29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରିବୁ : ମାୟାବତୀ

ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରିବୁ : ମାୟାବତୀ

ଲକ୍ଷ୍ନୌ: ୟୁନିଫର୍ମ ସିଭିଲ କୋଡ ଲାଗୁ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଏହାକୁ ନେଇ ଦଳର ଆଭିମୁଖ୍ୟ ସମ୍ପର୍କରେ ପ୍ରାକ ସୂଚନା ଦେଇଛନ୍ତି । ସେ ଏହି ଆଇନର ଲାଗୁ କରାଯିବାକୁ ବିରୋଧ କରିବେ ନାହିଁ । ହେଲେ ବିଜେପି ଯେଉଁ ତରିକାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଚାହୁଁଛି ସେ ତାକୁ ସମର୍ଥନ କରିବେ ନାହିଁ ବୋଲି ମାୟାବତୀ କହିଛନ୍ତି ।

ମାୟାବତୀ କହିଛନ୍ତି ଯେ ସମ୍ବିଧାନରେ ସମସ୍ତ ନାଗରିକଙ୍କ ପାଇଁ ଏକକ ନାଗରିକ ସଂହିତାର ଉଲ୍ଲେଖ ରହିଛି, କିନ୍ତୁ ଏହାକୁ ଲାଗୁ କରିବାର କୌଣସି ବ୍ୟବସ୍ଥା ନାହିଁ । କେବଳ ସହମତି ଏବଂ ସଚେତନତା ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ସେ ରାଜଧାନୀ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଯଦି ଉପଯୁକ୍ତ ସଚେତନତା ଓ ବିଚାର ବିମର୍ଶ ବିନା ଏହାକୁ ଲାଗୁ କରାଯାଏ , ତେବେ ଏହାର ଦେଶର କୌଣସି ହିତ ସାଧନ କରିପାରିବ ନାହିଁ ।

ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି ମଧ୍ୟ ଏହାକୁ ସମର୍ଥନ ଘୋଷଣା କରିସାରିଛି । ହେଲେ ଏହାକୁ ଲାଗୁ କରିବା ପୂର୍ବରୁ ବିସ୍ତୃତ ଚର୍ଚ୍ଚାର ଆବଶ୍ୟକତା ଥିବା ଆପ୍‌ କହିଥିଲା । କଂଗ୍ରେସ ଏହି ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ଦଳୀୟ ଷ୍ଟାଣ୍ଡ କ୍ଲିୟର କରିନଥିବା ବେଳେ କେବଳ ଏହାକୁ ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାର ପ୍ରୟାସ ବୋଲି କହିଛି । ନିକଟରେ ମୁସଲିମ ପର୍ସନାଲ ଲ’ ବୋର୍ଡ ମଧ୍ୟ ଏହି ପ୍ରସଙ୍ଗରେ ଏକ ଜରୁରୀ ବୈଠକ କରିସାରିଛି । ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରି ଆଇନ ଆୟୋଗ ନିକଟରେ ଦ୍ବାରସ୍ଥ ହେବା ପାଇଁ ବୋର୍ଡ ପ୍ରକ୍ରିୟା ଜାରି ରଖିଛି ।

ନିକଟରେ ଭୋପାଳରେ ଏକ ଦଳୀୟ ସମାବେଶକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହି ବହୁଚର୍ଚ୍ଚିତ ପ୍ରସଙ୍ଗରେ ସିଧା ମନ୍ତବ୍ୟ ରଖିଥିଲେ । କୌଣସି ଦେଶ ଦୁଇଟା ଆଇନ ଚାଲିପାରିବ ନାହିଁ । ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେବା ପାଇଁ ଉଦ୍ଦିଷ୍ଟ ବୋଲି ମୋଦି କହିଥିଲେ । ଦେଶକୁ ଏକ ପରିବାର ସହ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ, ଗୋଟିଏ ପରିବାର ମଧ୍ୟରେ କେବେ ହେଲେ ଦୁଇ ସଦସ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ହୋଇନପାରେ । ୟୁନିଫର୍ମ ସିଭିଲ କୋଡର ଅର୍ଥ ହେଉଛି ଦେଶର ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ରହିବା, ଯାହା ଧର୍ମ ଉପରେ ଆଧାରିତ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking