କଟକ: ସ୍ଥଗିତ ହେଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍ ବା OJS ପରୀକ୍ଷା । ଏନେଇ ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ଜୁଲାଇ ୫ ତାରିଖରେ OJS ପ୍ରାରମ୍ଭିକ ପରୀକ୍ଷା ଆୟୋଜିତ ହେବାର ଥିଲା । ମାତ୍ର ବର୍ତ୍ତମାନ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ନେଇ ଓପିଏସି ସ୍ପଷ୍ଟ କରିଛି । କେବଳ ପରୀକ୍ଷା ସ୍ଥଗିତ ହୋଇନାହିଁ, ବରଂ ଆବେଦନ ପ୍ରକ୍ରିୟାର ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ଫଳରେ ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରିପାରିନଥିଲେ, ସେମାନଙ୍କ ପାଇଁ ଆଉ ଏକ ସୁଯୋଗ ସୃଷ୍ଟି ହୋଇଛି । ଆବେଦନ ସମୟ ବଢ଼ାଇବା ସହ ନୂତନ ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ ବୋଲି ଓପିଏସି ସୂଚନା ଦେଇଛି ।ଓଜେଏସ ପରୀକ୍ଷା ରାଜ୍ୟର ନ୍ୟାୟିକ ସେବାରେ ପ୍ରବେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହୋଇଥିବାରୁ ହଜାର ହଜାର ଆଶାୟୀ, ପ୍ରାର୍ଥୀ ଏହି ପରୀକ୍ଷାକୁ ଅପେକ୍ଷା କରି ରହିଥିଲେ । ହଠାତ ପରୀକ୍ଷା ସ୍ଥଗିତ ଘୋଷଣା ପରେ ପ୍ରାର୍ଥୀଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଅତିରିକ୍ତ ସମୟ ମିଳିଥିବାରୁ ପ୍ରସ୍ତୁତିକୁ ଆହୁରି ମଜଭୁତ କରିବାର ସୁଯୋଗ ମିଳିବ ବୋଲି ଅନେକ ପରୀକ୍ଷାର୍ଥୀ ମତ ପ୍ରକାଶ କରିଛନ୍ତି । ଓପିଏସି ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ନୂଆ ସୂଚନା ଏବଂ ପରବର୍ତ୍ତୀ କାର୍ଯ୍ୟସୂଚୀ ଶୀଘ୍ର ଘୋଷଣା କରାଯିବ । ତେଣୁ ପ୍ରାର୍ଥୀମାନଙ୍କୁ ନିୟମିତ ଭାବେ ଓପିଏସିର ଆଧିକାରିକ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।










