ଚଣ୍ଡିଗଡ଼: ପଞ୍ଜାବ ସରକାର ରାଜ୍ୟ କର୍ମଚାରୀଙ୍କ ପୁରୁଣା ପେନ୍ସନ୍ ଯୋଜନାକୁ ପୁଣିଥରେ ଲାଗୁ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ମିଟିଂରେ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସେହିପରି କର୍ମଚାରୀଙ୍କ ଡିଏରେ ୬ ପ୍ରତିଶତି ବୃଦ୍ଧିକୁ ମଧ୍ୟ ମଞ୍ଜୁରୀ ମିଳିଛି । କ୍ୟାବିନେଟ୍ ମିଟିଂ ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏହି ସୂଚନା ଦେଇଛନ୍ତି ।
ମାନ୍ ଏହାକୁ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର ବୋଲି କହିଛନ୍ତି । ଏହି ସ୍କିକ୍ ପୁନଃ ପ୍ରବର୍ତ୍ତନ ହେବା ଫଳରେ ଅବସର ନେଇସାରିଥିବା ଲକ୍ଷାଧିକ ପୂର୍ବତନ କର୍ମଚାରୀ ଲାଭବାନ ହେବେ। ୨୦୦୪ରେ ନୂଆ ପେନ୍ସନ୍ ସ୍କିମ୍ ଲାଗୁ କରାଯାଇଥିଲା । ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦ୍ମୀ ପାର୍ଟି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ କୁହାଯାଇଛି । ରାଜ୍ୟ କର୍ମଚାରୀଙ୍କୁ ଦରମା ଦେବା ପାଇଁ ସରକାରଙ୍କ ନିକଟରେ ଅର୍ଥ ନାହିଁ, ମହିଳାଙ୍କୁ ପ୍ରତି ମାସରେ ଏକ ହଜାର ଟଙ୍କାର ପ୍ରତିଶ୍ରୁତି ପୂରଣ ହୋଇନଥିବା ବେଳେ ଏହା ନିବାଚନୀ ଭେଳିକି ବୋଲି ସେମାନେ କହିଛନ୍ତି ।