37.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶକୌଣସି ଧର୍ମ ପ୍ରଦୂଷଣକୁ ପ୍ରୋତ୍ସାହିତ କରେ ନାହିଁ: ସୁପ୍ରିମକୋର୍ଟ

କୌଣସି ଧର୍ମ ପ୍ରଦୂଷଣକୁ ପ୍ରୋତ୍ସାହିତ କରେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: “କୌଣସି ଧର୍ମ କେବେ ହେଲେ ପ୍ରଦୂଷଣକୁ ପ୍ରୋତ୍ସାହିତ କରିନଥାଏ। ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ବିପନ୍ନ କରୁଥିବା କୌଣସି ଉତ୍ସବକୁ କୌଣସି ନିର୍ଦ୍ଦିଷ୍ଟ ବର୍ଗର ଧର୍ମ ଅନୁମତି ଦେଇନଥାଏ।” ଦିଲ୍ଳୀରେ ବିପର୍ଯ୍ୟସ୍ତ ହୋଇପଡିଥିବା ବାୟୁ ପ୍ରଦୂଷଣ ଉପରେ ଆଗତ ପିଟିସନ୍ ଉପରେ ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ ଏପରି ମତବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଧର୍ମ, ପରମ୍ପରା ଆଳରେ ପ୍ରଦୂଷଣକୁ ରୋକିବା ଦିଗରେ ପ୍ରଶାସନ ବିଫଳ ହେଉଥିବା ନେଇ ଯେଉଁ ଯୁକ୍ତି ଉପସ୍ଥାପନ କରୁଛି ତାହା ଉଚିତ୍ ନୁହେଁ। ବିଚାରପତି ଅଭୟ ଏସ୍ ଓକା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଏକ ବେଞ୍ଚ୍ କହିଛନ୍ତି ଯଦି ଦୀପାବଳି ପାଳନ ଆଳରେ ଏଭଳି ଭାବେ ବାଣଫୁଟା ଜାରି ରହେ ତେବେ ଏହା ନାଗରିକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ମୌଳିକ ଅଧିକାର ଉପରେ ପ୍ରଭାବ ପକାଇବ। ଏହି ଅବସରରେ ଖଣ୍ଡପୀଠ ବାଣଫୁଟା ଉପରେ ଲାଗୁ ହୋଇଥିବା ନିଷେଧାଦେଶକୁ ଗୁରୁତର ଭାବେ ଗ୍ରହଣ ନ କରିଥିବାରୁ ଦିଲ୍ଲୀ ପୁଲିସକୁ ଭର୍ତ୍ସନା କରିଛନ୍ତି। ବାଣଫୁଟା ଉପରେ ନିଷେଧାଦେଶ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯାଇ ନାହିଁ ଏବଂ ଏହା କେବଳ ଲୋକ ଦେଖାଣିଆ ଭାବେ କରାଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ଏହି ଆଦେଶକୁ ସମ୍ପୂର୍ଣ୍ଣ ପାଳନ ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରିବାକୁ ଏବଂ ଏଲାଇସେନ୍ସ ବିନା କେହି ବାଣ ତିଆରି ଏବଂ ବିକ୍ରୟ କରିପାରିବେ ନାହିଁ ବୋଲି ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାର ବାଣ ଉପରେ ସ୍ଥାୟୀ ନିଷେଧାଦେଶ ନେଇ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କହିଛନ୍ତି।
ଦିଲ୍ଲୀ ସରକାର ଦୀପାବଳି ପୂର୍ବରୁ ବାଣଫୁଟାକୁ ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ଦୀପାବଳିରେ ବହୁ ସଂଖ୍ୟକ ବାଣଫୁଟା ହୋଇଥିଲା। ଅନେକ ସ୍ଥାନରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ କମିସନରଙ୍କୁ ଏକ ସତ୍ୟପାଠ ଦାଖଲ ପୂର୍ବକ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଦିଲ୍ଳୀ ପୁଲିସ୍ କମିଶନର ମଧ୍ୟ ଏନେଇ ରିପୋର୍ଟ ଦାଖଲ କରିଛନ୍ତି। କିନ୍ତୁ ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦିଲ୍ଲୀ ପୁଲିସ୍ କମିଶନରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ କେବଳ କଞ୍ଚାମାଲ ଜବତ କରି ଦେଖାଉଛନ୍ତି। ବାଣଫୁଟା ଉପରେ ପ୍ରତିବନ୍ଧକ ଗୁରୁତର ଭାବେ କାର୍ଯ୍ୟକାରୀ କରାଯାଇ ନାହିଁ। ସେହିପରି ସୁପ୍ରିମକୋର୍ଟ ନଡା ଜାଳିବାକୁ ରୋକିବା ଦିଗରେ ବିଫଳ ହୋଇଥିବା କାରଣରୁ ପଞ୍ଜାବ ସରକାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ସମସ୍ୟା ଗୁରୁତର ରହିଛି। ଗତ ସପ୍ତାହରେ, ଦିଲ୍ଲୀର ଅନେକ ଅଞ୍ଚଳରେ ଏକ୍ୟୁଆଇ ସୂଚକାଙ୍କ ୪୦୦ ଅତିକ୍ରମ କରିଥିଲା। ପ୍ରଦୂଷଣର ଏହା ଏକ ଗମ୍ଭୀର ସ୍ଥିତି ବୋଲି ବିବେଚନା କରାଯାଇଥାଏ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking