେ କୋଟିକୋଟି ଟଙ୍କା ଠକେଇ କରି ଫେରାର୍ ଥିବା ଅଭିଯୁକ୍ତ ଶେଷରେ କୋର୍ଟରେ ଆତ୍ମସମର୍ପଣ କରିଛି । ଅଭିଯୁକ୍ତ ଜଣକ ହେଲା ବିକାଶ ମହାରଣା । ଗତ ଡିସେମ୍ବର ମାସରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ହେଲେ ଆବେଦନ ଖାରଜ ହୋଇଯାଇଥିଲା । ଅପ୍ରେଲ ୭ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଗତ ଶୁକ୍ରବାର ବିକାଶ ଆତ୍ମସମର୍ପଣ କରିଦେଇଛି । ଏହାପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ନେଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ବିକାଶର ସହଯୋଗୀ ଅଭିଯୁକ୍ତ ଅନିକେଶ ସାହୁ ଓ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ତଥା ସ୍ୱାମୀ ବିଜୟାନନ୍ଦ ମହାରାଜ ଏବଂ ଓଟିଡିସିର ପୂର୍ବତନ ଇଞ୍ଜିନିୟର ଚନ୍ଦନ ଆକାଶ ଗିରଫ ହୋଇ ଜେଲ ଯାଇଛନ୍ତି ।
ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ଶ୍ରେଣୀର ଠିକାଦାର ଧନୁର୍ଦ୍ଧର ଚମ୍ପତିରାୟଙ୍କ ୨୦୨୦ ମସିହା ମେ’ ମାସରେ ବାବା ବିଜୟାନନ୍ଦଙ୍କ ସହିତ ପରିଚୟ ହୋଇଥିଲା । ବିଜୟାନନ୍ଦ ନିଜକୁ ଓଟିଡ଼ିସିର ଚେୟାରମ୍ୟାନ ଓ ଆଇଟିଡିସିର ସଦସ୍ୟ କହି ତାଙ୍କୁ କାମ ଯୋଗାଇଦେବାକୁ କହିଥିଲେ । ସେହିପରି ଚନ୍ଦନଙ୍କୁ ଓଟିଡିସିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ବିକାଶଙ୍କୁ ଓଟିଡିସିର କିରାଣୀ କହି ଧନୁର୍ଦ୍ଧରଙ୍କ ସହ ବିଜୟାନନ୍ଦ ପରିଚୟ କରାଇଥିଲେ । ଅଭିଯୁକ୍ତମାନେ ଓଟିଡିସି ନାଁରେ ବହୁ କୋଟି ଟଙ୍କାର ଜାଲି ୱାର୍କଅର୍ଡର ଦେଇ ତାଙ୍କ ଠାରୁ ୩ କୋଟି ଟଙ୍କା ନେଇଥିଲେ । ଏହି ଟଙ୍କାରୁ ୧.୧୪ କୋଟି ବ୍ୟାଙ୍କରେ ଧନୁର୍ଦ୍ଧର ଅଭିଯୁକ୍ତଙ୍କ ବ୍ୟାଙ୍କରେ ଜମା କରିଥିବା ବେଳେ ଅଭିଯୁକ୍ତ ବିକାଶ ଫେକ୍ ମନି ରସିଦ୍ ଦେଇ ବାକି ୧.୮୫ କୋଟି ଟଙ୍କା ନେଇଥିଲା ।
ୱାର୍କଅର୍ଡର ପାଇଥିଲେ ବି କୌଣସି କାମ ଆରମ୍ଭ ନହେବାରୁ ଧନୁର୍ଦ୍ଧର ଅଭିଯୁକ୍ତମାନଙ୍କୁ କହିଥିଲେ । କରୋନା ମହାମାରୀ ପାଇଁ କାମ ଅଟକିଛି ବୋଲି ଅଭିଯୁକ୍ତମାନେ ତାଙ୍କୁ ସଫେଇ ଦେଇଥିଲେ । ଶେଷରେ ଧନୁର୍ଦ୍ଧର ଭୁବନେଶ୍ୱର ଓଟିଡିସି କାର୍ଯ୍ୟାଳୟକୁ ଯାଇ ପଚାରିବାରୁ ସେପରି ୱାର୍କଅର୍ଡର କିଛି ଜାରି ହୋଇନଥିବା ଜାଣିବାକୁ ପାଇଥିଲେ । ତେଣୁ ସେ ଠକେଇର ଶିକାର ହୋଇଥିବା ସ୍ପଷ୍ଟ ହେବା ପରେ ଓଟିଡିସି ପକ୍ଷରୁ ଅଭିଯୋଗ ହେବା ପରେ ଇଓଡବ୍ଲୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ବାବା ବିଜୟାନନ୍ଦ ଓ ଚନ୍ଦନଙ୍କୁ ଗତବର୍ଷ ଅଗଷ୍ଟ ୨୨ତାରିଖରେ ଗିରଫ କରାଯାଇଥିଲା ।