27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶପିଆଜ ମୂଲ୍ୟ ବୃଦ୍ଧି ଆଶଙ୍କାରେ ଖାଉଟି; ମାର୍ଚ୍ଚ ୩୧ ଯାଏ ବଳବତ୍ତର ରହିବ ରପ୍ତାନୀ କଟକଣା

ପିଆଜ ମୂଲ୍ୟ ବୃଦ୍ଧି ଆଶଙ୍କାରେ ଖାଉଟି; ମାର୍ଚ୍ଚ ୩୧ ଯାଏ ବଳବତ୍ତର ରହିବ ରପ୍ତାନୀ କଟକଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ ଲାଗୁ କରିଥିବା କଟକଣା ବର୍ତ୍ତମାନ ସୁଦ୍ଧା ବଳବତ୍ତର ରଖିଛନ୍ତି । କିନ୍ତୁ ଏବେ ଠାରୁ ପିଆଜ ଦର ଆସନ୍ତା ୨ ମାସ ମଧ୍ୟରେ ଦେଶବ୍ୟାପୀ ଅହେତୁକ ଭାବେ ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏପ୍ରକାର ଚର୍ଚ୍ଚା ପିଆଜ ଖାଉଟି ତଥା ଗ୍ରାହକଙ୍କୁ ଏବେଠାରୁ ଭୟଭୀତ କରିବା ଆରମ୍ଭ କରିଦେଇଛି । ବର୍ତ୍ତମାନ ସମୟରେ ଦେଶରେ ରସୁଣ ଦର ଆକାଶଛୁଆଁ ରହିଥିବା ବେଳେ ଏବେ ଯଦି ପିଆଜ ଭୂଲ୍ୟ ବୃଦ୍ଧି ପାଇବ ତେବେ ଏହା ଗରିବ ତଥା ମଧ୍ୟବିତ୍ତ ବର୍ଗର ହିତାଧିକାରୀଙ୍କ ପେଟକୁ କୁଠାରଘାତ ସଦୃଶ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଗତକାଲି ଠାରୁ ନାସିକର ଲାସାଲଗାଓଁ ମଣ୍ଡିରେ ପିଆଜ ମୂଲ୍ୟ ହାରହାରି ୪୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଶନିବାର ପିଆଜ କ୍ୱିଣ୍ଟାଲ୍ ୧୨୮୦ ଟଙ୍କା ଥିବା ବେଳେ ସୋମବାର ସୁଦ୍ଧା ଏଠାରେ ପିଆଜ କ୍ୱିଣ୍ଟାଲ୍ ୧୮୦୦ ଟଙ୍କାକୁ ବୃଦ୍ଧି ପାଇଛି । ପିଆଜ ରପ୍ତାନୀକାରୀମାନେ ଏବେ ବିଦେଶକୁ ପିଆଜ ରପ୍ତାନୀ କରିବା ଉଦ୍ଦେଶ୍ୟରେ ଚଢ଼ାମୂଲ୍ୟରେ ପିଆଜ କିଣିବା ଆରମ୍ଭ କରିଦେଇଥିବା ବେଳେ ମୂଲ୍ୟ ବୃଦ୍ଧି ପାଇଥିବା କୁହାଯାଉଛି ।

