ପୁରୀ: ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଓ ରାଧା ପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସେବାୟତ ସଂଘ ପକ୍ଷରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ସମ୍ପନ୍ନ କରାଯାଇଛି।ମଙ୍ଗଳବାର ରାତି ୧୦ଟାରୁ ମନ୍ଦିର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ଅବକାଶ, ଠାକୁରଙ୍କ ନଟବର ବେଶ ଏବଂ ରାଧାରାଣୀଙ୍କ ଦୁର୍ଲଭ ଓଡ଼ିଆଣୀ ବେଶ ଅନୁଷ୍ଠିତ ହୋଇଛି। ବିଭିନ୍ନ ଭୋଗନୀତି ଓ ସେବାୟତ ପରିବାରଙ୍କ ଦର୍ଶନ ପରେ ରାତି ୨ଟାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସିଂହଦ୍ୱାର ଦେଇ ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି।ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଏସ୍.ପି. ପ୍ରତୀକ ସିଂଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ଫୋର୍ସ, ସିସିଟିଭି, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ମେଟାଲ ଡିଟେକ୍ଟର ଏବଂ ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ହୋଇଛନ୍ତି।










