32.1 C
Bhubaneswar
Sunday, May 19, 2024
Homeଓଡିଶାଉଦନ୍ତୀରେ ବିଲୀନ ହେବାକୁ ଯାଉଛି ୧୦ରୁ ଅଧିକ ଗ୍ରାମ

ଉଦନ୍ତୀରେ ବିଲୀନ ହେବାକୁ ଯାଉଛି ୧୦ରୁ ଅଧିକ ଗ୍ରାମ

ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ପ୍ରବାହିତ ହେଉଥିବା ଉଦନ୍ତୀନଦୀ ଅଞ୍ଚଳ ବାସୀଙ୍କ ପାଇଁ ଏବେ ଚିନ୍ତାର କାରଣ ହୋଇଛି। ବର୍ଷା ଦିନ ଆସିଯାଇଥିବରୁ ଏହି ନଦୀ ଯେମିତି ଆଖ ପାଖ ଗାଁ ଲୋକଙ୍କ ପାଇଁ ବିପଦ ହୋଇ ମାଡ଼ି ଆସୁଛି। ଛତିଶଗଡ ଅନ୍ତର୍ଗତ ପୂର୍ବଘାଟ ପର୍ବତମାଳାରୁ ବାହାରିଥିବା ଉଦନ୍ତୀ ଓଡ଼ିଶାର ସିନାପାଲି ବ୍ଲକ ଅନ୍ତର୍ଗତ ସିନ୍ଦୁରଶିଲ ଠାରେ ପ୍ରବେଶ କରି ତେଲ ନଦୀରେ ବିଲୀନ ହୋଇଛି। ବର୍ଷା ଋତୁରେ ବନ୍ୟା ଯୋଗୁଁ ଏହି ନଦୀ ସିନାପାଲି ଓ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ନାହିଁ ନ ଥିବା କ୍ଷତି କରେ। ଉଦନ୍ତୀ ନଦୀର ବନ୍ୟା ପାଣିମାଡ଼ି ଆସି ଶହ ଶହ ହେକ୍ଟର ଜମି ବାଲିଚର ହୋଇଗଲାଣି। ସେତିକି ନୁହେଁ ଉଦନ୍ତୀ ର ପ୍ରଖର ସ୍ରୋତରେ ଶତାଧିକ ହେକ୍ଟର ପରିମିତ ମୂଲ୍ୟବାନ ଶାଗୁଆନ ଜଙ୍ଗଲ ମଧ୍ୟ ନଷ୍ଟ ହେବାକୁ ବସିଲାଣି। ଉଦନ୍ତୀ ନଦୀ ର ସ୍ରୋତ ଅତି ପ୍ରଖର ହୋଇଥିବାରୁ ଏହାର ଦୁଇ କୂଳ ଖାଇ ଚାଲିଛି। ସିନାପାଲି ବ୍ଲକ ଅନ୍ତର୍ଗତ ସାଲେକେଳା, ସାଗୁନଭାଡ଼ି, ଗଡରାମାଳ, ନୀଳଜି, ପଲସାପଡା, ଖଲନା, ଘୁଚାଗୁଡା, କଇଁଟପଦର, କରାଡଙ୍ଗରି, ଚିତାରମା, ଜାମବାହଲି, ଖଇରପଦର, ବରଗାଁ, ମୁଣ୍ଡା ପଲା, ଲିଆଡ, କପିଆ ସମେତ ଗୋଲାମୁଣ୍ଡା ବ୍ଲକ ର ଅନେକ ଚାଷ ଜମିରେ ବନ୍ୟାଜଳ ମାଡି ଆସି ଶହ ଶହ ହେକ୍ଟର ଚାଷଜମି ବାଲିଚର ହୋଇ ସାରିଲାଣି। ଏହି ଅଞ୍ଚଳର ଶତାଧିକ ଚାଷୀ ଏବେ ହାତବାନ୍ଧି ବସିଛନ୍ତି।

ସେହିପରି ୧୯୯୦ ମସିହାରେ ଆସିଥିବା ବ୍ୟାପକ ବନ୍ୟା ଯୋଗୁଁ ଘୁଚାଗୁଡା ଠାରେ ଥିବା ବୃହତ୍ ପିଜୁଳି ବଗିଚା ନଦୀ ଗର୍ଭରେ ଲୀନ ହୋଇଯାଇଛି। ସେହିପରି ପ୍ରତିବର୍ଷ ଆସୁଥିବା ବନ୍ୟା ଯୋଗୁଁ ଦୁଇ କୂଳରେ ଥିବା ସାଗୁଅନ ଜଙ୍ଗଲ କ୍ରମଶଃ ଧ୍ବଂସ ହେବାରେ ଲାଗିଛି। ଖଇରପଦରଠାରେ ଥିବା ୯୫ ହେକ୍ଟର ପରିମିତ ଶାଗୁଆନ ଜଙ୍ଗଲ ବନ୍ୟା ଜଳରେ ଭାସି ଯାଇ ପଡିଆ ହୋଇଯାଇଛି। ସେହିପରି ଚିତାରମା, ଜାମ ବାହଲି, ସିନ୍ଦୂରଶିଲ, ଫୁଲଚି, ଡୁମେରବାହଲ ପ୍ରଭୃତି ସ୍ଥାନରେ ଥିବା ପ୍ରାକୃତିକ ସୋନ୍ଦର୍ଯ୍ୟ ବନ୍ୟା ଯୋଗୁଁ ପ୍ରାୟ ନଷ୍ଟ ହୋଇଗଲାଣି। ସେହିପରି ଅନେକ ଗ୍ରାମର ଜନବସତି ଗୁଡ଼ିକ ନଦୀ ନିକଟତର ହୋଇ ବିପଦ ସୃଷ୍ଟି କରିଛି। ଫଳରେ ନଦୀ କୂଳିଆ ବାସୀ ବର୍ଷା ଋତୁରେ ଭୟ ଓ ଆତଙ୍କର ବାତାବରଣ ମଧ୍ୟରେ ରହିଥାନ୍ତି। କେତୋଟି ଗ୍ରାମ ନିକଟରେ ପ୍ରଶାସନ ବନ୍ୟା ଦାଉରୁ ସୁରକ୍ଷା ପାଇଁ ସ୍ୱର ଓ ପ୍ରୋଟେକ୍ସନ୍ ୱାଲ ନିର୍ମାଣ କରାଯାଇଛି। ଅନେକ ଗ୍ରାମର ନଦୀ ଦୁଇ ପାର୍ଶ୍ଵରେ ଉଚ୍ଚମାନର ପ୍ରୋଟେକ୍ସନ ୱାଲ୍ ସାଙ୍ଗକୁ ଚାଷ ଜମିର ସୁରକ୍ଷା ପାଇଁ ଯୋଜନା ନକଲେ ୧୦ରୁ ଅଧିକ ଗ୍ରାମ ସହ ଜଙ୍ଗଲ, ଚାଷ ଜମି ଖୁବ୍ ଶୀଘ୍ର ଧ୍ଵଂସ ପାଇବ ଏଣୁ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking