ଭୁବନେଶ୍ୱର : ଉତ୍ତର ଘୁମୁସର ବନଖଣ୍ଡ ଅଧିନ ଜଗନ୍ନାଥପ୍ରସାଦ ବନାଞ୍ଚଳ ସ୍ଥିତ ବେଲଗୁଣ୍ଠା ବିଟ ଜାମଗୋରଡା ନିକଟବର୍ତ୍ତୀ କନ୍ଧନୁଆଁପଲ୍ଲୀ ଗ୍ରାମ କାଜୁ ଜଙ୍ଗଲରୁ ଗତମାସ ୨୦ ତାରିଖରେ ଏକ ଦନ୍ତାହାତୀର ମୃତ ଦେହ ଉଦ୍ଧାର ହୋଇଥିଲା । ଶିକାରୀମାନେ ମୃତ ହାତୀର ଦାନ୍ତ କାଟି ନେଇଯାଇଥିବା ଜଣାପଡିଥିଲା । ଏହି ଘଟଣାରେ ସମ୍ପୃକ୍ତ କିଛି ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ଆଜି ପୁଣି ଆଉ ଜଣେ ଅଭିଯୁକ୍ତକୁ ଜଗନ୍ନାଥପ୍ରସାଦ ବନ ବିଭାଗ ଏବଂ ବୁଗୁଡ଼ା ପୁଲିସ ଧରିବାରେ ସଫଳ ହୋଇଛନ୍ତି । ତା’ ନିକଟରୁ ହାତୀ ଦାନ୍ତ ଜବତ ହୋଇଛି । ଗିରଫ ଯୁବକ ଜଣକ ବୁଗୁଡ଼ା ବ୍ଲକ ସଂକୁରୁ ଗ୍ରାମରୁ ତ୍ରିନାଥ ସ୍ୱାଇଁଙ୍କ ପୁଅ ନଣ୍ଡା ସ୍ୱାଇଁ (ବିମଳ ରଞ୍ଜନ ସ୍ୱାଇଁ) ବୋଲି ଜଣାପଡ଼ିଛି । ଗିରଫ ନଣ୍ଡା ସ୍ୱାଇଁକୁ ଅଧିକ ପଚରାଉଚରା ପରେ ସେ ମୃତ ହାତୀର ଦାନ୍ତକୁ ପୋତି ଦେଇଥିବା କହିଥିଲା । ପରେ ବୁଗୁଡ଼ା ପୋଲିସ ଓ ଜଗନ୍ନାଥପ୍ରସାଦ ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ନିଜ ଘର ବାରିପଟେ ଥିବା ଶୌଚାଳୟ ଟାଙ୍କି ନିକଟରେ ପୋତିଥିବା ଅର୍ଦ୍ଧଖଣ୍ଡିଆ ହାତୀ ଦାନ୍ତକୁ ଜବତ କରାଯାଇଥିଲା । ଅଧିକ ତଦନ୍ତ ପାଇଁ ନଣ୍ଡା ସ୍ୱାଇଁକୁ ଜଗନ୍ନାଥପ୍ରସାଦ ବନାଞ୍ଚଳକୁ ଅଣାଯାଇଥିବା ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି । ଆଜିର ଚଢ଼ଉ ସମୟରେ ଉତ୍ତର ଘୁମୁସର ସହକାରୀ ବନ ସଂରକ୍ଷକ ବିକ୍ରମ ଦେବ ପଟ୍ଟନାୟକ, ଦକ୍ଷିଣ ଘୁମୁସର ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ, ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ, ବନପାଳ ଗଣେଶ, ଫୋରେଷ୍ଟ ଗାର୍ଡ ବିନୋଦ ଚନ୍ଦ୍ର ପାତ୍ର ଓ ବୁଗୁଡ଼ା ପୁଲିସ ଉପସ୍ଥିତ ଥିଲେ । ସୂଚନା ଥାଉକି ବେଲଗୁଣ୍ଠା ବିଟ ଜାମଗୋରଡା ନିକଟବର୍ତ୍ତୀ କନ୍ଧନୁଆଁପଲି ଗ୍ରାମ କାଜୁ ଜଙ୍ଗଲରୁ ଗତ ମାସ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିଲ । ହାତୀଟି ମରି ପଡ଼ିଥିବା ବେଳେ ତାର ଗୋଟିଏ ଦାନ୍ତ ମାଟିରେ ପୋତି ହୋଇଥିବା ଏବଂ ଅନ୍ୟ ଦାନ୍ତଟି ୩୮% ପ୍ରତିଶତ ନଥିବା ଜଣାପଡିଥିଲା । ଶବ ବ୍ୟବଚ୍ଛେଦ ବେଳେ ଦନ୍ତା ହାତୀର ଦାନ୍ତ କାଟି ନେଇଥିବା ଜଣାପଡିଥିଳା । ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ଦୁଇ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା ।