କୋରାପୁଟ : ଆଇନ୍ ଶୃଂଖଳା ପରିସ୍ଥିତି ସମ୍ଭାଳିବା ଓ ଅପରାଧ ନିୟନ୍ତ୍ରଣ ପୁଲିସ୍ ବିଭାଗର ମୌଳିକ ଦାୟିତ୍ୱ ହୋଇଥିଲେ ମଧ୍ୟ କୋରାପୁଟ ଜିଲ୍ଲାରେ ପୁଲିସ୍ କର୍ମଚାରୀ ବିଭିନ୍ନ ସମୟରେ ସମାଜ ମଙ୍ଗଳ କାର୍ଯ୍ୟ କରି ଚର୍ଚାରେ ରହିଥିବାବେଳେ କୋରାପୁଟ ପୁଲିସ୍ ଆଜି ପୁଣି ଏକ ମହାନ୍ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇଛି । ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ଶିଶୁ ସୁରକ୍ଷା କମିଟି ଓ ଆଇଡିଏସ୍ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ଉଦ୍ୟମରେ ଜଣେ ଅନାଥ ଯୁବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିବାବେଳେ ଦଶମନ୍ତପୁର ଥାନାରୁ ମାମୁଁ ଭାର ଯିବା ଜିଲ୍ଲାରେ ଚର୍ଚାର ବିଷୟ ହୋଇଛି ।
ସୂଚନା ଅନୁଯାୟୀ, ବୋରିଗୁମ୍ମା ବ୍ଲକର ମାଣିକ ମୁଦୁଲି ଗତ ୪ବର୍ଷ ପୂର୍ବେ ବାପା ମାଁଙ୍କୁ ହରାଇବା ପରେ ଛୋଟ ଛୋଟ ଭାଇ ଭଉଣୀ ସହ ଅତି ଦୟନୀୟ ଅବସ୍ଥାରେ ଥିଲା । କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ମାଣିକ ଓ ତାର ଭାଇ ଭଉଣୀଙ୍କୁ ଉଦ୍ଧାର କରି ସମସ୍ତେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲା । କଟକରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ମାଣିକ ଓ ତାର ଦୁଇ ଭାଇ ଭଉଣୀଙ୍କୁ ଦଶମନ୍ତପୁର ସ୍ଥିତି ଆଇଡିଏସ ଶିଶୁ ଯତ୍ନ କେନ୍ଦ୍ରରେ ରହିବାର ବ୍ୟବସ୍ଥା କରିଥିଲା । ଗତ ୪ବର୍ଷରେ ମାଣିକ ଆଇଡିସେରେ ରହିବା ମଧ୍ୟରେ କିଛି ପାଠ ପଢିବା ସହ ସିଲେଇ ଏବଂ ରନ୍ଧା କାର୍ଯ୍ୟ ଶିଖିଥିଲା । ତେବେ ବର୍ତମାନ ମାଣିକର ବୟସ ୧୯ ବର୍ଷ ହୋଇ ଯିବାରୁ ନିୟମ ପ୍ରକାରେ ସେ ଆଉ ଶିଶୁ ଯତ୍ନ କେନ୍ଦ୍ରରେ ରହି ପାରିବନି,ତେଣୁ ସମ୍ପୃକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ମାଣିକର ଗାଁ’କୁ ଯାଇ ମାଣିକର ଥଇଥାନ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।
ଆଲୋଚନାର ଫଳ ସ୍ୱରୂପ ମାଣିକକୁ ସେହି ଗ୍ରାମର ଜଣେ ଯୁବକଙ୍କ ସହ ବିବାହ କରାଇବାକୁ ଗ୍ରାମବାସୀ ପ୍ରସ୍ତାବ ଦେଇଥିଲେ । ପରବର୍ତି ସମୟରେ ମାଣିକ ଓ ସମ୍ପୃକ୍ତ ଯୁବକଙ୍କ ସହମତି ପ୍ରକାରେ ଆଜି ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ନିଷ୍ପତି ହୋଇଥିଲା । ତଦନୁଯାୟୀ, ଆଜି ଦଶମନ୍ତପୁର ସ୍ଥିତ ଆଇଡିଏସ୍ ଅନୁଷ୍ଠାନ ପରିସରରେ ବିବାହ ଉତ୍ସବ ଆୟୋଜିତ ହୋଇଥିବାବେଳେ ଉକ୍ତ ପରିସର ଉତ୍ସବ ମୁଖର ହୋଇ ଉଠିଥିଲା । ଆଇଡିଏସର ସମ୍ପାଦକ ଦେବେନ୍ଦ୍ର କୁମାର ବେହେରା ଓ ତାଙ୍କ ପତ୍ନୀ କନ୍ୟା ପିତାମାତା ହୋଇ କନ୍ୟାଦାନ କରିଥିବାବେଳେ ପରମ୍ପରା ମୂତାବକ ଦଶମନ୍ତପୁର ଥାନାରୁ କନ୍ୟା ନିମନ୍ତେ ମାମୁଁ ଭାର ନିଆ ଯାଇଥିଲା । କୋରାପୁଟ ଏସଡିପିଓ ବଳଭଦ୍ର ଦୀପ ବାହାଘର ଭୋଜିର ସମସ୍ତ ଖର୍ଚ ତୂଲାଇଥିବାବେଳେ ଦଶମନ୍ତପୁର ଥାନା ପକ୍ଷରୁ ଟେଂଟ୍ ହାଉସ୍, ବାଜା,ବାଣ,ଏକ ଆଲମିରା ସହ ଅନ୍ୟାନ୍ୟ ଉପକରଣ ଯୋଗାଇ ଦିଆ ଯାଇଥିବା ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ସୂଚନା ଦେଇଛନ୍ତି । ସେହିପରି ଡିସିପିଓ ରାଜଶ୍ରୀ ଦାଶ ଓ ସିଡବଲ୍ୟୁସି ଅଧ୍ୟକ୍ଷା ଡଃ.ଗାୟତ୍ରୀ ଦେବୀ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହାୟତା ଯୋଗାଇ ଦେଇଛନ୍ତି । ନିସହାୟ ଅନାଥ ଯୁବତୀଙ୍କୁ ଏକ ନୂଆ ଜୀବନ ଦେବାରେ ପୁଲିସ୍ ଓ ପ୍ରଶାସନ ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ନେଇ ବର୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି ।