34.1 C
Bhubaneswar
Tuesday, October 6, 2026
Homeଓଡିଶାଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ଏକ୍ସପୋ ୨୦୨୬ରେ ଡିଜିଟାଲ୍ ମୋବିଲିଟିର ନୂତନ ପଦକ୍ଷେପ ପ୍ରଦର୍ଶନ...

ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ଏକ୍ସପୋ ୨୦୨୬ରେ ଡିଜିଟାଲ୍ ମୋବିଲିଟିର ନୂତନ ପଦକ୍ଷେପ ପ୍ରଦର୍ଶନ କରିବ ‘ଓଡ଼ିଶା ଯାତ୍ରୀ’

ଭୁବନେଶ୍ୱର: ରାଜ୍ୟର ପ୍ରଯୁକ୍ତିନିର୍ଭର ଯାତାୟାତ ପ୍ଲାଟଫର୍ମ ‘ଓଡ଼ିଶା ଯାତ୍ରୀ’ ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ଏକ୍ସପୋ ୨୦୨୬ରେ ଏହାର ବିକଶିତ ମୋବିଲିଟି ଇକୋସିଷ୍ଟମ୍‌ ଏବଂ ନାଗରିକକୈନ୍ଦ୍ରିକ ଡିଜିଟାଲ୍ ପଦକ୍ଷେପ ପ୍ରଦର୍ଶନ କରିବ। ‘ଅର୍ବାନ୍ ଆକ୍ସେସିବିଲିଟି ଆଣ୍ଡ୍ ଲାଇଭାବିଲିଟି ଇନ୍ ଦି ଡିଜିଟାଲ୍ ଏଜ୍’ (Urban Accessibility & Liveability in the Digital Age) ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜିତ ହେବ।

ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ଏକ୍ସପୋ ଆୟୋଜନ କରିବାରେ ଓଡ଼ିଶା ପୂର୍ବ ଭାରତର ପ୍ରଥମ ରାଜ୍ୟ ହେବ। ଆବାସ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ (MoHUA)ର ଏହି ବାର୍ଷିକ ପ୍ରମୁଖ ସମ୍ମିଳନୀ ନୀତି ନିର୍ଦ୍ଧାରକ, ସହରୀ ପରିବହନ ବିଶେଷଜ୍ଞ, ପ୍ରଯୁକ୍ତି ଓ ସେବା ପ୍ରଦାନକାରୀ, ପେଶାଦାର ଏବଂ ବିଶେଷଜ୍ଞମାନଙ୍କୁ ଏକତ୍ରିତ କରି ଜ୍ଞାନ ବିନିମୟ, ଶ୍ରେଷ୍ଠ ପଦକ୍ଷେପର ଆଦାନପ୍ରଦାନ ଏବଂ ସ୍ଥାୟୀ ସହରୀୟ ଯାତାୟାତ ପାଇଁ ନୂତନ ସମାଧାନ ଅନ୍ୱେଷଣର ସୁଯୋଗ ପ୍ରଦାନ କରିବ।

ପ୍ରଯୁକ୍ତିନିର୍ଭର ନାଗରିକ ସୁରକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଣ୍ଟି ସ୍ଥାପନ କରି ଓଡ଼ିଶା ‘ଓଡ଼ିଶା ଯାତ୍ରୀ’ରେ ସେଫ୍ଟି ମଡ୍ୟୁଲ୍‌ ଆରମ୍ଭ କରିଛି। ଏହା ମାଧ୍ୟମରେ ଏକକ ରାଜ୍ୟ ମାଲିକାନାଧୀନ ପ୍ଲାଟଫର୍ମରେ ଯାତାୟାତ ଓ ନାଗରିକ ସୁରକ୍ଷା ସେବାକୁ ଏକତ୍ର କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି। ଏହି ପଦକ୍ଷେପରେ ଓଡ଼ିଶା ପୁଲିସ ଏବଂ ଜାତୀୟ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ୧୧୨ ସହିତ ସମନ୍ୱୟ ସ୍ଥାପନ କରାଯାଇଛି।

ସେଫ୍ଟି ମଡ୍ୟୁଲ୍‌ ଉଭୟ iOS ଓ Android ପ୍ଲାଟଫର୍ମରେ ଉପଲବ୍ଧ ରହିଛି। ଏଥିରେ Shake to Alert, ଆଲାର୍ମ, ଲୋକେସନ୍ ସେୟାରିଂ ଏବଂ ଜରୁରୀକାଳୀନ ସମ୍ପର୍କ ସୁବିଧା ସମେତ ୧୧ଟି ସୁରକ୍ଷା ବୈଶିଷ୍ଟ୍ୟ ସମନ୍ୱିତ ହୋଇଛି। One-Tap SOS ସୁବିଧା ମାଧ୍ୟମରେ ବ୍ୟବହାରକାରୀ ସିଧାସଳଖ ଜାତୀୟ ଜରୁରୀକାଳୀନ ହେଲ୍ପଲାଇନ୍ ୧୧୨ ସହିତ ଯୋଗାଯୋଗ କରିପାରିବେ। ଏପର୍ଯ୍ୟନ୍ତ ପ୍ରାୟ ୧.୮୬ ଲକ୍ଷ ବ୍ୟବହାରକାରୀଙ୍କ ନିକଟରେ ସେଫ୍ଟି ମଡ୍ୟୁଲ୍‌ ପହଞ୍ଚିପାରିଛି।

ମୋବିଲିଟି ସେବା କ୍ଷେତ୍ରରେ ମଧ୍ୟ ‘ଓଡ଼ିଶା ଯାତ୍ରୀ’ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ପ୍ଲାଟଫର୍ମ ମାଧ୍ୟମରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ୬.୩୪ ଲକ୍ଷ ପଞ୍ଜୀକୃତ ବ୍ୟବହାରକାରୀ ଏବଂ ୧୮.୬ ହଜାର ସକ୍ରିୟ ଡ୍ରାଇଭର ୫ଟି ସହରରେ ଏହି ପ୍ଲାଟଫର୍ମ ସହିତ ଯୋଡ଼ି ହୋଇଛନ୍ତି। ଡ୍ରାଇଭରମାନଙ୍କ ଆୟ କ୍ଷେତ୍ରରେ ମଧ୍ୟ ‘ଓଡ଼ିଶା ଯାତ୍ରୀ’ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ପ୍ଲାଟଫର୍ମ ମାଧ୍ୟମରେ ଡ୍ରାଇଭରମାନେ ମୋଟ ₹୧୫.୫ କୋଟି ଆୟ କରିଛନ୍ତି। ୧୦୦ ପ୍ରତିଶତ ପାସ୍-ଥ୍ରୁ ମଡେଲ୍‌ ଅନୁସାରେ ଯାତ୍ରୀଙ୍କ ଦେୟର ସମ୍ପୂର୍ଣ୍ଣ ରାଶି ଡ୍ରାଇଭରମାନଙ୍କ ନିକଟରେ ପହଞ୍ଚୁଥିବା ବେଳେ କୌଣସି କମିଶନ୍‌ ରଖାଯାଉନାହିଁ।

ଜାନୁଆରୀ ୨୦୨୬ରେ ‘ଓଡ଼ିଶା ଯାତ୍ରୀ’ ସର୍ବୋଚ୍ଚ ମାସିକ ପ୍ରଦର୍ଶନ ରେକର୍ଡ କରିଥିଲା। ଏହି ମାସରେ ୩.୨୮ ଲକ୍ଷ ରାଇଡ୍ ସର୍ଚ୍ଚ ମଧ୍ୟରୁ ୬୦ ହଜାର ଯାତ୍ରା ସମ୍ପନ୍ନ ହୋଇଥିଲା। ଏହା ରାଜ୍ୟରେ ପ୍ରଯୁକ୍ତିନିର୍ଭର ମୋବିଲିଟି ସେବା ପ୍ରତି ବଢ଼ୁଥିବା ଗ୍ରହଣୀୟତାକୁ ପ୍ରତିଫଳିତ କରୁଛି।

ପାରମ୍ପରିକ ରାଇଡ୍-ହେଲିଂ ସେବାର ସୀମା ଅତିକ୍ରମ କରି ‘ଓଡ଼ିଶା ଯାତ୍ରୀ’ ଏକ ବ୍ୟାପକ ଓ ସମନ୍ୱିତ ମୋବିଲିଟି ଇକୋସିଷ୍ଟମ୍‌ ଗଠନ ଦିଗରେ ଆଗେଇ ଚାଲିଛି। ବର୍ତ୍ତମାନ ଏହି ପ୍ଲାଟଫର୍ମ ୪ଟି ସହରରେ ‘ଆମ ବସ୍’ ସେବାକୁ ସୁବିଧା ଯୋଗାଇ ଦେଉଥିବା ବେଳେ ସାତପଡ଼ାରେ ଡଲଫିନ୍ ବୋଟ୍ ଆସୋସିଏସନ୍‌ ସହଭାଗିତାରେ ନୌକା ସେବା ମଧ୍ୟ ଉପଲବ୍ଧ କରାଯାଉଛି।

