30.1 C
Bhubaneswar
Saturday, September 21, 2024
Homeଓଡିଶାସବୁ କଲେଜରେ ଖୋଲିବ ଏନ୍‌ଏସ୍‌ଏସ୍ ଶାଖା; ବ୍ୟକ୍ତି ଓ ସାମାଜିକ ଜୀବନରେ ପରିବର୍ତ୍ତନ ଆଣିପାରିବେ ସ୍ୱେଚ୍ଛାସେବୀ:...

ସବୁ କଲେଜରେ ଖୋଲିବ ଏନ୍‌ଏସ୍‌ଏସ୍ ଶାଖା; ବ୍ୟକ୍ତି ଓ ସାମାଜିକ ଜୀବନରେ ପରିବର୍ତ୍ତନ ଆଣିପାରିବେ ସ୍ୱେଚ୍ଛାସେବୀ: ମନ୍ତ୍ରୀ

ଭୁବନେଶ୍ୱର: ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସେବାର ଭାବନାକୁ ଜାଗ୍ରତ କରିବାପାଇଁ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟର ସମସ୍ତ କଲେଜରେ ଏହାର ଶାଖା ଖୋଲିବା ସହିତ ଏହାକୁ ଅଧିକ କ୍ରିୟାଶୀଳ କରାଯିବ । ଓଡ଼ିଶାର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକ ଏ ଦିଗରେ ଅଧିକ ଧ୍ୟାନଦେଲେ ଯୁବସମାଜ ମଧ୍ୟରେ ଅଭୂତପୂର୍ବ ଜାଗରଣ ସୃଷ୍ଟି ହୋଇପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ମନ୍ତ୍ରୀ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜାତୀୟ ସେବା ଯୋଜନାର ରାଜ୍ୟ ପରାମର୍ଶଦାତା କମିଟିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ବିଭିନ୍ନ ବିଶ୍ୱବିଦ୍ୟାଳୟ କୁଳପତି, ସମସ୍ତ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ସଂଯୋଜକ, ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସମେତ ବହୁ ପଦାଧିକାରୀ ଏବଂ  ପରାମର୍ଶଦାତା କମିଟିର ବେସରକାରୀ ସଭ୍ୟ ଯୋଗଦେଇଥିଲେ । ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ମହାତ୍ମାଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଜାତିର ଜନକଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ଏନ୍‌ଏସ୍‌ଏସ୍ ଆରମ୍ଭ ହୋଇଥିଲା ।

୫୦ ବର୍ଷ ଭିତରେ ଓଡ଼ିଶାର ବହୁ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଓ ଅଧିକାରୀ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସମାଜସେବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । +୨, ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଏନ୍‌ଏସ୍‌ଏସ୍ ସେବା କରିବାର ଯେଉଁ ସୁଯୋଗ ଦେଉଛି; ସେଥିରେ ଅନେକ ଭବିଷ୍ୟତ ଜୀବନରେ ସମାଜସେବୀ ହେବା ସହିତ ରାଷ୍ଟ୍ର ଓ ରାଜ୍ୟପାଇଁ  ସମର୍ପିତ ହୋଇପାରିବେ । ଏହି ଧାରାକୁ ଅବ୍ୟାହତ ରଖିବା ଲାଗି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଉଚ୍ଚଶିକ୍ଷା ପରିଷଦ, ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଏନ୍‌ଏସ୍‌ଏସ୍ ଅଧିକାରୀ ସମର୍ପିତ ହୋଇ କାର୍ଯ୍ୟକଲେ ଯୁବ ଓ ଛାତ୍ରସମାଜକୁ ସଂସ୍କାରମୂଳକ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ ।

ସ୍ୱେଚ୍ଛାସେବୀମାନେ ବ୍ୟକ୍ତି ଓ ସାମାଜିକ ଜୀବନରେ ପରିବର୍ତ୍ତନ ଆଣିପାରିବେ । ସଚିବ ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାର ୨୫ଟି ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ସମେତ ଉଚ୍ଚଶିକ୍ଷା ପରିଷଦ ନିୟନ୍ତ୍ରଣରେ ଥିବା ଶିକ୍ଷାନୁଷ୍ଠାନରେ ୧୨୪୧ ଏନ୍‌ଏସ୍‌ଏସ୍ ୟୁନିଟ୍‌ରେ ୧୨୪୦୦୦ରୁ ଅଧିକ ସ୍ୱେଚ୍ଛାସେବକ ଅଛନ୍ତି । ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମକୁ ବ୍ୟାପକ ଓ ଆକର୍ଷଣୀୟ କରିବା ପାଇଁ ଅର୍ଥ ଆଦୌ ପ୍ରତିବନ୍ଧକ ନୁହେଁ । ଏ କ୍ଷେତ୍ରରେ ଏନ୍‌ଏସ୍‌ଏସ୍‌ର କାର୍ଯ୍ୟକ୍ରମ ଅଧିକାରୀ ଛାତ୍ରଛାତ୍ରୀଙ୍କୁ ଜାଗ୍ରତ କରିବାକୁ ପଡ଼ିବ ।

ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଶିବିରମାନ କରାଯିବା ସହ ନିଶାର ବିଲୋପ, ପରିବେଶ ସୁରକ୍ଷା, ମହିଳା ସଶକ୍ତୀକରଣ, ରକ୍ତଦାନ, ସଡ଼କ ସୁରକ୍ଷା, ସ୍ୱଚ୍ଛତା ଓ ଶୃଙ୍ଖଳାକୁ ଗୁରୁତ୍ୱ ଦେଇ ସ୍ୱେଚ୍ଛାସେବୀମାନେ ଯେପରି ଅଧିକ କାମ କରନ୍ତି  ଏବଂ ଜାତୀୟ ସ୍ତରରେ ଓଡିଶାର ଏନ୍‌ଏସ୍‌ଏସ୍ ସର୍ବୋତ୍ତମ ହୁଏ ସେ ଦିଗରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ପରିଷଦ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ସଚିବ ପରାମର୍ଶ ଦେଇଥିଲେ ।

ଏନ୍‌ଏସ୍‌ଏସ୍ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସରିତା ପଟେଲ୍‌, ରାଜ୍ୟ ସରକାରଙ୍କ ଏନ୍‌ଏସ୍‌ଏସ୍ ସଂଯୋଜକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ କୁଳପତି ଓ ଏନ୍‌ଏସ୍‌ଏସ୍ ଅଧିକାରୀମାନେ ମତାମତ ରଖିଥିଲେ । ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ପଦ୍ମଶ୍ରୀ ସାବରମତି ଓ ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହଲାଦ ସିଂହ ଏନ୍‌ଏସ୍‌ଏସ୍‌କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅନେକ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking