ଭୁବନେଶ୍ୱର: ଖୂୁବ୍ଶୀଘ୍ର ପୂରଣ ହେବ ୭୮୬ଟି ଅଧ୍ୟାପକ ପଦବୀ । ଏନେଇ ଆସନ୍ତା ୨୦ରୁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟରେ ଥିବା ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକରେ ଅଧ୍ୟାପକ ପଦବୀ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଷ୍ଟେଟ୍ ସିଲେକ୍ସନ ବୋର୍ଡ ବା ଏସ୍ଏସ୍ବିକୁ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ଅନ୍ଲାଇନ ଆବେଦନର ଶେଷତାରିଖ ରହିଛି ଏପ୍ରିଲ ୧୯ । ପ୍ରାର୍ଥୀମାନେ ଏସ୍ଏସ୍ବିର ୱେବସାଇଟ୍ରେ ଆବେଦନ କରିପାରିବେ ।
ଅନ୍ୟ କୌଣସି ଉପାୟରେ ଆବେଦନ ଗ୍ରହଣୀୟ ନୁହେଁ । ତେବେ ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ସର୍ବନିମ୍ନ ୨୧ବର୍ଷ ଏବଂ ସର୍ବାଧିକ ୪୨ବର୍ଷ ହୋଇଥିବା ଆବଶ୍ୟକ । ଅର୍ଥାତ୍ ପ୍ରାର୍ଥୀମାନେ ୧୯୮୨ ଜାନୁଆରୀ ୨ ତାରିଖ ପୂର୍ବରୁ ଓ ୨୦୦୩ ଜାନୁଆରୀ ୧ ତାରିଖ ପରେ ଜନ୍ମ ହୋଇନଥିବା ଆବଶ୍ୟକ । ଏସ୍ସି, ଏସ୍ଟି, ଏସ୍ଇବିସି, ମହିଳା ଓ ଏକ୍ସ-ସର୍ଭିସମ୍ୟାନଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷ କୋହଳ କରାଯାଇଛି । ସେହିଭଳି ଦିବ୍ୟାଙ୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ୧୦ ବର୍ଷ କୋହଳ କରାଯାଇଛି ।
ଯେଉଁ ବିଷୟ ଗୁଡ଼ିକରେ ଏହି ନିଯୁକ୍ତି ହେବ ସେହି ବିଷୟରେ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମ୍ରେ ୫୫% ମାର୍କ ରଖି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏସ୍ସି, ଏସ୍ଟି, ଏସ୍ଇବିସି, ମହିଳା, ଏକ୍ସ-ସର୍ଭିସମ୍ୟାନ ଓ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ୫୦% ମାର୍କ ରଖି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ୭୮୬ଟି ଅଧ୍ୟାପକ ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ’ ସ୍କେଲ୍ ୪୪,୯୦୦ରୁ ୧,୪୨,୪୦୦ ଟଙ୍କା ରହିଛି । ନିଯୁକ୍ତି ପାଇଁ ୧୫୦ ମାର୍କର ଲିଖିତ ପରୀକ୍ଷା ହେବ । ୨୫ ମାର୍କର ମୌଖିକ ପରୀକ୍ଷା ଏବଂ ୨୫ ମାର୍କ କ୍ୟାରିୟର ଆସେସମେଣ୍ଟ ପାଇଁ ରହିଛି । ଏହିଭଳି ମୋଟ୍ ୨୦୦ ମାର୍କରୁ ପ୍ରାର୍ଥୀଙ୍କୁ ଚୟନ କରାଯିବ ।