ରାୟଗଡ଼ା: ରାଜ୍ୟର ସୀମାନ୍ତ ଅଞ୍ଚଳରେ ନାହିଁ ସୁରକ୍ଷା ବ୍ୟବସ୍ଥା । ନା ଅଛି ସିସିଟିଭି କ୍ୟାମେରା ନା ଅଛନ୍ତି ସୁରକ୍ଷା କର୍ମୀ । ଏପରିକି ଯାନ-ବାହନ ଯାଞ୍ଚ ପାଇଁ ଟୋଲ୍ ଗେଟ୍ ବ୍ୟବସ୍ଥା ବି ନାହିଁ । ଏ ହେଉଛି ରାୟଗଡ଼ା ସୀମାନ୍ତ କେରେଡ଼ାଗଡ଼ ତଥା ଆନ୍ଧ୍ରର ସୀମାନ୍ତ ଅଞ୍ଚଳର ଅବସ୍ଥା । ସୁରକ୍ଷାରେ ଏପରି ଅବହେଳା ଯୋଗୁ ଯୋଗୁ ଚୋରି, ଲୁଟ୍ପାଟ୍ କରି ସହଜରେ ଅନ୍ୟ ରାଜ୍ୟକୁ ଖସି ଯାଉଛନ୍ତି ଦୁର୍ବୃତ୍ତ । ଯାହାର ଟେର୍ ପାଇପାରୁନି ପୁଲିସ୍। ରାୟଗଡ଼ା ଜିଲ୍ଲା ସଦର ମହକୁମାରୁ ଆନ୍ଧ୍ର ସୀମାନ୍ତ କେରେଡାର ଦୂରତା ୨୫ କିମି। ସୀମାର ୬ କିମି ପୂର୍ବରୁ ରହିଛି ଶେଷଖାଲ ଥାନା। ଥାନା ଅଧୀନରେ ଆନ୍ଧ୍ର ସୀମା ସମେତ ରାୟଗଡ଼ା ବ୍ଲକ୍ର ୧୪୭ଟି ଗ୍ରାମ ରହିଛି। ଗୋଟିଏ ଥାନା ଅଧୀନରେ ଏତେ ଗୁଡ଼ିଏ ଗାଁ ସହିତ ଦୁଇ ରାଜ୍ୟର ସୀମାନ୍ତ ଅଞ୍ଚଳ ରହିଥିଲେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଗୋଟିଏ ବି ଫାଣ୍ଡି ପ୍ରତିଷ୍ଠା କରାଯାଇନି। ଉଭୟ ରାଜ୍ୟର ସୀମାରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା ନଥିବା ବେଳେ ରାୟଗଡ଼ାରୁ କେରେଡା ମଧ୍ୟରେ ମାତ୍ର ଦୁଇଟି ସିସିଟିଭି କ୍ୟାମେରା ଲାଗିଛି। ଯାହା ବହୁବର୍ଷ ହେଲା ଅଚଳ ହୋଇପଡ଼ିଛି।
କରୋନା ସମୟରେ ସୀମାନ୍ତରେ ଶେଷଖାଲ ପୁଲିସ୍ ପକ୍ଷରୁ ନାକା ବ୍ୟବସ୍ଥା କରାଯାଇଥିଲା। ଆନ୍ଧ୍ରରୁ ଆସୁଥିବା ଯାନବାହନ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ଠିକଣା ଯାଞ୍ଚ ପରେ ପୁଲିସ୍ ଓଡ଼ିଶା ସୀମା ଭିତରକୁ ଛାଡ଼ୁଥିଲା। କରୋନା କଟକଣା ହଟିବା ପରେ ପୁଲିସର ଅସ୍ଥାୟୀ ଫାଣ୍ଡି କେରେଡାରୁ ଉଠିଯାଇଛି। କେବଳ ପାଟ୍ରୋଲିଂରେ ପୁଲିସର ପଦକ୍ଷେପ ସୀମିତ ରହିଛି। ମାସର ଅଧା ଦିନ ରାୟଗଡ଼ା ସହରର ବିଭିନ୍ନ ଘରୁ ଚୋରି ହେଉଥିବା ବେଳେ ଆନ୍ଧ୍ର ଡକାୟତ ଦଳର ଲିଙ୍କ୍ ରହୁଛି। ରାୟଗଡ଼ାରେ ଚୋରି ପରେ ଆନ୍ଧ୍ର ଚାଲିଯାଇ ମଉଜ ମଜଲିସ୍ କରୁଛନ୍ତି ଡକାୟତ ଦଳ। ପୁଣି ସୁବିଧା ସୁଯୋଗ ଦେଖି ଓଡ଼ିଶାକୁ ଫେରୁଛନ୍ତି । ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ବହୁ ସଦସ୍ୟ ଉଭୟ ଆନ୍ଧ୍ର ଓ ରାୟଗଡ଼ାରେ ରହି ନିଜ ନେଟୱର୍କକୁ ଚଲାଇଛନ୍ତି।
ଗତ ୪ ତାରିଖରେ ଶେଷଖାଲ ଥାନାର କାଞ୍ଚିକିୱାଲସା ଛକରେ ଘଟିଥିବା ବଡ଼ ଧରଣର ଲୁଟ ଘଟଣାରୁ ଏହା ପ୍ରମାଣିତ। ବିଜୟୱାଡାର ଦୁଇ ସୁନା ବ୍ୟବସାୟୀ ରାୟଗଡ଼ାରୁ ବ୍ୟବସାୟ ସାରି ଫେରୁଥିବା ବେଳେ ଡକାୟତ ଦଳ ବନ୍ଧୁକ ଦେଖାଇ ୯ ଲକ୍ଷ ଟଙ୍କା ସହ ୯୦୦ ଗ୍ରାମ ସୁନା ଲୁଟି ନେଇଥିଲେ। ଅପରାହ୍ନ ୨ଟାରେ ଗୋଟିଏ ବୁଲେଟ୍ରେ ଡକାୟତ ଦଳ ଆସି ଏପରି କାଣ୍ଡ ଘଟାଇଥିଲେ। ଘଟଣାକୁ ଇତିମଧ୍ୟରେ ସପ୍ତାହ ବିତିଲାଣି। ଅଥଚ ଅପରାଧୀଙ୍କ ଟେର୍ ପାଇପାରୁନି ପୁଲିସ୍। ଲୁଟର ଶିକାର ହୋଇଥିବା ଦୁଇ ବ୍ୟବସାୟୀଙ୍କ ଅଭିଯୋଗକୁ ଭିତ୍ତି କରି ଶେଷଖାଲ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ସିସିଟିଭି କ୍ୟାମେରା ବ୍ୟବସ୍ଥା ନଥିବାରୁ ସନ୍ଦିଗ୍ଧଙ୍କୁ ଠାବ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛି।
ଅନ୍ୟପକ୍ଷରେ ରାୟଗଡ଼ା ସହରର ସାଇପ୍ରିୟା ନଗରରେ ରହୁଥିବା ରେଲୱେ କର୍ମଚାରୀ ଏମ୍. ଭେଙ୍କେଟ ରାଓଙ୍କ ଘରେ ଏପ୍ରିଲ୍ ୧ ତାରିଖରେ ୮ ଜଣିଆ ଡକାୟତ ଗ୍ୟାଙ୍ଗ୍ ପଶି ପରିବାର ଲୋକଙ୍କ ହାତ ଗୋଡ଼ ବାନ୍ଧି ୨୦ ତୋଳା ସୁନା ସହ ୩୦ ହଜାର ଟଙ୍କା ଓ ମୋବାଇଲ୍ ଲୁଟି ନେଇଛନ୍ତି। ଯାହାର ସୁରାକ୍ ଏଯାବତ୍ ପୁଲିସ୍ ପାଇପାରିନି। ପୂର୍ବରୁ ରାୟଗଡ଼ା ସହରରେ ଘଟିଥିବା ବଡ଼ଧରଣର ଲୁଟ୍ପାଟରେ ଆନ୍ଧ୍ର ଡକାୟତ ଗ୍ୟାଙ୍ଗର ସଂପୃକ୍ତି ରହିଥିବା ପ୍ରମାଣିତ ହୋଇଛି।