ବାସ୍ତବରେ ଗତ ଶୁକ୍ରବାର ଦିନ କେନ୍ଦ୍ରମନ୍ତ୍ରୀ ଭାରତୀ ପାୱାର କହିଥିଲେ ଯେ, ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ନେତୃତ୍ୱରେ ବସିଥିବା ମନ୍ତ୍ରିସ୍ତରୀୟ ବୈଠକରେ ପିଆଜ ରପ୍ତାନୀ ଉପରୁ କଟକଣା ହଟାଇବା ଉପରେ ନିଷ୍ପତ୍ତି ନିଆଯାଇଛି । ଭାରତୀ ପାୱାରଙ୍କ ଏପ୍ରକାର ମନ୍ତବ୍ୟ ଆସିବାର କିଛି ଘଣ୍ଟା ମଧ୍ୟରେ ଲାସାଲଗାଓଁ ମଣ୍ଡିରେ ପିଆଜ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବା ଦେଖିବାକୁ ମିଳିଥିଲା । ତେବେ ଏସବୁ ଚର୍ଚ୍ଚା ଉପରେ ମଙ୍ଗଳବାର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଖାଉଟି କଲ୍ୟାଣ ବିଭାଗ ସଚିବ ରୋହିତ କୁମାର ସିଂହ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଏସମ୍ପର୍କରେ ସାକ୍ଷାତକାର ଦେଇ ସୂଚନା ଦେଇଛନ୍ତି । ଶ୍ରୀ ସିଂହ କହିଛନ୍ତି, ୨୦୨୩ ଡିସେମ୍ବର ୮ ତାରିଖରେ ସେସମୟରେ ଦେଶରେ ପିଆଜ ଅଭାବ ତଥା ମୂଲ୍ୟବୃଦ୍ଧି ଆଶଙ୍କାରେ ବିଦେଶକୁ ପିଆଜ ରପ୍ତାନୀ ଉପରେ କଟକଣା ଅବଧି (ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ) ଲାଗୁ କରାଯାଇଥିଲା । ଅର୍ଥାତ୍ ପୂର୍ବ ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ଦେଶରୁ ପିଆଜ ରପ୍ତାନୀ ଉପରେ କଟକଣା ଜାରି ରହିବ ।

ଏହି ସମୟ ପରେ ଦେଶରେ ଦୈନିକ ପିଆଜ ଖର୍ଚ୍ଚ ଅନୁପାତ ସହ କେତେ ପରିମାଣର ପିଆଜ ମହଜୁଦ୍ ରହିଛି ଏବଂ କେଉଁ ସମୟ ସୁଦ୍ଧା ପୁନର୍ବାର ଘରୋଇସ୍ତରରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଉପଲବ୍ଧ ହୋଇପାରିବ ସେସବୁ ସମ୍ପର୍କରେ ସରକାର ଯାଞ୍ଚ୍ କରିବେ ଏବଂ ସେତେବେଳେ ପିଆଜ ବିଦେଶକୁ ରପ୍ତାନୀ କରାଯିବ କିମ୍ବା କଟକଣା ଅବଧିକୁ ବୃଦ୍ଧି କରାଯିବ ସେନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଏହି ପରିପ୍ରେକ୍ଷୀରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଉପଭୋକ୍ତା ଆଶ୍ୱସ୍ତ ରୁହନ୍ତୁ ଯେ, ଦେଶରେ ପିଆଜ ମୂଲ୍ୟକୁ ସ୍ଥିର ରଖିବା ପାଇଁ, ତଥା ପିଆଜ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ସରକାର ସତର୍କ ରହିଛନ୍ତି । ଏଥିପାଇଁ ଆବଶ୍ୟକୀୟ ନିଷ୍ପତ୍ତି ନିଆଯିବ । ଖାଉଟି କଲ୍ୟାଣ ବିଭାଗ ସଚିବ ରୋହିତ କୁମାର ସିଂହଙ୍କ କହିବାନୁସାରେ ଘରୋଇସ୍ତରରେ ପର୍ଯ୍ୟପ୍ତ ପରିମାଣର ପିଆଜ ଉପଲବ୍ଧତା ବା ମହଜୁଦ୍ ଏବଂ ଖାଉଟିଙ୍କ ପର୍ଯ୍ୟନ୍ତ ଶସ୍ତା ତଥା ଏକ ନିୟନ୍ତ୍ରିତ ମୂଲ୍ୟରେ ପିଆଜ ଉପଲବ୍ଧ କରାଇବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା ରହିଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking