ପାଟନା: ଏକତରଫା ପ୍ରେମର କରୁଣ ପରିଣତି । ବିହାର ସ୍ଥିତ ପୂର୍ବ ଚମ୍ପାରଣ ଜିଲ୍ଲାରୁ ସାମନାକୁ ଆସିଛି ଚାଞ୍ଚଲ୍ୟକର ଖବର । ଜଣେ ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ ପରେ ବିଫଳ ପ୍ରେମିକ ଘଟାଇଛି ଉନ୍ମତ କାଣ୍ଡ । ବର୍ବରତାର ସବୁ ସୀମା ଟପିଯାଇ ମହିଳାଙ୍କ ଉପରକୁ ଏସିଡ ଫିଙ୍ଗିଛି ଜହ୍ଲାଦ ପ୍ରେମିକ । ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବାବେଳେ ଅଭିଯୁକ୍ତ ଯୁବକ ଜଣକ ସେଠାରେ ପହଞ୍ଚିଥିଲା । ମହିଳାଙ୍କ ଘରର ଛାତ ଉପରେ ଚଢି ସେଠାରୁ ଆଜବେଷ୍ଟସ ଫାଙ୍କରେ ଏସିଡ୍ ପକାଇଥିଲା ଯୁବକ ଜଣକ । ଫଳରେ ମହିଳାଙ୍କ ସମେତ ଘରେ ଶୋଇ ରହିଥିବା ପରିବାରର ୪ଜଣ ସଦସ୍ୟ ଏସିଡ ଆକ୍ରମଣର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ଘରର ବାହାର ପଟୁ କବାଟ ଦେଇ ଚାଲି ଯାଇଥିଲା । ଯେପରିକି ଘରୁ କେହି ବାହାରକୁ ଆସି କାହାକୁ ସାହାଯ୍ୟ ମାଗିବାରେ ସଫଳ ହେବେ ନାହିଁ । କିଛି ସମୟ ପରେ ଘରୁ ଚିତ୍କାର ଆସୁଥିବାର ଶୁଣି ସେଠାରେ ପହଞ୍ଚିଥିଲେ ପଡୋଶୀ । ଆକ୍ରମଣର ଶିକାର ହୋଇଥିବା ପରିବାରର ସମସ୍ତ ସଦସ୍ତଙ୍କୁ ନିକଟସ୍ଥ ମୋତିହାରୀ ହସ୍ପିଟାରେ ଭର୍ତ୍ତି କରାଯାଇଥିଲା ।
ତେବେ ମହିଳାଙ୍କ ସମେତ ତାଙ୍କ ସ୍ୱାମୀ ଏବଂ ପୁଅ ଝିଅ ମଧ୍ୟ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବାବେଳେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମୁଜାଫରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପିପରି ପୋଲିସ ସେଠାରେ ପହଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିଛି । ଅଭିଯୁକ୍ତ ଯୁବକ ଜଣକ ପାଇପ୍ କନେକ୍ସନ ଡିପାର୍ଟମେଣ୍ଟରେ ଠିକାଦାର କାମ କରୁଥିବାବେଳେ ମହିଳାଙ୍କ ସ୍ୱାମୀ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଅଭିଯୁକ୍ତ ଯୁବକର ନାଁ ମହେଶ ଭଗତ ହୋଇଥିବା କହିଛନ୍ତି ପୀଡିତା । ମହେଶ ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିବାବେଳେ ନକଲି ମ୍ୟାରେଜ୍ ସାର୍ଟିଫିକେଟ ବାହାର କରିବା ସହ ପରିବାର ଛାଡି ତା ସହ ଚାଲି ଯିବାକୁ ଦୀର୍ଘ ଦିନ ଦରି ଚାପ ପକାଇ ଆସୁଥିଲା । ଏଥିରେ ଅମଙ୍ଗ ହେବାରୁ ପ୍ରତିଶୋଧ ପରାୟଣ ହୋଇ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲା ଅଭିଯୁକ୍ତ ମହେଶ । ପ୍ରେମର ବିଫଳ ହେବାରୁ ମହିଳାଙ୍କ ସମେତ ତାଙ୍କ ପରିବାରକୁ ମହେଶ ଆକ୍ରମଣ କରିଥିବା ନେଇ ପୀଡ଼ିତା ବୟାନ ଦେଇଛନ୍ତି । ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତ କରିବା ସହ ଅପରାଧୀକୁ ଖୁବଶୀଘ୍ର ଗିରଫ କରିବ ବୋଲି ପ୍ରକାଶ କରିଛି ପୋଲିସ ।