ବ୍ୟୁରୋ : ଚନ୍ଦ୍ରଯାନ-୩ ଅଭିଯାନ ସଫଳ ହୋଇଥବାରୁ ଆଜି ପୁରା ଦେଶ ଉତ୍ସବ ମୁଖର । ଚାରିଆଡେ ଖୁସିର ଲହରି ଖେଳାଇ ଯାଇଥିବା ବେଳେ ସିନେମା ଜଗତରୁ ଆସିଛି ଏକ ଦୁଃଖଦ ଖବର । ଅଭିନେତ୍ରୀ ସୀମା ଦେଓଙ୍କର ଦେହାନ୍ତ ହୋଇଛି। ସୀମା ଦେଓ ମରାଠୀ ଏବଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡ଼ିର ଅଭିନେତ୍ରୀ ଥିଲେ। ସୀମା ଦେଓଙ୍କୁ ୮୩ ବର୍ଷ ବୟସ ହୋଇଥିବା ବେଳେ ସେ ଆଜି ସକାଳେ ଦୁନିଆରୁ ବିଦାୟ ନେଇଛନ୍ତି । ସୂଚନା ଅନୁଯାୟୀ, ୨୦୨୦ରେ ସୀମା ଦେଓଙ୍କ ପୁଅ ଅଭିନୟ ତାଙ୍କ ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଥିଲେ ଯେ, ‘ମୋର ମାଆ ଶ୍ରୀମତୀ ସୀମା ଦେଓ ଆଲ୍ଜାଇମର୍ସ ରୋଗଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ସମଗ୍ର ଦେଓ ପରିବାର ତାଙ୍କ ନିରାମୟ କାମନା କରୁଛି। ଆଶା,ତାଙ୍କୁ ଶ୍ରଦ୍ଧା କରୁଥିବା ସମଗ୍ର ମହାରାଷ୍ଟ୍ରବାସୀ ମଧ୍ୟ ତାଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରିବେ’। ଦୀର୍ଘ ଦିନ ଧରି ଏହି ରୋଗ ସହ ଲଢ଼ୁଥିବା ବେଳେ ଆଜି ସକାଳେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଦୁଃଖଦ ଘଟଣା ପରେ ବଲିଉଡ୍ ରେ ଏବେ ଶୋକର ମାହୋଲ ଖେଳାଇ ଯାଇଛି । ସୀମା ତାଙ୍କ କ୍ୟାରିୟରରେ ୮୦ ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଭାଷା ଚଳଚ୍ଚିତ୍ରରେ କାମ କରିଥିଲେ। ୧୯୬୦ମସିହାରେ ଫିଲ୍ମ ‘ମିଆଁ ବିବି ରଜା’ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ‘ଭାବି କି ଚୁଡିୟାଁ’, ‘ଦଶ ଲକ୍ଷ’, ‘କୋଶିଶ’, ‘କୋରା କାଗାଜ’, ‘ସଂସାରା’ ‘ସୁନହରା ସଂସାର’ ଏବଂ ସ୍‘ସରସ୍ବତୀଚନ୍ଦ୍ର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଶେଷଥର ପାଇଁ ତାଙ୍କୁ ମରାଠୀ ଫିଲ୍ମ ‘ଜୀବନ ସନ୍ଧ୍ୟା’ ରେ ଦେଖିବାକୁ ମିଳିଥିଲା ।