ବୃହତ୍ ରାଜ୍ୟଗୁଡ଼ିକ ମଧ୍ୟରେ ଆଇ.ଇ.ଏମ୍. ଆଇ ରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ
ଭୁବନେଶ୍ୱର: ଭାରତର ବୈଦ୍ୟୁତିକ ଗତିଶୀଳତା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ନୀତି ଆୟୋଗ ପକ୍ଷରୁ ୨୦୨୬ ସେପ୍ଟେମ୍ବର ୧୬ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଇ. ଭି. ନୀତି ସମୀକ୍ଷା ଏବଂ ପୁନର୍ବିନ୍ୟାସ ବୈଠକରେ ପ୍ରକାଶିତ ଭାରତୀୟ ବିଦ୍ୟୁତ ଗତିଶୀଳତା ସୂଚକାଙ୍କ ୨୦୨୫ରେ ଓଡ଼ିଶା ବୃହତ୍ ରାଜ୍ୟଗୁଡ଼ିକ ମଧ୍ୟରେ ‘ଫ୍ରଣ୍ଟରନର୍’ ବର୍ଗରେ ସ୍ଥାନ ପାଇଛି । ଏହି ସୂଚକାଙ୍କରେ ଓଡ଼ିଶା ୫୫ ସ୍କୋର ହାସଲ କରିଛି। ସହରୀ ପରିବହନ ସହ ବିଶେଷ ଭାବେ ସମ୍ପୃକ୍ତ ପରିବହନ ବିଦ୍ୟୁତକରଣର ଅଗ୍ରଗତରେ ରାଜ୍ୟ ୫୮ ଏବଂ ଚାର୍ଜିଂ ଭିତ୍ତିଭୂମି ପ୍ରସ୍ତୁତିରେ ୫୭ ସ୍କୋର ହାସଲ କରିଛି । ଉଭୟ କ୍ଷେତ୍ରରେ ଓଡ଼ିଶା ‘ଫ୍ରଣ୍ଟରନର୍’ ବର୍ଗରେ ସ୍ଥାନ ପାଇଛି । ସ୍ୱଚ୍ଛ ସାର୍ବଜନୀନ ପରିବହନକୁ ପ୍ରୋତ୍ସାହନ, ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି ଏବଂ ଚାର୍ଜିଂ ଭିତ୍ତିଭୂମିର ସମ୍ପ୍ରସାରଣ ଦିଗରେ ରାଜ୍ୟର ନିରନ୍ତର ପ୍ରୟାସର ଏହା ପ୍ରତିଫଳନ । ଆଇ ଇ ଏମ୍ ଆଇ ୨୦୨୪ତୁଳନାରେ ମଧ୍ୟ ଓଡ଼ିଶା ଏଥିରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ୨୦୨୪ରେ ରାଜ୍ୟର ସ୍କୋର ୪୯ ଥିବାବେଳେ ଜାତୀୟ ସ୍ତରରେ ଓଡ଼ିଶା ୭ମ ସ୍ଥାନରେ ରହିଥିଲା ।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, “ଭାରତୀୟ ବୈଦ୍ୟୁତିକ ଗତିଶୀଳତା ସୂଚକାଙ୍କରେ ଓଡ଼ିଶା ‘ଫ୍ରଣ୍ଟରନର୍’ ଭାବେ ମାନ୍ୟତା ପାଇବା ଏକ ସ୍ୱଚ୍ଛ, ସବୁଜ ଓ ଭବିଷ୍ୟତମୁଖୀ ପରିବହନ ବ୍ୟବସ୍ଥା ଗଠନ ପ୍ରତି ଆମର ପ୍ରତିବଦ୍ଧତାର ପ୍ରତିଫଳନ। ବୈଦ୍ୟୁତିକ ସାର୍ବଜନୀନ ପରିବହନର ସମ୍ପ୍ରସାରଣ, ଚାର୍ଜିଂ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ବ୍ୟାପକ ବୈଦ୍ୟୁତିକ ବ୍ୟବହାର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ଦିଗରେ ଆମେ ନିରନ୍ତର କାର୍ଯ୍ୟ କରୁଛୁ । ଏହି ବୈଦ୍ୟୁତିକ ଗତିଶୀଳତା ପରିବର୍ତ୍ତନ ସ୍ୱଚ୍ଛ ବାୟୁ, ଉନ୍ନତ ସହରୀ ପରିବହନ ଏବଂ ଏକ ସ୍ଥାୟୀ ଓଡ଼ିଶା ଗଠନରେ ଅବଦାନ ରଖିବା ଆମର ପ୍ରମୁଖ ଲକ୍ଷ୍ୟ ।”ଏହି ମାନ୍ୟତା ଓଡ଼ିଶା ଭିଜନ୍ ୨୦୪୭ର ଲକ୍ଷ୍ୟ ସହ ସମନ୍ୱିତ। ଏହି ଭିଜନ୍ରେ ସ୍ୱଚ୍ଛ ଶକ୍ତି ଏବଂ ଅଭିନବ ଗତିଶୀଳତା ସମାଧାନ ଉପରେ ଆଧାରିତ ଏକ ସ୍ଥାୟୀ, ଜଳବାୟୁ-ସହନଶୀଳ ଓ ଭବିଷ୍ୟତମୁଖୀ ପରିବହନ ବ୍ୟବସ୍ଥାର ପରିକଳ୍ପନା କରାଯାଇଛି। କାର୍ବନ୍ ନିର୍ଗମନ ହ୍ରାସ, ସହରୀ ବାୟୁର ଗୁଣବତ୍ତାରେ ଉନ୍ନତି ଏବଂ ଏକ ଦକ୍ଷ, ସୁଗମ ଓ ପରିବେଶ ଅନୁକୂଳ ପରିବହନ ନେଟୱର୍କ ଗଠନ ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଆହୁରି ସୁଦୃଢ଼ କରୁଛି ।କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍ ଆଲମ୍ କହିଛନ୍ତି, “ଏହି ମାନ୍ୟତା ସାର୍ବଜନୀନ ପରିବହନର ବୈଦ୍ୟୁତିକୀକରଣକୁ ତ୍ୱରାନ୍ୱିତ କରିବା ଦିଗରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଆହୁରି ସୁଦୃଢ଼ କରିଛି। ବୈଦ୍ୟୁତିକ ବସ୍ ସେବା, ଚାର୍ଜିଂ ଭିତ୍ତିଭୂମି ଏବଂ ଡିଜିଟାଲ୍ ଗତିଶୀଳତା ସମାଧାନର ସମ୍ପ୍ରସାରଣ ମାଧ୍ୟମରେ ସାର୍ବଜନୀନ ପରିବହନକୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ନାଗରିକଙ୍କ ପାଇଁ ସୁଗମ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ ।”ବୈଦ୍ୟୁତିକ ଗତିଶୀଳତା, ଚାର୍ଜିଂ ଭିତ୍ତିଭୂମି ଏବଂ ସ୍ୱଚ୍ଛ ସାର୍ବଜନୀନ ପରିବହନ କ୍ଷେତ୍ରରେ ନିରନ୍ତର ନିବେଶ ସହିତ ସବୁଜ ଅଭିବୃଦ୍ଧି ଓ ସ୍ଥାୟୀ ସହରୀ ବିକାଶକୁ ସମର୍ଥନ କରୁଥିବା ଅନୁକୂଳ ନୀତି ମାଧ୍ୟମରେ ଏହି ଅଗ୍ରଗତିକୁ ଆହୁରି ଆଗକୁ ନେବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ ।