ମୋବିଲିଟି ଓ ନାଗରିକ ସୁରକ୍ଷା ସେବାର ଏହି ସମନ୍ୱୟ ପ୍ରଯୁକ୍ତିନିର୍ଭର ସାର୍ବଜନୀନ ସେବାକୁ ଅଧିକ ସୁଗମ, ଦ୍ରୁତ ଓ ଦାୟିତ୍ୱଶୀଳ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଜରୁରୀକାଳୀନ ସତର୍କ ସୂଚନା, ଲୋକେସନ୍ ସେୟାରିଂ ଏବଂ SOS ସହାୟତା ଭଳି ସୁବିଧା ସହିତ ‘ଓଡ଼ିଶା ଯାତ୍ରୀ’ ଦୈନନ୍ଦିନ ଯାତାୟାତ ସହିତ ଜରୁରୀ ପରିସ୍ଥିତିରେ ମଧ୍ୟ ନାଗରିକଙ୍କୁ ସହାୟତା ପ୍ରଦାନ କରୁଥିବା ଏକ ସମନ୍ୱିତ ଡିଜିଟାଲ୍ ପ୍ଲାଟଫର୍ମ ଭାବେ ବିକଶିତ ହେଉଛି।

ଅର୍ବାନ୍ ମୋବିଲିଟି ଇଣ୍ଡିଆ ୨୦୨୬ ଆୟୋଜନ ଓଡ଼ିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଅଂଶୀଦାର, ବିଶେଷଜ୍ଞ ଏବଂ ପ୍ରତିନିଧିମାନଙ୍କ ସମ୍ମୁଖରେ ଏହାର ଉଦୀୟମାନ ମୋବିଲିଟି ସମାଧାନଗୁଡ଼ିକୁ ପ୍ରଦର୍ଶନ କରିବାର ସୁଯୋଗ ଦେଉଛି। ‘ଓଡ଼ିଶା ଯାତ୍ରୀ’ର ଅଂଶଗ୍ରହଣ ମାଧ୍ୟମରେ ଡିଜିଟାଲ୍ ପ୍ରଯୁକ୍ତି, ନବସୃଜନ ଏବଂ ନାଗରିକକୈନ୍ଦ୍ରିକ ସେବା କିପରି ଅଧିକ ସୁରକ୍ଷିତ, ସୁଗମ, ସମାବେଶୀ ଓ ଜୀବନଯୋଗ୍ୟ ସହର ଗଠନରେ ସହାୟକ ହୋଇପାରେ, ତାହା ପ୍ରଦର୍ଶିତ ହେବ।

‘ଓଡ଼ିଶା ଯାତ୍ରୀ’ର ଯାତ୍ରା ରାଜ୍ୟର ବ୍ୟାପକ ଦୃଷ୍ଟିକୋଣକୁ ମଧ୍ୟ ପ୍ରତିଫଳିତ କରୁଛି—ଦୈନନ୍ଦିନ ଜୀବନର ଅନୁଭୂତିକୁ ସରଳ ଓ ସୁବିଧାଜନକ କରିବା ସହିତ ନାଗରିକକୈନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ପ୍ରଯୁକ୍ତିର ବ୍ୟବହାର। ସୁଗମ ଯାତାୟାତରୁ ଆରମ୍ଭ କରି ଜରୁରୀକାଳୀନ ସୁରକ୍ଷା ସେବାର ସମନ୍ୱୟ ପର୍ଯ୍ୟନ୍ତ, ଏହି ପ୍ଲାଟଫର୍ମ ନାଗରିକଙ୍କ ଆବଶ୍ୟକତାକୁ କେନ୍ଦ୍ରରେ ରଖି ଏକ ବିକଶିତ ଡିଜିଟାଲ୍ ଇକୋସିଷ୍ଟମ୍‌ର ରୂପ ନେଉଛି।

ଏହି ପଦକ୍ଷେପ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ବ୍ୟାପକ ଲକ୍ଷ୍ୟପୂରଣରେ ଅବଦାନ ରଖୁଛି। ସମାବେଶୀ, ସ୍ଥାୟୀ ଓ ଜନକୈନ୍ଦ୍ରିକ ସହରୀ ବିକାଶ ପାଇଁ ନବସୃଜନ ଓ ପ୍ରଯୁକ୍ତିକୁ ପ୍ରମୁଖ ସକ୍ଷମକାରୀ ଭାବେ ବ୍ୟବହାର କରିବାର ଦିଗରେ ‘ଓଡ଼ିଶା ଯାତ୍ରୀ’ ଏକ ଉଲ୍ଲେଖନୀୟ ପଦକ୍ଷେପ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking