28.1 C
Bhubaneswar
Thursday, May 2, 2024
Homeଓଡିଶାନର୍ସିଂହୋମର ଜୁଲମ, ଟଙ୍କା ପାଇଁ ବାଜିରେ ଲାଗିଛି ରୋଗୀଙ୍କ ଜୀବନ

ନର୍ସିଂହୋମର ଜୁଲମ, ଟଙ୍କା ପାଇଁ ବାଜିରେ ଲାଗିଛି ରୋଗୀଙ୍କ ଜୀବନ

କଟକ : ସହରର ଗଳି କନ୍ଦିରେ ଛତୁ ଫୁଟିବା ପରି ଖୋଲିଛି ନର୍ସିଂ ହୋମ । ରୋଗୀ ସେବା ନାମରେ କରାଯାଉଛି ଶୋଷଣ । ଟଙ୍କା ପାଇଁ ଗୁରୁତର ରୋଗୀଙ୍କ ଜୀବନକୁ ମଧ୍ୟ ଲଗାଯାଉଛି ବାଜିରେ । ରୋଗୀ ଗ୍ରହଣ ବେଳେ ଗୋଟିଏ କଥା ଓ ଚିକିତ୍ସା ହେଉଥିବା ସମୟରେ ଅନ୍ୟ ଗୋଟିଏ କଥା । ଅନେକ ସମୟରେ ଟଙ୍କା ପାଇଁ ରୋଗୀଙ୍କୁ ବନ୍ଧକ ରଖା ଯାଉଛି । ଏପରିକି କେତେକ ସମୟରେ ରୋଗୀ ମୃତ୍ୟୁ ଘଟିଲେ ମଧ୍ୟ ଟଙ୍କା ପାଇଁ ମୃତ ଦେହକୁ ଛଡ଼ା ଯାଉନି ବୋଲି ଅଭିଯୋଗ ହେଉଛି ।  ପୁଲିସ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହେଉଛି । ଏମାନଙ୍କୁ ନିୟନ୍ତ୍ରଣ କରିବାକୁ କେହି ନାହାନ୍ତି । ଜଣେ ଗୁରୁତର ରୋଗୀଙ୍କୁ ଅଧିକ ଉନ୍ନତ ଚିକିତ୍ସା ପାଇଁ ସଂପର୍କୀୟ ନେବାକୁ ଚାହିଁବାରୁ ଆଶାତୀତ ଭାବେ ବଢାଇ ଦିଆଯାଇଛି ବିଲ୍ । ୫ ଦିନରେ ଧରାଇ ଦିଆଯାଇଛି ୧ ଲକ୍ଷ ୩୫ ହଜାର ଟଙ୍କାର ବିଲ୍ । ରୋଗୀ ସଂପର୍କୀୟ ୮୦ ହଜାର ଟଙ୍କା ପୈଠ କରି ସାରିଲେଣି । ଆମ୍ବୁଲାନସ ୪ ଘଣ୍ଟା ଧରି ଠିଆ ହୋଇ ରହିଛି । ମାତ୍ର ରୋଗୀକୁ ଛଡ଼ା ଯାଉନାହିଁ । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାନଦୀ ବିହାରର ଏକ ନର୍ସିଂ ହୋମରେ ।

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ପ୍ରଦୀପ କୁମାର ଘଡ଼ାଇ(୫୨) ଗତ ୧ ମାସ ପୂର୍ବେ କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଠାରୁ ଚିକିତ୍ସିତ ହୋଇ କୋଭିଡ଼୍ ନେଗେଟିଭ ହେବା ପରେ ଡିସଚାର୍ଜ ହୋଇଥିଲେ । ପରେ ତାଙ୍କର ଫୁସଫୁସରେ ସମସ୍ୟା ଦେଖା ଦେବାରୁ ମହାନଦୀ ବିହାର ଉର୍ବଶୀ ନର୍ସିଂ ହୋମରେ ଚିକିତ୍ସା ପାଇଁ ଗତ ଶୁକ୍ରବାର ଭର୍ତ୍ତି ହୋଇଥିଲେ । ଆଜି ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା । ସଂପର୍କୀୟ ତାଙ୍କ ରୋଗୀଙ୍କୁ ନେଇ ଯିବାକୁ କହିବା ପରେ ନର୍ସିଂ ହୋମ୍ କର୍ତ୍ତୃପକ୍ଷ ତାଙ୍କୁ ଛାଡ଼ିବାକୁ ରାଜି ହୋଇନଥିଲେ। ଚିକିତ୍ସା ଚାଲିଛି ବୋଲି କହି ଚାଲିଲେ । ମାତ୍ର ସଂପର୍କୀୟ ରୋଗୀଙ୍କୁ ନେଇ ଯିବାକୁ ଜିଦ୍ କରିବା ପରେ ନର୍ସିଂ ହୋମ୍ ପକ୍ଷରୁ ଧରାଇ ଦିଆଗଲା ଲମ୍ବା ଚିଠା । ୫ ଦିନର ଚିକିତ୍ସା ବାବଦକୁ ଧରାଇ ଦିଆଗଲା ୧ ଲକ୍ଷ ୩୫ ହଜାର ଟଙ୍କାର ବିଲ୍ ।

ତେବେ ହଠାତ୍ ଏତେ ଟଙ୍କାର ବିଲ୍ ଦେଖି ସଂପର୍କୀୟ ହତବାକ୍ । ଯୋଗାଡ଼ କରି ୮୦ ହଜାର ଟଙ୍କା ପୈଠ କରି ଅବଶିଷ୍ଟ ଟଙ୍କା ପରେ ଦେବାକୁ ଚୁକ୍ତି କରି ତାଙ୍କ ରୋଗୀକୁ ଅନ୍ୟତ୍ର ନେଇ ଚିକିତ୍ସା କରିବାକୁ କହି ଆମ୍ବୁଲାନସ ଡକାଇ ଥିଲେ ମଧ୍ୟ ନର୍ସିଂ ହୋମ କର୍ତ୍ତୃପକ୍ଷଙ୍କର ସେହି ଗୋଟିଏ ଜିଦ୍ ସବୁ ଟଙ୍କା ପୈଠ କର ରୋଗୀକୁ ନିଅ । ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଆମ୍ବୁଲାନସ ଠିଆ ହୋଇ ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ଆନ୍ତରିକତା ଦେଖାଉନଥିବା ଅଭିଯୋଗ କରାଯାଇଛି । ଟେଲିଫୋନ ନମ୍ବର ୯୪୩୭୧୧୮୬୦୨ରେ ନର୍ସିଂ ହୋମ୍ ସହ ଯୋଗାଯୋଗ କରି ଘଟଣା ସଂପର୍କରେ ପ୍ରତିକ୍ରିୟା ଚାହିଁବାରୁ ମାଲିକଙ୍କୁ ଡାକୁଛି କଥା ହୋଇ ଯାଆନ୍ତୁ କହି ଫୋନ୍ କାଟି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking