ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଗଠିତ ସରକାର ଜନସାଧାରଣଙ୍କର ମନମୋହିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଲୋକଙ୍କର ସରକାର ବୋଲି ଧାରଣା ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି । ସରକାର ଗଠନ ପରେ ଆଜି ଦ୍ୱିତୀୟ କ୍ୟାବିନେଟ୍ରେ ଯେଉଁ ସବୁ ନିଷ୍ପତ୍ତି ନିଆଯାଇଛି ସେଥିରେ ମୁଖ୍ୟତଃ ସାଧାରଣ ଲୋକଙ୍କୁ ଖୁସି କରିବା ପାଇଁ ଉର୍ଦ୍ଦିଷ୍ଟ ଥିଲା । ଶ୍ରମିକ, କୃଷକ, ବେକାରୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଟିମ୍ ଉଦ୍ୟମ କରିଛନ୍ତି । ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା । ସବୁ ଶ୍ରେଣୀର କୃଷକଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅର୍ନ୍ତଭୁକ୍ତ କରିବା ଓ ଶିକ୍ଷକ ନିଯୁକ୍ତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।
କ୍ୟାବିନେଟ୍ ବୈଠକ ପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ରାଜ୍ୟରେ କାର୍ଯ୍ୟ କରୁଥିବା ସବୁ ଶ୍ରେଣୀର ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି କରାଯାଇଛି । ଏଥିରେ ୯୮ ଟଙ୍କାରୁ ଆରମ୍ଭ କରି ୧୦୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଣକୁଶଳୀ ଶ୍ରମିକମାନଙ୍କ ମଜୁରୀ ୩୫୨ ଟଙ୍କା ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ କୁଶଳୀଙ୍କ ପାଇଁ ୩୯୨ରୁ ୫୦୦ଟଙ୍କା, ଉଚ୍ଚକୁଶଳୀଙ୍କ ପାଇଁ ୫୦୨ରୁ ୬୦୦ଟଙ୍କାକୁ ବୃଦ୍ଧି କରାଯାଇଛି ।
ଏହାଛଡ଼ା ରାଜ୍ୟର ସବୁ ଶ୍ରେଣୀର ଚାଷୀଙ୍କୁ ଖୁସି କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବାଦ୍ ପଡ଼ିଥିବା ସବୁ ଶ୍ରେଣୀର ଚାଷୀଙ୍କୁ ଅର୍ନ୍ତଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ମଧ୍ୟବିତ୍ତ, ବୃହତ ଓ ସହରାଞ୍ଚଳରେ ଥିବା ଚାଷୀଙ୍କୁ ଅର୍ନ୍ତଭୁକ୍ତ କରାଯିବ । ଆସନ୍ତା କିସ୍ତିରେ ସେମାନେ ଅର୍ଥ ପାଇବେ । ଏଥିରୁ ୫ରୁ ୬ଲକ୍ଷ ଚାଷୀ ଉପକୃତ ହେବେ । ସମସ୍ତ କୃଷକ ପରିବାକୁ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଇଛି ।
ଓଡ଼ିଆ ଅସ୍ମିତାର ବିକାଶ ପାଇଁ ଏକ କର୍ପସ ପାଣ୍ଠି ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ୨୦୦ କୋଟି ଟଙ୍କାର ପାଣ୍ଠି ଗଠନ ହେବ । ପରବର୍ତ୍ତି ସମୟରେ ଏହା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କଟକ ବାଲିଯାତ୍ରାକୁ ଆର୍ନ୍ତଜାତୀୟ ମାନ୍ୟତା ଦେବା ପାଇଁ ପ୍ରୟାସ କରାଯିବ । ଭାଷା, ସଂସ୍କୃତି ଓ ଐତିହ୍ୟର ବିକାଶ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ ହେବ ।
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ୨୦ ହଜାର ଶିକ୍ଷକ ନିଯୁକ୍ତ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ବିଭାଗ ପଦକ୍ଷେପ ନେଇଛି । ଏ ନେଇ ଯୋଗ୍ୟତା ଭିତ୍ତିକ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ୧୮ ହଜାର ୭୮୮ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇଛି ।
ଚାଷ ପାଇଁ ଆବଶ୍ୟକ ପାଣି ବ୍ୟବସ୍ତା କରିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ଉଠା ଜଳସେଚନ ପଏଣ୍ଠ ଗୁଡ଼ିକୁ କାର୍ଯକ୍ଷମ କରାଯିବ । ଅଚଳ ହୋଇଥିବା ୨ହଜାର ୬୫ ଉଠା ଜଳସେଚନକୁ ସଚଳ କରାଯିବ । ୫ ବର୍ଷ ଭିତରେ 1 ହଜାର 84 କୋଟି 38 ଲକ୍ଷ ଟଙ୍କା ଏହି ବାବଦରେ ବିନିଯୋଗ କରାଯିବ ।