ସୋରଡା: ସୋରଡା ବ୍ଲକ ହୁକୁମା ପଞ୍ଚାୟତ ନୂଆଁଗାଁ ଗ୍ରାମର ଅଜୟ ମଲିକଙ୍କ ପୁଅ ରଞ୍ଜନ ମଲିକ(୨୭)ଙ୍କ ଅକାଳ ମୃତ୍ୟୁ ଘଟିଛି । ସେ ତାମିଲନାଡୁର କୋଏମ୍ବାଟୁର ପେରିୟାନାଇକେନପାଲୟମ୍ ଥାନା ଅଞ୍ଚଳର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗୁରୁବାର ନିଜ ବାସସ୍ଥଳୀରେ ବିଶ୍ରାମ ନେଉଥିବା ବେଳେ ରାତିରେ କୌଣସି ବିଶାକ୍ତ ଜନ୍ତୁ ତାଙ୍କୁ କାମୁଡି ଦେବାରୁ ସେ ଅସୁସ୍ଥ ଅନୁଭବ କରିଥିଲେ । ସେଠାରେ ଥିବା ତାଙ୍କ ବନ୍ଧୁମାନେ ରଞ୍ଜନକୁ ନିକଟସ୍ଥ ମେଡିକାଲକୁ ନେଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ମଧ୍ୟରାତ୍ରରେ ରଞ୍ଜନ ମୃତ୍ୟୁ ଘଟିଥିବା ନେଇ ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ଖବର ଆସିଥିଲା ।
ଶନିବାର ସକାଳୁ ସମ୍ପର୍କୀୟମାନେ ସ୍ଥାନୀୟ କିଛି ସମାଜସେବୀଙ୍କୁ ଯୋଗାଯୋଗ କରି ଶବକୁ ନିଜ ଗ୍ରାମକୁ ଆଣିବାକୁ ସହଯୋଗ ଲୋଡିଥିଲେ । ବ୍ଲକ୍ ଲାଇନ ଅଞ୍ଚଳର କିଛି ସମାଜସେବୀ ଏନେଇ ଉପଖଣ୍ଡ ଶ୍ରମ ବିଭାଗ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିବା ସହ ଶବ ଆଣିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାକାର ପୁଲିସ ଥାନା ଓ ସାଙ୍ଗରେ ଥିବା ବନ୍ଧୁମାନଙ୍କୁ ଯୋଗାଯୋଗ କରି ଶବ ଆଣିବାର ବ୍ୟବସ୍ଥା କରାଯାଇଛି ।
ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ଯୋଗାଯୋଗ ବେଳେ ପେରିୟାନାଇକେନପାଲୟମ ଥାନା ଓ ସେଠାକାର ପ୍ରଶାସନ ସହ ଆଲୋଚନା କରାଯାଇଛ । ସେଠାରୁ ଟ୍ରେନ ଯୋଗେ ମୃତ ରଞ୍ଜନଙ୍କ ଶବ ସହ ତାଙ୍କ ସ୍ତ୍ରୀ ଓ ଜଣେ ସମ୍ପର୍କୀୟ ଭାଇ ଆସୁଛନ୍ତି । ସେମାନେ ଆସନ୍ତାକାଲି ବ୍ରହ୍ମପୁର ଷ୍ଟେସନରେ ପହଞ୍ôଚବା ପରେ ସ୍ପେଶାଲ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମରେ ପହଞ୍ôଚବେ । ଅନ୍ୟପଟେ ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଆଇନଜୀବୀ ପ୍ରଦୀପ ଶେଖର ପାଳ ପରିବାର ସମ୍ପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି ।