28.1 C
Bhubaneswar
Monday, July 1, 2024
Homeଓଡିଶାବିଧାନସଭାରେ ଏଡ଼ିଟେଡ୍ ଫଟୋ ଦେଖାଇ ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି: ବିଜେଡ଼ି

ବିଧାନସଭାରେ ଏଡ଼ିଟେଡ୍ ଫଟୋ ଦେଖାଇ ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି: ବିଜେଡ଼ି

 ଗୋବଲ୍ସ ନୀତି ଆପଣାଇ ମିଛକୁ ସତ କରିବାକୁ ଅପଚେଷ୍ଟା କରୁଛି ବିରୋଧୀ ଦଳ
 ରାଜ୍ୟ ବିଜେପିର ଚକ୍ରାନ୍ତକୁ ଓଡ଼ିଶାବାସୀ ବୁଝିସାରିଛନ୍ତି
 ଜନପ୍ରତିନିଧି ଓ ସରକାରୀ ଅଫିସର ପରସ୍ପରର ପରିପୂରକ
 ଜନପ୍ରତିନିଧିଙ୍କ ନିଷ୍ପତ୍ତିକୁ ସରକାରୀ ଅଫିସରମାନେ କାର୍ଯ୍ୟକାରୀ କରନ୍ତି
ଭୁବନେଶ୍ୱର : ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଚାଲିଛି । ସେ ହେଉଛନ୍ତି ସରକାର ଓ ପ୍ରଶାସନର ସର୍ବୋଚ୍ଚ କର୍ତ୍ତା । ମାତ୍ର ବିଧାନସଭାରେ ବିରୋଧୀଦଳ ବାରମ୍ବାର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ମାନ ହାନି କରୁଛନ୍ତି । ଏଡିଟେଡ୍ ଫଟୋ ଦେଖାଇ ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି । ମିଥ୍ୟା ଅଭିଯୋଗ ଆଣି ବରିଷ୍ଠ ମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ବିରୋଧୀଦଳ ନେତା। ଗୋବଲ୍ସ ଥିଓରି ଆପଣାଇ ତିନି ତୁଣ୍ଡରେ ଛେଳି କୁକୁର କରିବାକୁ ଅପଚେଷ୍ଟା କରୁଛନ୍ତି । ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନ ଦେଇ ଅଯଥା ରାଜନୀତି କରୁଛନ୍ତି । ତେବେ ବିଜେପିର ଏଭଳି ଚକ୍ରାନ୍ତକୁ ଓଡ଼ିଶାବାସୀ ବୁଝି ସାରିଲେଣି । ଆଜି ବିଧାନସଭାରେ ବରିଷ୍ଠ ମନ୍ତ୍ରୀଙ୍କ ବିରୋଧରେ ବିରୋଧୀଦଳ ନେତାଙ୍କ ମିଛ ଆକ୍ଷେପକୁ ଏଭଳି ଢଙ୍ଗରେ ତୀବ୍ର ବିରୋଧ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାୟକ ଡ.ଅରୁଣ ସାହୁ ।
ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଡ.ସାହୁ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ଜନସାଧାରଣ ବାରମ୍ବାର ଆଶୀର୍ବାଦ ଦେଇ ଆସୁଥିବାବେଳେ ଭାରତ ବର୍ଷର ଅନ୍ୟ ରାଜ୍ୟମାନେ ମଧ୍ୟ ତାଙ୍କୁ ଆଦର୍ଶ ଭାବରେ ଗ୍ରହଣ କରୁଛନ୍ତି । ରାଜ୍ୟରେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଯାହା ନିଷ୍ପତ୍ତି କରନ୍ତି, ସରକାରୀ ଅଫିସରମାନେ ତାହା କାର‌୍ୟ୍ୟକାରୀ କରନ୍ତି । ତେଣୁ ସରକାର ଓ ସରକାରୀ ଅଫିସର ହେଉଛନ୍ତି ନଖକୁ ମାଉଁସ ଭଳି । ଜନପ୍ରତିନିଧି ଓ ସରକାରୀ ଅଧିକାରୀ ପରସ୍ପରର ପରିପୂରକ ନ ହେଲେ ଦେଶ ବା ରାଜ୍ୟ ପ୍ରଗତି ପଥରେ ଆଗେଇ ପାରିବ ନାହିଁ । ସରକାରୀ ଅଫିସରମାନେ ଇଂରେଜ କି ପାକିସ୍ତାନୀ ନୁହନ୍ତି । ନିର୍ବାଚିତ ଜନପ୍ରତିନିଧିଙ୍କ ଉଦ୍ଦେଶ୍ୟ ହେଉଛି ଜନତାଙ୍କ ସେବା କରିବା । ସରକାରୀ ଅଧିକାରୀମାନେ ମଧ୍ୟ ଏହି ସେବା କାର‌୍ୟ୍ୟକୁ ଆଗେଇ ନେବା ପାଇଁ ନିଯୁକ୍ତ ହୋଇଛନ୍ତି । ଏହା ଭଲଭାବରେ ଜାଣିଥିଲେ ମଧ୍ୟ ରାଜ୍ୟ ବିଜେପି ମିଥ୍ୟା ଅଭିଯୋଗ କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି।
ବିରୋଧୀଦଳ ବିଧାନସଭାରେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସମସ୍ୟା କଥା ଉଠାଉ ନଥିବା ଅଭିଯୋଗ କରି ଡ.ସାହୁ କହିଛନ୍ତି ଯେ ପ୍ରସଙ୍ଗ ନ ଥାଇ ସେମାନେ ଗୋଟିଏ କଥାକୁ ଦୋହାରାଇ ଚାଲିଛନ୍ତି ଏବଂ ପ୍ରତିଦିନ ଗୋଟିଏ ଗୋଟିଏ ମିଥ୍ୟା ଅଭିଯୋଗ ଆଣି ବିଧାନସଭାର ମୂଲ୍ୟବାନ ସମୟକୁ ଅପଚୟ କରୁଛନ୍ତି । ହିଟଲରଙ୍କ ପ୍ରଚାରମନ୍ତ୍ରୀ ଗୋବଲ୍ସଙ୍କର ନୀତି ଅନୁସରଣ କରି ତିନି ତୁଣ୍ଡରେ ଛେଳି କୁକୁର ଭଳି ମିଛକୁ ସତ ବୋଲି ବାରମ୍ବାର ପ୍ରଚାର କରିବାକୁ ଅପଚେଷ୍ଟା କରୁଛନ୍ତି । ମାତ୍ର ସତ କ’ଣ ଓଡ଼ିଶାର ଲୋକ ତାହା ଭଲ ଭାବରେ ଜାଣନ୍ତି । ତେଣୁ ବିରୋଧୀଦଳ ପ୍ରଥମେ ସମ୍ବିଧାନ ଓ ଆଇନକାନୁନକୁ ବୁଝନ୍ତୁ । ଯେହେତୁ ସେମାନେ ଏହା ବୁଝି ପାରୁନାହାନ୍ତି, ସେଥିପାଇଁ ଓଡ଼ିଶାର ସଚେତନ ଜନସାଧାରଣ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ତେଣୁ ବିରୋଧୀଦଳ ଲୋକଙ୍କୁ ଭୁଆଁ ନ ବୁଲାଇ ଅନ୍ତଃତପକ୍ଷେ ବିଧାନସଭାରେ ସତ କହିବା ଶିଖନ୍ତୁ ଏବଂ ପବିତ୍ର ଗୃହର ମର‌୍ୟ୍ୟାଦା ରକ୍ଷା କରନ୍ତୁ ବୋଲି ଡ.ସାହୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking