ଭୁବନେଶ୍ୱର : ବାତ୍ୟା ‘ୟାଶ୍’ ପାଇଁ ସକ୍ରିୟ ହୋଇଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ । ଯାହାକି ବର୍ତ୍ତମାନ ଆରବିଆନ୍ ସାଗରର ମଧ୍ୟ ଭାଗରେ ଥିବାବେଳେ ଏହାର କିଛି ଅଂଶ ଲାକ୍ଷ୍ୟାଦୀପ, କେରଳ, କର୍ଣ୍ଣାଟକର ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁରେ ପହଞ୍ôଚ ସାରିଛି । ବାକି କିଛି ଅଂଶ ଏବେ ସୁଦ୍ଧା ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ପଟେ ସକ୍ରିୟ ରହିଛି । ଆସନ୍ତା ୨ କିମ୍ବା ୩ ଦିନ ମଧ୍ୟରେ ମୌସୁମୀ କରେଣ୍ଟ ଅଧିକ ଶକ୍ତିଶାଳୀ ହେବା ଫଳରେ ଜୁନ ୧୦ ବା ୧୧ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମ ବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ତାମିଲନାଡୁ ଏବଂ ଆନ୍ଧ୍ର୍ରଦେଶର ଅନେକ ଅଞ୍ଚଳକୁ ଆଚ୍ଛାଦିତ କରିସାରିଛି । ଏହି ପରିପ୍ରେକ୍ଷୀରେ ଜୁନ ୮ କିମ୍ବା ୯ ସୁଦ୍ଧା ଏହା ଦକ୍ଷିଣ ଓଡ଼ିଶା ଛୁଇଁବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ଡିେପ୍ରେସନର ରୂପ ନେବା ସହ ଜୁନ ୧୦ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ହୋଇପାରେ ।
ଏହାପରେ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପ୍ରକାଶ ପାଇଛି । ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ନାହିଁ । ହେଲେ ଘୁର୍ଣ୍ଣିବଳୟ ଓ ବାୟୁମଣ୍ଡଳରେ ଗୁରୁଚାପ ବଳୟ ସ୍ଥାନାନ୍ତରିତ ହେବା ଫଳରେ ଓଡ଼ିଶାର ଗୋଟିଏ କିମ୍ବା ୨ଟି ସ୍ତାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୪୮ ଘଣ୍ଟା ପରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନିଭୂତ ହେବାର ସମ୍ଭାବନା ଥିବା ବେଳେ ୭ ତାରିଖରୁ ପୁଣି କାଳବୈଶାଖୀ ବର୍ଷା ଆରମ୍ଭ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରିଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ନୂଆପଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ କାଳବୈଶାଖୀ ସମ୍ଭାବନା ରହିଛି ।
ସେହିପରି ୮ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରକୁ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୨୪ ଘଣ୍ଟା ପରେ ଅନ୍ୟ କୌଣସି ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା ରହିଛି ସେ ନେଇ ତଥ୍ୟ ପ୍ରକାଶ କରାଯିବ । ତେବେ କାଳବୈଶାଖୀ ସମୟରେ ସମସ୍ତ ଦିଗ ପ୍ରତି ଧ୍ୟାନ ରଖିବା ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।